Odia News Portal

ବର୍ଷାକୁ ଖାତିର ନକରି ହଜାର ହଜାର ଛାତ୍ରଛାତ୍ରୀ ମିଶି ନବୀନ ନିବାସ ଘେରାଉ କରିବା ଲାଗି ବାହାରିଲେ

ଭୁବନେଶ୍ୱର: ଡି.ଇଏଲ୍‌. ଇଡି. ଶେଷବର୍ଷ ପରୀକ୍ଷା ଓ ଫଳ ପ୍ରକାଶନ ଅଗଷ୍ଟ ମାସ ମଧ୍ୟରେ ଶେଷ କରିବା ପାଇଁ ଜୁଲାଇ ୨୫ ସୁଦ୍ଧା ଘୋଷଣା ଦାବିରେ ସମଗ୍ର ରାଜ୍ୟର ଡି.ଇଏଲ୍‌. ଇଡି. ଛାତ୍ରଛାତ୍ରୀ ଆଜି ନବୀନ ନିବାସ ଘେରାଓ ପାଇଁ ନିଖିଳ ଓଡ଼ିଶା ଡି.ଇଏଲ୍‌. ଇଡି. ଛାତ୍ର ସଂଘ ପକ୍ଷରୁ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନଠାରେ ପ୍ରବଳ ବର୍ଷା ଭିତରେ ସମବେତ ହୋଇଛନ୍ତି । ସୂଚନାଯୋଗ୍ୟ ଯେ ଗତ ଜାନୁଆରୀ ୬ ତାରିଖରେ ଏନ୍‌.ସି.ଇ.ଆର.ଟି. ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ନଂ-୬୪ ବଳରେ ୩୦ ଜୁନ୍ ମଧ୍ୟରେ ଶିକ୍ଷକ ଶିକ୍ଷା ପ୍ରଶିକ୍ଷଣ ଶିକ୍ଷାଦାନ ଓ ଇଣ୍ଟଣ୍‌ର୍ଣସିପ୍ ଶେଷ କରି ବୋର୍ଡ ପରୀକ୍ଷା ଓ ଅଗଷ୍ଟରେ ଫଳ ପ୍ରକାଶ ପାଇଁ ନିର୍ଦ୍ଦେଶ ଥିଲା ।

ତଦନୁଯାୟୀ ଜୁନ୍ ୩୦ମଧ୍ୟରେ ଶିକ୍ଷକ ଶିକ୍ଷା ପ୍ରଶିକ୍ଷଣ ଓ ଇଣ୍ଟର୍ଣ୍ଣସିପ୍ ସଫଳତାର ସହ ଶେଷ କରାଯାଇଅଛି । ଆଶ୍ଚର୍ଯ୍ୟଜନକ ଭାବେ ୧୩ ଜୁଲାଇରେ ପୁଣି ୩ ମାସିଆ ଇଣ୍ଟର୍ଣ୍ଣସିପ୍ ପାଇଁ ଅଧ୍ୟୟନ ଶେଷ କରିଥିବା ଡି.ଇଏଲ୍‌. ଇଡି. ଛାତ୍ରଛାତ୍ରୀମାନଙ୍କୁ ବାଧ୍ୟ କରାଯାଇଛି । ଏହିପରି ପରିବର୍ଦ୍ଧିତ ଇଣ୍ଟର୍ଣ୍ଣସିପ୍ ଅକ୍ଟୋବର ୧୦ ତାରିଖରେ ଶେଷ ହେବା ଦ୍ୱାରା ପରୀକ୍ଷା ଓ ଫଳ ପ୍ରକାଶନ ଅହେତୁକ ଭାବେ ବିଳମ୍ବିତ ହେବ । ଯାହାଫଳରେ ୟୁଜିସି ନିର୍ଦ୍ଦେଶାବଳୀ ଅନୁସାରେ ଡିଗ୍ରୀ ଶ୍ରେଣୀରେ ନାମଲେଖା ପ୍ରକ୍ରିୟା ସେପ୍ଟେମ୍ବର ପହିଲାରୁ ଓ ନୂତନ ଶିକ୍ଷାବର୍ଷ ଅକ୍ଟୋବର ପହିଲାରୁ ଆରମ୍ଭ ହେବାକୁ ଥିବାରୁ ଏହି ଛାତ୍ରଛାତ୍ରୀ ସେଥିରୁ ବଞ୍ଚିତ ହେବେ ।

ଏହି ଉଦ୍‌ବେଗ ନେଇ ସମଗ୍ର ରାଜ୍ୟରେ ଡି.ଇଏଲ୍‌. ଇଡି.ର ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପକ୍ଷରୁ ସରକାରଙ୍କୁ ଦାବି ପତ୍ର ମାଧ୍ୟମରେ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ ସରକାର ଏହାକୁ କର୍ଣ୍ଣପାତ କରିନଥିଲେ । ବରଂ ଏହାର ପ୍ରତି ବଦଳରେ ଡି.ଇଏଲ୍‌. ଇଡି. ଅଧ୍ୟୟନ ଓ ଇଣ୍ଟର୍ଣ୍ଣସିପ୍ ଶେଷ କରିଥିବା ଛାତ୍ରଛାତ୍ରୀମାନେ ଘରକୁ ଘର ବୁଲି କୋମଳମତି ପ୍ରାଥମିକ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିବା ଏବଂ ଏହି ଛାତ୍ରଛାତ୍ରୀ କରୋନା ମହାମାରୀ ଦ୍ୱାରା ସଂକ୍ରମିତ ହେଲେ ସରକାର ଅଥବା ତାଙ୍କ ଶିକ୍ଷକ ଦାୟୀ ହେବେ ନାହିଁ ବୋଲି ଛାତ୍ରାଭିଭାବକଙ୍କ ନିକଟରୁ ମାନସିକ ଚାପ ପକାଇ ସ୍ୱାକ୍ଷର କରାଇ ନେଉଛନ୍ତି । ସରକାରଙ୍କ ଏତାଦୃଶ ପଦକ୍ଷେପକୁ ସଂଘ ପକ୍ଷରୁ ଦୃଢ ନିନ୍ଦା କରାଯାଇ ମାନବାଧିକାର କ୍ଷୂର୍ଣ୍ଣକାରୀ ଏଭଳି କୁକାର୍ଯ୍ୟରୁ ସରକାର ବିରତ ରହିବାକୁ ଦାବି କରାଯାଇଛି ।

