Odia News Portal

ସିଏମ୍‍ସି ଘାଣ୍ଟୁଛି, ବିଏମ୍‍ସି ଶୋଇଛି

ଭୁବନେଶ୍ୱର : କଟକ ମହାନଗର ନିଗମ (ସିଏମ୍‍ସି) ଏବେ ନିମ୍ନ ମାନର ଖାଦ୍ୟ ବିକ୍ରି କରୁଥିବା ବ୍ୟବସାୟୀଙ୍କୁ ଘାଣ୍ଟୁ ଥିବାବେଳେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) କିନ୍ତୁ ଏ ବାବଦରେ ନିଘୋଡ ନିଦରେ ଶୋଇଛି । ସ୍ମାର୍ଟସିଟିର ରାସ୍ତାଘାଟ ଠାରୁ ଆରମ୍ଭ କରି ଅଧିକାଂଶ ଛୋଟ ବଡ ହୋଟେଲରେ ନିମ୍ନମାନର ଖାଦ୍ୟ ବିକ୍ରି ହେଉଥିବାବେଳେ ବିଏମ୍‍ସିର ବାବୁମାନଙ୍କୁ ଏହା ଦିଶୁ ନାହିଁ ।

ଗତ କିଛି ଦିନ ହେଲା ସିଏମ୍‍ସି ଅଧିକାରୀମାନେ କଟକ ବଡ ଡାକ୍ତରଖାନା ଠାରୁ ଆରମ୍ଭକରି କେଏଫ୍‍ସି ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛନ୍ତି । ଟ୍ରକ ଟ୍ରକ ନିମ୍ନମାନର ଓ ବାସିଖାଦ୍ୟକୁ ପରୀକ୍ଷା ନିରୀକ୍ଷା କରିବା ସହିତ ତାକୁ ନଷ୍ଟ କରୁଛନ୍ତି । ସିଏମ୍‍ସିର ଏଭଳି ଚଢଉରେ ନିମ୍ନମାନର ଖାଦ୍ୟ ସାମଗ୍ରୀ ପ୍ରସ୍ତୁତକାରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିବାବେଳେ ସାଧାରଣରେ କିନ୍ତୁ ସିଏମ୍‍ସି କାର୍ଯ୍ୟକୁ ଢେର ପ୍ରଶଂସା କରାଯାଉଛି । ସିଏମ୍‍ସି କର୍ତ୍ତୃପକ୍ଷ ବି କଟକବାସୀଙ୍କୁ ସ୍ୱାସ୍ଥ୍ୟକର ଖାଦ୍ୟ ଯୋଗାଇବାକୁ ଲକ୍ଷ୍ୟ ନେଇ ଅଭିଯାନକୁ ଜୋରଦାର କରିଛନ୍ତି ।

ହେଲେ ଅନ୍ୟ ପକ୍ଷରେ ବିଏମ୍‍ସି ବାବୁମାନେ ସବୁକିଛି ଦେଖି ନିଘୋଡ ନିଦରେ ଶୋଇଲା ଭଳି ଲକ୍ଷ୍ୟ କରାଯାଉଛି । ରାଜଧାନୀର କେଉଁଠି ହେଲେ ଯାଞ୍ଚ କିମ୍ବା ଚଢଉର ନାଁ ଗନ୍ଧ ନାହିଁ । ରାସ୍ତାରେ କଡରେ କି ପକ୍ରାର ଖାଦ୍ୟ କିଭଳି ପରିବେଶରେ ବିକ୍ରି ହେଉଛି ତାହା ବାବୁଙ୍କ ଆଖିକୁ ଦିଶୁନାହିଁ । ସହରରେ ପେଟରୋଗ ସମେତ ଅନ୍ୟାନ୍ୟ ବହୁ ରୋଗର ବାହକ ନିମ୍ନମାନର ଖାଦ୍ୟ ହୋଇଥିବାବେଳେ ସେଥିପ୍ରତି ବିଏମ୍‍ସି କର୍ତ୍ତୃପକ୍ଷ ନଜର ନଦେବା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ବିଶେଷକରି ରାସ୍ତାକଡରେ ଚଟପଟି ଖାଦ୍ୟ ବିକ୍ରି କରୁଥିବା ବ୍ୟବସାୟୀମାନେ କେଉଁ ପ୍ରକାର ସାମଗ୍ରୀ ବ୍ୟବହାର କରୁଛନ୍ତି ତାହାକୁ ବି ଦେଖିବାକୁ କେହି ନାହିଁ ।

ବିଏମ୍‍ସିର ଢିଲା ପଣରୁ ରାଜଧାନୀରେ ଏବେ ନିମ୍ନ ମାନର ଟମାଟୋ ସସ୍‍ ଠାରୁ ଆରମ୍ଭ କରି ଲଙ୍କା ସସ୍‍, ସୋୟାସସ୍‍ ଆଦି ଖାଦ୍ୟ ସାମଗ୍ରୀରେ ବ୍ୟବହାର ହେବାରେ ଲାଗିଛି । ଅଧିକାଂଶ ସ୍ଥାନରେ ନିମ୍ନମାନର ରଙ୍ଗ ଖାଦ୍ୟରେ ଗୋଳା ଯାଉଛି । ହେଲେ ଏହାକୁ ନିୟମିତ ଯାଞ୍ଚ ତ ଦୂରରକଥା ମାସକୁ ଥରେ ଅଧେ ବି ଯାଞ୍ଚ କରିବାକୁ କେହି ରାଜି ନୁହନ୍ତି । ଫଳରେ ସ୍ମାର୍ଟସିଟିରେ ଏବେ ନିମ୍ନମାନର ଖାଦ୍ୟ ପସରା ମେଲାଉଥିବା ବ୍ୟକ୍ତିଙ୍କ ସଂଖ୍ୟା ବଢିବାରେ ଲାଗିଛି ।

ତେବେ ରାଜଧାନୀରେ ହେଉଥିବା ଆଲୋଚନା ଅନୁଯାୟୀ ଏଠାରେ ଥିବା ବିଏମ୍‍ସିର ସ୍ୱାସ୍ଥ୍ୟ ବାବୁମାନେ ମଝିରେ ମଝିରେ ମାଂସ ଓ ମାଛ ଦୋକାନ ଆଡେ ଘେରାଏ ବୁଲିଆସି କାମ ସାରି ଦେଉଛନ୍ତି । ହୋଟେଲ କର୍ମଚାରୀମାନେ ଆସି ନିୟମିତ ଦେଖା କରୁଛନ୍ତି । ଯଦି କେତେବେଳେ ମନେ ହେଉଛି ଦୁଇ ତିନୋଟ ନମୂନା ପଠାଇ କାମ ସାରିଦେଉଛନ୍ତି । କେବେ କେଉଁଠି ଚଢାଉ କରିବା କାହା ନଜରରେ ପଡୁନି କି ବିଏମ୍‍ସି ବି ପକାଇବାକୁ ଚାହୁଁନି ।