Odia News Portal

ନବୀନ ମନ୍ତ୍ରିମଣ୍ଡଳରେ ତିନି ନୂଆ ସଦସ୍ୟ

ବିକ୍ରମ କେଶରୀ ଆରୁଖ, ସୁଦାମ ମାର୍ଣ୍ଡି ଓ ସାରଦା ନାୟକ ଆଜି ରାଜ୍ୟ ମନ୍ତ୍ରିମଣ୍ଡଳରେ ନୂଆ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ତିନି ବିଧାୟକ ନିଜ ନିଜ ଅଞ୍ଚଳର ଟାଣୁଆ ଓ ପ୍ରଭାବଶାଳୀ ନେତା ଭାବେ ଜଣାଶୁଣା।

ଗଞ୍ଜାମ ଜିଲ୍ଲାରୁ ପ୍ରତିନିଧିତ୍ଵ କରୁଥିବା ବିକ୍ରମ କେଶରୀ ଆରୁଖ ଲଗାତାର ୬ ଥର ଭଞ୍ଜନଗରରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ସେ ଦିନେ କଂଗ୍ରେସ ଗଡ଼ ଥିବା ଭଞ୍ଜନଗରରେ ୧୯୯୫ ମସିହାରେ ବିଧାୟକ ଭାବେ ପ୍ରଥମ ଥର ପାଇଁ ଜନତା ଦଳ ଟିକେଟରେ ନିର୍ବାଚିତ ହୋଇଥିଲେ। ଏହାପରେ ୨୦୦୦, ୨୦୦୪, ୨୦୦୯, ୨୦୧୪, ୨୦୧୯ ନିର୍ବାଚନରେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ଆରୁଖ । ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାରେ ବିଜେଡି ସଂଗଠନ ଦାୟିତ୍ୱରେ ମଧ୍ୟ ଥିଲେ ଆରୁଖ।

୫ ଥରର ବିଧାୟକ ସୁଦାମ ମାର୍ଣ୍ଡି ବର୍ତ୍ତମାନ ମୟୂରଭଞ୍ଜ ଜିଲ୍ଲା ବିଜେଡି ସଭାପତି ଅଛନ୍ତି । ସେ ୫ ଥର ବିଧାୟକ ଓ ୨ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ପୂର୍ବରୁ ୨ଥର ମନ୍ତ୍ରୀ ମଧ୍ୟ ହୋଇଛନ୍ତି ସୁଦାମ। ପୂର୍ବରୁ ରାଜସ୍ୱ ଓ ପ୍ରଶମନ ବିଭାଗ ମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳି ଥିଲେ ସୁଦାମ ।

ସାରଦା ପ୍ରସାଦ ନାୟକ ହେଉଛନ୍ତି ପଶ୍ଚିମ ଓଡ଼ିଶାର ଜଣାଶୁଣା ଚେହେରା। ଏବେ ସେ ରାଉରକେଲାରୁ ବିଧାୟକ ଅଛନ୍ତି। ସାରଦା ୨୦୦୪ ମସିହାରେ ବିଜେଡି ଟିକେଟରୁ ପ୍ରଥମେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ୨୦୦୯ ଓ ୨୦୧୯ ମସିହାରେ ମଧ୍ୟ ବିଜେଡି ଟିକେଟରେ ଲଢି ବିଜୟୀ ହୋଇଥିଲେ। ୨୦୦୯ରୁ ୨୦୧୨ ପର୍ଯ୍ୟନ୍ତ ନବୀନ ସରକାରରେ ମନ୍ତ୍ରୀ ଥିଲେ ସାରଦା । ସେ ପୂର୍ବରୁ ନଗର ଉନ୍ନୟନ ଓ ଯୋଗାଣ ବିଭାଗ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି।