Odia News Portal

କୁସ୍ତିଯୋଦ୍ଧାଙ୍କ ଅଭିଯୋଗକୁ ନେଇ ଆକ୍ସନମୋଡରେ ଦିଲ୍ଲୀ ପୋଲିସ

ଭାରତୀୟ କୁସ୍ତି ସଂଘର ସଭାପତି ତଥା ବିଜେପି ନେତା ବ୍ରିଜଭୂଷଣଙ୍କ ବିରୋଧରେ ଆସିଥିବା ଯୌନ ଉତ୍ପୀଡନ ମାମଲାକୁ ନେଇ ଦିଲ୍ଲୀ ପୋଲିସ ଆକ୍ସନ ମୋଡକୁ ଆସିଛି । ଦିଲ୍ଲୀ ପୋଲିସର ଏକ ୧୨ ଜଣିଆ ଟିମ୍ ସୋମବାର ରାତିରେ ବ୍ରିଜଭୂଷଣଙ୍କ ଲକ୍ଷ୍ନୌ ଓ ଗୋଣ୍ଡା ସ୍ଥିତ ବାସଭବନରେ ପହଂଚି ୧୨ ଜଣଙ୍କର ବୟାନ ରେକର୍ଡ କରିଛି ।

ଦିଲ୍ଲୀ ପୋଲିସ ତରଫରୁ ବ୍ରିଜ ଭୂଷଣଙ୍କ ଘରେ କାମ କରୁଥିବା ଲୋକଙ୍କ ନାମ ଓ ଠିକଣା ନେଇ ସେମାନଙ୍କୁ ସାକ୍ଷୀ ଭାବେ ଯୋଗାଡ କରୁଛି । ବୟାନ ରେକର୍ଡ କରିବା ପରେ ଦିଲ୍ଲୀ ପୋଲିସ ପୁଣି ଦିଲ୍ଲୀ ଫେରି ଆସିଛି ।

କହିରଖୁ କି କୁସ୍ତିଯୋଦ୍ଧା ଭିନେଶ ଫୋଗାଟ, ସାକ୍ଷୀ ମଲ୍ଲିକ ଓ ବଜରଙ୍ଗ ପୁନିଆଙ୍କ ନେତୃତ୍ୱରେ କିଛି କୁସ୍ତିଯୋଦ୍ଧା କୁସ୍ତିସଂଘର ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜଭୂଷଣ ସିଂଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଆଣି ଧାରଣା ଦେଇଛନ୍ତି । ବ୍ରିଜଭୂଷଣଙ୍କ ବିରୋଧରେ ୭ ଜଣ କୁସ୍ତିଯୋଦ୍ଧା ଏପ୍ରିଲ ୨୧ ତାରିଖରେ ଥାନାରେ ଅଭିଯୋଗ ଦାଖଲ କରିଥିଲେ । ଏହି ଅଭିଯୋଗ ଆଧାରରେ ଏପ୍ରିଲ ୨୮ ତାରିଖରେ ଦିଲ୍ଲୀ ପୋଲିସ ବ୍ରିଜଭୂଷଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ।

ସେପଟେ ଶନିବାର ଦିନ ଧାରଣାରତ କୁସ୍ତିଯୋଦ୍ଧାଙ୍କ ନେତୃତ୍ୱ ନେଉଥିବା କିଛି ଖେଳାଳି ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ଭେଟିଥିଲେ । ଏହି ଭେଟଘାଟ ବେଳେ କୁସ୍ତିଯୋଦ୍ଧା ସାକ୍ଷୀ ମଲ୍ଲିକ ମଧ୍ୟ ସାମିଲ ଥିଲେ । ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷୀ ମଲ୍ଲିକ କହିଛନ୍ତି କି, ଗୃହମନ୍ତ୍ରୀଙ୍କ ସହ ଭେଟ ବେଳେ ସେମାନେ ବ୍ରିଜଭୂଷଣଙ୍କୁ ଗିରଫ କରାଯାଉ ବୋଲି ଦାବି କରିଥିଲେ । ହେଲେ ଏହି ଭେଟ ନିସ୍ଫଳ ହୋଇଥିବା କଥା ସାକ୍ଷୀ ମଲ୍ଲିକ କହିଛନ୍ତି ।