ଏହି ନବୀନ ନିବାସ ଘେରାଓରେ ଅଖିଳ ଭାରତ ଛାତ୍ର ସଂଘ ସହବନ୍ଧିତ ନିଖିଳ ଓଡ଼ିଶା ଡି.ଇଏଲ୍‌. ଇଡି. ଛାତ୍ର ସଂଘର ରାଜ୍ୟ ସଭାପତି ଚନ୍ଦନ କୁମାର ବିଶ୍ୱାଳ, ଏଆଇଏସ୍‌ଏଫ୍ ରାଜ୍ୟ ସଭାପତି ସଂଘମିତ୍ରା ଜେନା, ସଂଘ ସମ୍ପାଦକ ମଳୟ ରଞ୍ଜନ ସ୍ୱାଇଁ, ଉପସଭାପତି ସରୋଜ ସାହୁ ଓ ଅଭିଜିତ୍ ସ୍ୱାଇଁ ପ୍ରମୁଖଙ୍କ ନେତଢ଼ୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାଶ ଏବଂ ବିଭାଗୀୟ ସଚିବଙ୍କଠାରେ ଦାବିପତ୍ର ଉପସ୍ଥାପନ କରି ଦାବି ଉପରେ ଆଲୋଚନା କରାଯାଇଥିଲା । ଏହି ଦାବିର ଯଥାର୍ଥତା ଉପଲବ୍ଧି କରି ବିଭାଗୀୟ ଜରୁରୀ ବୈଠକ ଆହ୍ୱାନ କରାଯାଇଥିବାର ସୂଚନା ଦେବା ସହ ଏକ ସପ୍ତାହ ମଧ୍ୟରେ ପରୀକ୍ଷା ତାରିଖ ଘୋଷଣା କରି ଉଚ୍ଚ ଶିକ୍ଷା ପାଇଁ ଆବେଦନ ପୂର୍ବରୁ ଫଳ ପ୍ରକାଶନ ପାଇଁ ଗୁରୁତ୍ୱ ଦେବେ ବୋଲି ସଚିବଙ୍କ ତରଫରୁ ଛାତ୍ରଛାତ୍ରୀମାନଙ୍କୁ ଆଶ୍ୱାସନା ଦିଆଯାଇଛି ।

ଏହି ଆନ୍ଦୋଳନରେ ରାଜ୍ୟର ସମସ୍ତ ଶିକ୍ଷକ ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନରୁ ଶହସ୍ରାଧିକ ଛାତ୍ରଛାତ୍ରୀ ଏଆଇଏସ୍‌ଏଫ୍‌ର କାହ୍ନୁ ଚରଣ ପରିଡ଼ା, ବିବେକ କୃଷ୍ଣ, ମନୋରଞ୍ଜନ ରାଉତ, ଅମରେଶ ପରିଡ଼ା, ସ୍ମୃତି ରଞ୍ଜନ ପଣ୍ଡା, ଯୁବ ନେତା ସିଦ୍ଧାର୍ଥ କର, ଛାଇ ସମ୍ପାଦକ ସତୀଶ ମିଶ୍ର, ଡି.ଇଏଲ୍‌. ଇଡି. ଛାତ୍ର ସଂଘର ପର୍ଶୁରାମ ବେହେରା, ଦୂତୀକୃଷ୍ଣ ବେହେରା, ସୁଦାମ ସ୍ୱାଇଁ, ବିଶ୍ୱ ବିଜୟୀ ଦେବୀ ପ୍ରସାଦ, ଦୀପ୍ତି ରଞ୍ଜନ ପାତ୍ର, ସଂଗ୍ରାମ କୁମାର ମିଶ୍ର, ଅନୁଶ୍ରୀ ରୀତାପଦ୍ମା ଓ ପୀତବାସ ସେଠୀ, ଅଶ୍ୱିନୀ କୁମାର ସାହୁ, ତ୍ରିନାଥ ବିଶି, ପ୍ରଦ୍ୟୁମ୍ନ ନାଏକ, ସୁଭମ ସ୍ୱାଗତିକା ଦଳାଇ, ପୁରୁଷୋତ୍ତମ ହରପାଲ୍‌, ଯୋଗେଶ୍ୱରୀ ମେହେର, ବୁଲୁ ତାଣ୍ଡି, ଦୀନେଶ ନାଏକ, ଓମ୍‌ପ୍ରକାଶ ନେତମ୍‌, ଶିବରାମ, ଚନ୍ଦ୍ରଶେଖର ଜେନା, ବିଜୟ ପଣ୍ଡା, ଦୀପକ ଦାସ, ସୁଭାଶିଷ ପ୍ରଧାନ ପ୍ରମୁଖ ନେତୃତ୍ୱ ନେଥିଲେ ।