Odia News Portal

‘ଗୁମତି’ କ୍ୟାବିନେଟକୁ ନେଇ ବଢିବ ସୁରକ୍ଷା, ରହିବ ଡବଲ ଲକ୍ ବ୍ୟବସ୍ଥା

ରେଳ ଷ୍ଟେସନରେ ଥିବା ‘ଗୁମ୍ତି’ ଅର୍ଥାତ ଟ୍ରେନକୁ ସିଗନାଲ ଦେବାପାଇଁ ଉପକରଣ ରହୁଥିବା କ୍ୟାବିନକୁ ଅଧିକ ସୁରକ୍ଷିତ ରଖାଯିବ । ଏଥିପାଇଁ ରେଳ ବିଭାଗ ଗୁରୁତ୍ୱ ଦେଇଛି । ସିଗନାଲରେ ସମସ୍ୟା ହୋଇଥିବାରୁ ବାହାନଗାରେ ଏକ ବଡ ଦୁର୍ଘଟଣା ଘଟିଲା ବୋଲି ପ୍ରାଥମିକ ତଦନ୍ତ ପରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ୱବ କହିଥିଲେ । ଏହାପରେ ‘ଗୁମତି’ ଗୁଡିକରେ ଡବଲ ଲକ ବ୍ୟବସ୍ଥା ରହିବ ବୋଲି ଜଣାପଡିଛି । ଏନେଇ ସମସ୍ତ ଜୋନକୁ ଚିଠି ଲେଖିଛନ୍ତି ରେଳବାଇ ସୁରକ୍ଷା ବୋର୍ଡର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତେଜ ପ୍ରକାଶ ଅଗ୍ରୱାଲ । ଏଥିରେ ବରିଷ୍ଠ ଅଧିକାରୀଙ୍କୁ ବାରମ୍ବାର ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

‘ଗୁମତି’ ସହ ରିଲେ-ରୁମ୍, ସିଗନାଲକୁ ନିୟନ୍ତ୍ରଣ କରୁଥିବା କଣ୍ଟ୍ରୋଲ ରୁମ୍ ଏବଂ ଇଣ୍ଟରଲିଙ୍କଙ୍ଗ୍ ସିଷ୍ଟମ ଉପରେ ସତର୍କ ନଜର ରଖିବାକୁ କୁହାଯାଇଛି । ରିଲେ ରୁମର ଗୋଟିଏ ଚାବି ଷ୍ଟେସନ ମାଷ୍ଟର ଏବଂ ଆଉଗୋଟିଏ ଚାବି ସିଗନାଲ ମେଂଟେନରଙ୍କ ପାଖରେ ରହିବ । ଏପରିକି ରିଲେ ରୁମ ଖୋଲିଲେ କିମ୍ବା ବନ୍ଦ ହେଲେ ବରିଷ୍ଠ ଅଧିକାରୀଙ୍କ ପାଖକୁ ମୋବାଇଲ ମେସେଜ ଜରିଆରେ ଆଲର୍ଟ ଆସିବାକୁ ବ୍ୟବସ୍ଥା ରହିବ । ଫଳରେ ସିଗନାଲ ବ୍ୟବସ୍ଥାରେ କେହି ଯେମିତି ବାଧା ଦେଇପାରିବେ ନାହିଁ । ତେବେ ଏହି ଗୁମତିରୁ କିଭଳି ଟ୍ରେନ ଗୁଡିକ ପରିଚାଳନା ହୁଏ ସେ ନେଇ ଭୁବନେଶ୍ୱର ଷ୍ଟେସନ ନିର୍ଦ୍ଦେଶକ ଧ୍ରୁବ ଚରଣ ପ୍ରଧାନଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ସୌମ୍ୟଜିତ ସିହ୍ନା ।