Odia News Portal

ଖତ ଖାଉଛି ଆମ୍ବ

ଧର୍ମଗଡ: ବଗିଚାରେ ଖତ ଖାଉଛି ଆମ୍ବ । ଲକଡାଉନ ପାଇଁ ହୋଇପାରୁନି ବିକ୍ରି । ଚିନ୍ତାରେ ଧର୍ମଗଡର ଆମ୍ବ ଚାଷୀ । କଳାହାଣ୍ଡି ଜିଲ୍ଲା ଧର୍ମଗଡ, ଜୁନାଗଡ , କୋକସରା, ଜୟପାଟଣା ଆଦି ଅଂଚଳରେ ଚାଷୀ ମାନେ ଆମ୍ବ ଅମଳ କରିଥିଲେ । ଏ ବର୍ଷ ଅଧିକା ଆମ୍ବ ଫଳି ଥିବାରୁ ଭଲ ଦି ପଇସା ରୋଜଗାର ଆଶା ରଖିଥିଲେ ଚାଷୀ । ହେଲେ ସବୁ ଆଶା ଭାଙ୍ଗିଦେଲା ମହାମାରୀ କରୋନା । ଲକଡାଉନ ଘୋଷଣା ହେବା ପରେ କୌଣସି ବ୍ୟବସାୟୀ ଆମ୍ବ କିଣିବା ପାଇଁ ଆସୁନଥିବା ବେଳେ ଚିନ୍ତାରେ ପଡି ଯାଇଛନ୍ତି ଆମ୍ବ ଚାଷୀ ।

ଏପଟେ ଲକଡାଉନ ଓ ସଟଡାଉନ ପାଇଁ ବାହାର ରାଜ୍ୟକୁ ଗାଡି ଚଳାଚଳ ହୋଇପାରୁନି । ପଡୋଶୀ ରାଜ୍ୟ ଛତିଶଗଡରୁ କୌଣସି ଆମ୍ବ ବ୍ୟବସାୟୀ ଆମ୍ବ କିଣିବାକୁ ଆସିପାରୁ ନଥିବା ଅଭିଯୋଗ ହେଉଛି । ଧର୍ମଗଡ ଅଂଚଳରେ ଆମ୍ବ କେଜି ୪ରୁ ୫ଟଙ୍କା ହୋଇଥିବା ବେଳେ ରାୟପୁର ଭିଲାଇକୁ ନେଇ ଆମ୍ବ ବିକ୍ରି କରୁଛନ୍ତି ଚାଷୀ । ଯାହାଦ୍ୱାରା ଚାଷୀ ଆର୍ଥିକ କ୍ଷତି ସହୁଛନ୍ତି । ସେପଟେ କଳାହାଣ୍ଡି ଜିଲ୍ଲାରେ ଏବର୍ଷ ୧୦ ହଜାର କ୍ୱିଟାଂଲରୁ ଅଧିକ ଆମ୍ବ ଅମଳ ହୋଇଥିବା ନେଇ କହିଛନ୍ତି ସହକାରୀ ଉଦ୍ୟାନ କୃଷି ନିର୍ଦେଶକ ସମ୍ବିତ କାଲୋ । କ୍ୱିଟାଂଲ କ୍ୱିଟାଂଲ ଆମ୍ବ ଖତ ହୋଇଯାଉଥିବା ବେଳେ ଜିଲ୍ଲାରେ ସରକାରଙ୍କ ପକ୍ଷରୁ ମଣ୍ଡିର ବ୍ୟବସ୍ଥା କରାଗଲେ ଆମ୍ବ ଚାଷୀମାନେ ଉପକୃତ ହେବେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।