Odia News Portal

ଦିଲ୍ଲୀ ରାସ୍ତାରେ ବାଇକ ଟ୍ୟାକ୍ସି ସେବା ଉପରେ ନିଷେଧାଦେଶ ଜାରି କଲା ଦିଲ୍ଲୀ ସରକାର

ଭଡ଼ା ବା ଅର୍ଥ ଗ୍ରହଣ କରି ବାଇକ୍‌ରେ ଯାତ୍ରୀ ପରିବହନ କରିବା ‘ମୋଟର୍‌ ଭେଇକ୍ଲ୍‌ ଆକ୍ଟ୍‌ ୧୯୮୮’ର ଉଲ୍ଲଂଘନ ବୋଲି ଦର୍ଶାଇ ଦିଲ୍ଲୀ ରାସ୍ତାରେ ପରିବହନ ବିଭାଗ ବ୍ୟାବସାୟିକ ବାଇକ୍‌ ଟ୍ୟାକ୍ସି ସେବା ଉପରେ ନିଷେଧାଦେଶ ଜାରି କରିଛି ବୋଲି ‘ଜି ନିଉଜ୍‌’ ରିପୋର୍ଟ କରିଛି।

ଏହି ଆଇନ ଉଲ୍ଲଂଘନ କଲେ ୧ ଲକ୍ଷ ଟଙ୍କା ଜରିମାନା ପଡ଼ିବ ବୋଲି ଉକ୍ତ ଆଇନରେ ଉଲ୍ଲେଖ ଅଛି। ଏହି ଆଇନ ଉଲ୍ଲଂଘନ କରି ପ୍ରଥମ ଥର ଧରାପଡ଼ିଲେ ଉଲ୍ଲଂଘନକାରୀଙ୍କୁ ୫୦୦୦ ଟଙ୍କା ଓ ଦ୍ବିତୀୟବାର ୧୦,୦୦୦ ଟଙ୍କା ଜରିମାନା ସହିତ ବର୍ଷେ କାରାଦଣ୍ଡାଦେଶ ହେବ ବୋଲି ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଜାରି ବିଜ୍ଞପ୍ତିରେ ପରିବହନ ବିଭାଗ ସତର୍କ କରାଇ ଦେଇଛି। ଏହାଛଡ଼ା, ଧରାପଡ଼ିଥିବା ଚାଳକ ମଧ୍ୟ ୩ ମାସ ପାଇଁ ତାଙ୍କ ଲାଇସେନ୍‌ସ୍‌ ହରାଇବେ।

ବିଜ୍ଞପ୍ତିରେ ଉଲ୍ଲେଖ ଅଛି, କେତେକ ‘ଆପ୍‌-ଭିତ୍ତିକ’ କମ୍ପାନି ୧୯୮୮ ଆଇନ ଉଲଂଘନ କରି ଆପଣାକୁ ବାଇକ୍‌ ଟ୍ୟାକ୍ସି ବ୍ୟବସ୍ଥାକାରୀ ବୋଲି ପରିଚୟ ଦେଉଛନ୍ତି। ଧରାପଡ଼ିଲେ ସେମାନଙ୍କୁ ୧ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିବ। ସୂଚନାଯୋଗ୍ୟ, ଚଳିତ ମାସ ପ୍ରାରମ୍ଭରେ ବାଇକ୍‌ ଟ୍ୟାକ୍ସି ବ୍ୟବସ୍ଥାକାରୀ ‘ରାପିଡୋ’ ସପକ୍ଷରେ ରାୟ ଦେବା ପାଇଁ ସୁପ୍ରିମ୍‌ କୋର୍ଟ ମନା କରି ଦେଇଥିଲେ। ମହାରାଷ୍ଟ୍ର ସରକାର ଲାଇସେନ୍‌ସ୍‌ ଦେବାକୁ ମନା କରିଦେବାରୁ ‘ରାପିଡୋ’ ସୁପ୍ରିମ୍‌ କୋର୍ଟରେ ଆବେଦନ କରିଥିଲା।

ଅଦାଲତ କହିଥିଲେ ଯେ, ୨୦୧୯ରେ ମୋଟୋର୍‌ ଭେଇକ୍ଲ୍‌ ଆକ୍ଟ୍‌ରେ ହୋଇଥିବା ସଂଶୋଧନ ସ୍ପଷ୍ଟ କରିଛି ଯେ, ବୈଧ୍ୟ ଲାଇସେନ୍‌ସ୍‌ ବିନା କୌଣସି ବ୍ୟବସ୍ଥାପକ ଯାନବାହନ ଚଳାଇ ପାରିବେ ନାହିଁ।