Odia News Portal

ଶିକ୍ଷାନୁଷ୍ଠାନରେ କରୋନା କଟକଣା ଏବେ ବାଟବଣା

ଭୁବନେଶ୍ୱର : କଲେଜରେ କୋଭିଡ କଟକଣା ଏବେ ଏକ ପ୍ରକାର ବାଟବଣା । ପିଲାଙ୍କ ମୁହଁରେ ନା ରହୁଛି ମାସ୍କ ନା ରଖୁଛନ୍ତି ଶାରୀରିକ ଦୂରତା । ବିଶେଷକରି ସଂକ୍ରମଣର କେନ୍ଦ୍ରବିନ୍ଦୁ ପାଲଟିଥିବା ରାଜଧାନୀର ପ୍ରାୟ ସମସ୍ତ କଲେଜରେ ଏହି ଅବସ୍ଥା । ତେଣୁ ଯଦି ପୁଣିଥରେ କରୋନା ଉପରମୁହାଁ ହୁଏ ତେବେ ସ୍ଥିତି ଅସମ୍ଭାଳ ହେବାର ଆଶଙ୍କା କରାଯାଉଛି ।
ପୂର୍ବରୁ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ସହିତ ଯୁକ୍ତ ତିନି ଦ୍ୱିତୀୟ ଓ ଶେଷ ବର୍ଷ ଶ୍ରେଣୀରେ ପାଠପଢା ହେଉଥିଲା । ଏବେ ଯୁକ୍ତ ଦୁଇ ପ୍ରଥମ ବର୍ଷ ସହିତ ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରଛାତ୍ରୀ କଲେଜରେ ନାମଲେଖା ସହିତ ପାଠପଢିବାକୁ ଆସିଲେଣି । ତେଣୁ ଏବେ ପ୍ରାୟ ସମସ୍ତ କଲେଜରେ ପୂରା ପିଲା ଆସୁଛନ୍ତି । ଆଗାମୀ ଦିନରେ ଏହି ସଂଖ୍ୟା ବଢିବ । ତେବେ ଯାହା ଲକ୍ଷ୍ୟ କରାଯାଉଛି ଅଧିକାଂଶ ପିଲାଙ୍କ ମୁହଁରେ ମାସ୍କ ନାହିଁ । ଯିଏ ପିନ୍ଧୁଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ମାସ୍କ ବେକରେ ଝୁଲୁଛି । ସେହିଭଳି ସାନିଟାଇଜର କେଉଁଠି ରହୁଛି ତାହା ବି ପିଲାମାନେ ଜାଣିପାରୁ ନାହାନ୍ତି ।

ପୂର୍ଣ୍ଣ ମାତ୍ରରେ ପାଠପଢା ଆରମ୍ଭ ହୋଇଥିବାରୁ ପିଲାଙ୍କ ମଧ୍ୟରେ ଆଉ ଶାରିରୀକ ଦୂରତା ନାହିଁ । ଶ୍ରେଣୀ କକ୍ଷରେ ଖୁନ୍ଦାଖୁନ୍ଦିହୋଇ ବସୁଛନ୍ତି । ଏ ନେଇ ଶିକ୍ଷକମାନେ ବି ନାଚାର । କାରଣ ଓଡିଆ ଓ ଇଂରାଜୀ ଭଳି ଶ୍ରେଣୀରେ ଶହ ଶହ ପିଲାଙ୍କୁ ବସାଇ ପାଠ ପଢାଇବାକୁ ପଡୁଛି । କାହାକୁ କିଭଳି ବସାଇବେ ଶିକ୍ଷକମାନେ ବି ଜାଣିପାରୁ ନାହାନ୍ତି ।
ଶିକ୍ଷାନୁଷ୍ଠାନ ଖୋଲିବା ପୂର୍ବରୁ ବିଭାଗୀୟ ମନ୍ତ୍ରୀଙ୍କ ଠାରୁ ଅଫିସରଙ୍କ୍‍ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ପରିଦର୍ଶନ କରି କରୋନା କଟକଣା ସଂକ୍ରାନ୍ତରେ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ । ହେଲେ ଏ ସଂକ୍ରାନ୍ତୀୟ ଖବର ଓ ଫଟୋ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବାପରେ ଆଉ କାହାର ହେଲେ ପାଦ ଶିକ୍ଷାନୁଷ୍ଠାନରେ ଥରୁଟିଏ ପଡୁନାହିଁ । ଫଳରେ ଅଧିକାଂଶ କଲେଜରେ ଏବେ କରୋନାକୁ ଫୁ କରିଦେଇଛନ୍ତି ।

