Odia News Portal

ପତ୍ନୀ ଓ ୨ ଝିଅଙ୍କୁ ଗୁଳି ମାରିବା ପରେ ନିଜକୁ ଶେଷ କରିଦେଲେ କନଷ୍ଟେବଳ

ଆନ୍ଧ୍ରର କଡପ୍ପା ସହରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ କନଷ୍ଟେବଳ ନିଜ ପରିବାରକୁ ହତ୍ୟା କରି ନିଜେ ଜୀବନ ହାରି ଦେଇଛନ୍ତି। ହତ୍ୟା ପୂର୍ବରୁ କନଷ୍ଟେବଳ ଜଣକ ଏକ ନୋଟ୍‌ ଛାଡ଼ିଛନ୍ତି, ଯେଉଁଥିରେ ସେ ଲେଖିଛନ୍ତି କି, ବ୍ୟକ୍ତିଗତ କାରଣରୁ ସେ ଏଭଳି ପଦକ୍ଷେପ ଉଠାଇଛନ୍ତି। ସମସ୍ତ ସମ୍ପତ୍ତି ଦ୍ୱିତୀୟ ପତ୍ନୀଙ୍କ ନାମରେ କରାଯାଉ ଏବଂ ପିଲାମାନଙ୍କୁ ଚାକିରି ଦିଆଯାଉ।

ଏହି ଘଟଣା ଗୁରୁବାର ସକାଳର ବୋଲି କୁହାଯାଉଛି। ସ୍ଥାନୀୟ କୋଅପରେଟିଭ୍‌ କଲୋନୀରେ ରହୁଥିବା ଜଣେ କନଷ୍ଟେବଳ କୌଣସି ବ୍ୟକ୍ତିଗତ କାରଣକୁ ନେଇ ବନ୍ଧୁକରୁ ଗୁଳି ଫୁଟାଇ ପ୍ରଥମେ ପତ୍ନୀଙ୍କୁ ହତ୍ୟା କରିଥିଲେ। ଏହାପରେ ଦୁଇ ଝିଅଙ୍କୁ ଗୁଳି ମାରି ନିଜକୁ ମଧ୍ୟ ଗୁଳି କରି ଦେଇଥିଲେ।

ପୋଲିସ କହିଛି ଯେ କଡପ୍ପା ନିବାସୀ କନଷ୍ଟେବଳ ଜଣକ ପୋଲିସ ଅଧିକାରୀମାନଙ୍କ ବନ୍ଧୁକ ନିଜ ହେପାଜତରେ ରଖୁଥିଲେ। ହେଲେ ଘଟଣା ଦିନ ସେ ପତ୍ନୀ, ପିଲା ଏବଂ ନିଜକୁ ମାରିବା ପାଇଁ ବନ୍ଧୁକ ନିଜ ଘରକୁ ନେଇଆସିଥିଲେ। ବର୍ତ୍ତମାନ ପୋଲିସ ମୃତଦେହଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଏବଂ ଘଟଣାର ତଦନ୍ତ ଆରମ୍ଭ କରିଛି।

ସେହିପରି ଦିଲ୍ଲୀରୁ ମଧ୍ୟ ସମାନ ଘଟଣା ବୁଧବାର ସାମ୍ନାକୁ ଆସିଥିଲା। ଏଠାରେ ଜଣେ ଏସିପି ଅବସାଦ ଯୋଗୁ ନିଜକୁ ଗୁଳି କରି ଜୀବନ ହାରିଥିଲେ। ୫୫ ବର୍ଷୀୟ ଏସିପି ଅନିଲ୍‌ ସିସୋଦିଆ ନିଜ ବ୍ୟକ୍ତିଗତ ରିଭଲଭର୍‌ ବ୍ୟବହାର କରିଥିଲେ।