ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସମ୍ବଲପୁର ଗସ୍ତ ଅବସରରେ ଜିଲ୍ଲାବାସୀଙ୍କୁ ଆଜି ଏକାଧିକ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସମ୍ବଲପୁର ଏବଂ ସମଗ୍ର ପଶ୍ଚିମ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ପାଇଁ ଅତ୍ୟାଧୁନିକ ‘ମେକ୍ ଇନ୍ ଇଣ୍ଡିଆ’ ଡପ୍ଲର ପାଣିପାଗ ରାଡାର୍ (DWR)ର ଶୁଭାରମ୍ଭ କରିବା ସହ ପ୍ରାୟ ୯୬୦ କୋଟି ଟଙ୍କାର ୫୦ଟି ଗୁରୁତ୍ୱପୂର୍ଣ୍ଣ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି।
ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସମ୍ବଲପୁର ହେଉଛି ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାର ପ୍ରତୀକ ଏବଂ ‘ସମୃଦ୍ଧ ଓଡ଼ିଶା ୨୦୩୬’ ଗଠନ ସଂକଳ୍ପରେ ସମ୍ବଲପୁର ହେଉଛି ରାଜ୍ୟ ସରକାରଙ୍କ ବିକାଶ ଯାତ୍ରାର ମୁଖ୍ୟ କେନ୍ଦ୍ର। ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣର ଆରମ୍ଭରେ ମା’ ସମଲେଶ୍ଵରୀ, ବୀର ସୁରେନ୍ଦ୍ର ସାଏ, ଶହିଦ ମାଧୋ ସିଂ, ଛବିଲ ସାଏ, ସନ୍ଥକବି ଭୀମଭୋଇ ଓ ସ୍ୱଭାବ କବି ଗଙ୍ଗାଧର ମେହରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସେ କହିଥିଲେ ଯେ ସମ୍ବଲପୁରୀ ଭାଷା, ସଂସ୍କୃତି, ଗୀତ ଓ ଶାଢ଼ୀ ସମଗ୍ର ଆଞ୍ଚଳିକ ପରିଚୟର ଗୌରବ। ଆଜି ଉଦ୍ଘାଟିତ ଓ ଶିଳାନ୍ୟାସ ହୋଇଥିବା ୯୬୦ କୋଟି ଟଙ୍କାର ପ୍ରକଳ୍ପ ମଧ୍ୟରେ ୧୩୩.୪୭ କୋଟି ଟଙ୍କାର ୧୫ଟି ସମ୍ପୂର୍ଣ୍ଣ ପ୍ରକଳ୍ପର ଲୋକାର୍ପଣ ଏବଂ ୮୨୫.୮୩ କୋଟି ଟଙ୍କାର ୩୫ଟି ନୂତନ ପ୍ରକଳ୍ପର ଶିଳାନ୍ୟାସ ସାମିଲ ଅଛି। ଏଥିରେ ସ୍ୱାସ୍ଥ୍ୟ, ଗ୍ରାମ୍ୟ ଉନ୍ନୟନ (କୁଚିଣ୍ଡା ପାଇଁ ୬୦.୫୦ କୋଟି), କ୍ରୀଡ଼ା (୭୪.୭୨ କୋଟି), ସଡ଼କ ଓ କୋଠା ନିର୍ମାଣ (୫୮୫ କୋଟି) ଏବଂ ଜଳସମ୍ପଦ କ୍ଷେତ୍ରରେ ୨୨୦.୫୬ କୋଟି ଟଙ୍କାର ମେଗା ଲିଫ୍ଟ ଜଳସେଚନ ଓ ୮.୮୮ କୋଟି ଟଙ୍କାର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅନ୍ତର୍ଭୁକ୍ତ।
ମୁଖ୍ୟମନ୍ତ୍ରୀ ଦର୍ଶାଇଥିଲେ ଯେ ଗତ ଜାନୁଆରୀ ୨୦୨୬ରେ ସେ ୯୪୮ କୋଟି ଟଙ୍କାର ପ୍ରକଳ୍ପ ସହ ୫୦ଟି ବୈଦ୍ୟୁତିକ ବସ୍ର ଶୁଭାରମ୍ଭ କରିଥିଲେ। ଅଇଁଠାପାଲି ବସ୍ ଟର୍ମିନାଲ୍ ଓ ଏହାର ୧୦ ବର୍ଷର ରକ୍ଷଣାବେକ୍ଷଣ ପାଇଁ ୨୩୮.୧୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସହରରେ ଜଳସଙ୍କଟ ଓ ଜଣ୍ଡିସ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ AMRUT ୨.୦ ଅଧୀନରେ ୪୫୦ କୋଟି ଟଙ୍କାର ‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍’ ପ୍ରକଳ୍ପ ଜରିଆରେ ୪୧ଟି ୱାର୍ଡକୁ ୧୦୦ ନିୟୁତ ଲିଟର ବିଶୁଦ୍ଧ ଜଳ ଯୋଗାଇ ଦିଆଯିବ। ଏତଦ୍ବ୍ୟତୀତ, ବୁର୍ଲା ଓ ହୀରାକୁଦ ରିଙ୍ଗ୍ ରୋଡ୍, ରେମେଡ୍-ହୀରାକୁଦ ୪-ଲେନ୍ ରାସ୍ତା ଆଦିର ସମ୍ପ୍ରସାରଣ କାର୍ଯ୍ୟ ଦ୍ରୁତଗତିରେ ଚାଲିଛି। ଏହି ଗୋଟିଏ ବର୍ଷରେ ସେପ୍ଟେମ୍ବର ସୁଦ୍ଧା ସମ୍ବଲପୁର ପାଇଁ ପ୍ରାୟ ୧,୯୧୦ କୋଟି ଟଙ୍କାର ବିକାଶମୂଳକ କାର୍ଯ୍ୟ କରାଯାଇଛି।
ଶାସନ ବ୍ୟବସ୍ଥାକୁ ଲୋକାଭିମୁଖୀ କରିବା ପାଇଁ ଭୁବନେଶ୍ୱର ବାହାରେ ସମ୍ବଲପୁରରେ ପ୍ରଥମ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି ମଧ୍ୟ କରାଯାଇଥିଲା। ପଶ୍ଚିମ ଓଡ଼ିଶାର ଶିଳ୍ପ ବିକାଶ ଓ ନିଯୁକ୍ତି ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲପଙ୍ଗାଠାରେ ହିଣ୍ଡାଲ୍କୋର ସମ୍ପ୍ରସାରଣ ପାଇଁ ୪୦,୦୦୦ କୋଟି ଏବଂ ରେଙ୍ଗାଲିଠାରେ JSW-JFE ଷ୍ଟିଲ୍ ଦ୍ୱାରା ୩୨,୦୦୦ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଏହା ସହିତ କୃଷି ଭବନ, ଛାତ୍ରୀ ନିବାସ, ସମ୍ବଲପୁର ଫୁଟବଲ୍ ଏକାଡେମୀର ଆଧୁନିକୀକରଣ ଏବଂ ‘ହୀରାକୁଦ ଡ୍ୟାମ୍ ମାଷ୍ଟର ପ୍ଲାନ’ ନିର୍ମାଣ କରାଯାଉଛି।
ରାଜ୍ୟ ସରକାର ୨୦୩୬ ଶତାବ୍ଦୀ ପୂର୍ତ୍ତି ସୁଦ୍ଧା ଓଡ଼ିଶାକୁ ୫୦୦ ବିଲିୟନ ଡଲାର ଏବଂ ୨୦୪୭ ସୁଦ୍ଧା ୧.୫ ଟ୍ରିଲିୟନ ଡଲାରର ଅର୍ଥବ୍ୟବସ୍ଥାରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି।ନାରୀ ସଶକ୍ତିକରଣକୁ ଗୁରୁତ୍ୱ ଦେଇ ସେ କହିଛନ୍ତି ଯେ ‘ସୁଭଦ୍ରା’, ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ’ ଓ ‘କନ୍ୟା ସୁମଙ୍ଗଳ’ ଯୋଜନା ମାଧ୍ୟମରେ ମହିଳାମାନଙ୍କୁ ଆଗକୁ ନିଆଯାଉଛି ଏବଂ ରାଜ୍ୟ ବଜେଟର ୪୦ ପ୍ରତିଶତ ମହିଳାଙ୍କ ପାଇଁ ବ୍ୟୟ ହେଉଛି। କେନ୍ଦ୍ର ଓ ରାଜ୍ୟର ‘ଡବଲ ଇଞ୍ଜିନ’ ସରକାରର ସଫଳତା ଗଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡ଼ିଶାକୁ ୯୦ ହଜାର କୋଟିର ରେଳ, ୪୦ ହଜାର କୋଟିର ସଡ଼କ, ୨୫ ହଜାର କୋଟିର ବନ୍ଦର ଏବଂ ୨୫ ହଜାର କୋଟି ଟଙ୍କାର ଜାହାଜ ନିର୍ମାଣ ପ୍ରକଳ୍ପ ମିଳିଛି।
ସମ୍ବଲପୁରରେ ୧,୫୨୧ କୋଟି ଟଙ୍କାର ୪-ଲେନ୍ ବାଇପାସ୍, VIMSARର ୧,୭୦୦ କୋଟିର ସମ୍ପ୍ରସାରଣ, ୧୦୦ କୋଟିର Aqua Park, ଏବଂ ୧୦୦ କୋଟି ଟଙ୍କାର ‘ସମଲେଇ ଫେଜ୍-୨’ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ‘ରଙ୍ଗବତୀ’ ଗୀତର ତିନିଜଣ ସ୍ରଷ୍ଟା ଓ ଶିଳ୍ପୀଙ୍କୁ ପଦ୍ମଶ୍ରୀ ସମ୍ମାନରେ ବିଭୂଷିତ କରାଯିବା ପ୍ରସଙ୍ଗ ଉଲ୍ଲେଖ କରି ସେ ସଂସ୍କୃତି ପ୍ରତି କେନ୍ଦ୍ର ସରକାରଙ୍କ ସମ୍ମାନକୁ ପ୍ରଶଂସା କରିଥିଲେ।