ଉଲ୍ଲେଖନୀୟ ଯେ ସମଗ୍ର ରାଜ୍ୟରୁ ଏବେ ଦୈନିକ ଯେତିକି ନୂଆ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି ସେଥିରୁ ଅଧା କେବଳ ରାଜଧାନୀରୁ ବାହାରୁଛନ୍ତି । ସ୍ଥିତିର ଗମ୍ଭୀରତାକୁ ଦେଖି ରାଜଧାନୀରେ ଘରକୁ ଘର କରୋନା ଟେଷ୍ଟିଂ ହେଉଥିବାବେଳେ ଆଗାମୀ ଦିନରେ ଏହା ବଢିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଲେଣି । ଅନ୍ୟ ପକ୍ଷରେ ଧିରେ ଧିରେ ଥଣ୍ଡା ପଡୁଥିବା ଓ ଋତୁ ପରିବର୍ତ୍ତନ ହେଉଥିବାରୁ ଅଧିକାଂଶ ପିଲା ଏବେ ଥଣ୍ଡା ଓ ଜ୍ୱରରେ ପୀଡିତ ଥିବା ଲକ୍ଷ୍ୟ କରାଯାଉଛି । ଏଭଳି ସ୍ଥିତିରେ କଲେଜ ଗୁଡିକରେ ଯେଭଳି କରୋନା କଟକଣାକୁ ଅମାନ୍ୟ କରାଯାଉଛି ଓ ଏହା ଉପରେ କେହି ନଜର ରଖୁନାହାନ୍ତି ତାହା ଆଗାମୀ ଦିନ ପାଇଁ ମହାବିପଦକୁ ଡାକି ଆଣିବ ବୋଲି ଆଶଙ୍କା କରାଗଲାଣି ।

କେବଳ କଲେଜ ନୁହେଁ ବିଦ୍ୟାଳୟରେ ମଧ୍ୟ ଏବେ ନବମ ଦଶମ ଶ୍ରେଣୀ ସହିତ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଯୋଗ ଦେଇଛନ୍ତି । କଲେଜ ଭଳି ସେଠାରେ ମଧ୍ୟ ଆଉ କେହି ମାସ୍କ, ସାନିଟାଇଜର ଓ ଶାରୀରିକ ଦୂରତା ଉପରେ ଗୁରୁତ୍ୱ ଦେଉ ନାହାନ୍ତି । ତେଣୁ ଏଭଳି ସ୍ଥିତିରେ ବିଭାଗୀୟ ମନ୍ତ୍ରୀ, ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ନିୟମିତ ଭାବେ ଶିକ୍ଷାନୁଷ୍ଠାନ ପରିଦର୍ଶନ କରିବାକୁ ଅଭିଭାବକମାନେ ମତ ଦେଉଛନ୍ତି । ସେହିଭଳି ଶିକ୍ଷାନୁଷ୍ଠାନ ନିକଟରେ ଏବେ ବିନା କଟକଣାରେ ଏକାଧିକ ଦୋକାନୀ ପସରା ମେଲାଇ ବସିଥିବାରୁ ସେଠାରେ ମଧ୍ୟ ପିଲାଙ୍କ ନାହିଁ ନଥିବା ଭିଡ ଦେଖିବାକୁ ମିଳୁଛି । ତୁରନ୍ତ ଏ ଦିଗରେ ନଜର ଦିଆନଗଲେ ହଠାତ୍‍ ରାଜଧାନୀରେ ବସ୍ଫୋରଣ ସ୍ଥିତି ଉପୁଜିବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି ।