Odia News Portal

ଜୀବନ ସହ ସଂଘର୍ଷ କରୁଛି ଦନ୍ତା

କଟକ: ମୁଣ୍ଡଳୀ ବ୍ରିଜ୍ରେ ଫସି ଯାଇଛି ଦନ୍ତା ହାତୀ। ଆଠଗଡ଼ ବନଖଣ୍ଡ ଅଧୀନରେ ଆସୁଥିବା ମୁଣ୍ଡଳୀ ଅଞ୍ଚଳରେ ଶୁକ୍ରବାର ସକାଳେ ୧୮ ଟିକିଆ ହାତୀ ପଲ ନଦୀ ପାର ହେଉଥିବା ବେଳେ ମହାନଦୀର ବନ୍ୟାଜଳରେ ଭାସି ଆସିଥିଲେ। ତେବେ ଅନ୍ୟ ହାତୀମାନେ ରକ୍ଷା ପାଇ କୂଳକୁ ଯାଇଥିବା ବେଳେ ଏକ ଦନ୍ତା ହାତୀଟି ଡ୍ୟାମ୍ ନିକଟରେ ଫସି ଯାଇଛି। ୨ଟି ହାତୀ ଭାସିଭାସି ଅନନ୍ତପୁରଠାରେ ଲାଗିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଫସି ରହିଥିବା ହାତୀଟି ପ୍ରାୟ ୬ ଘଣ୍ଟା ଧରି ହାତୀଟି ବନ୍ୟାଜଳର ପ୍ରବଳ ସ୍ରୋତରେ ଫସି ରହିଥିଲେ ମଧ୍ୟ ତାକୁ ଉଦ୍ଧାର କରାଯାଇ ପାରିନାହିଁ। ପୁଲିସ, ବନ ବିଭାଗ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ହାତୀକୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିଲେ ଏହା ସମ୍ଭବ ହୋଇପାରୁନି। ଘଟଣାସ୍ଥଳରେ ପିସିସିଏଫ୍ ପହଞ୍ଚି ଉଦ୍ଧାର କାର୍ୟ୍ୟକୁ ଜୋରଦାର କରିଛନ୍ତି। ଚନ୍ଦକା ଡିଏଫ୍ଓଙ୍କ ସହିତ ୧୦ ଜଣିଆ ବିଶେଷଜ୍ଞ ଦଳ ମୁଣ୍ଡଳୀରେ ପହଞ୍ଚି ଉଦ୍ଧାର କାର୍ୟ୍ୟର ନେତୃତ୍ବ ନେଇଛନ୍ତି। ହାତୀକୁ ଉଦ୍ଧାର କରିବାକୁ ଓଡ୍ରାଫ୍ ଟିମ୍ର ସହାୟତା ନିଆଯାଇଛି।

ହାତୀ ଫସିଥିବା ଖବରପାଇ ମୁଣ୍ଡଳୀ ବ୍ରିଜ୍ରେ ହଜାର ହଜାର ଲୋକଙ୍କ ଭିଡ଼ ଜମିଛି। ସେପଟେ ହାତୀଟି ଏତେ ସମୟ ଧରି ପ୍ରବଳ ସ୍ରୋତ ବିରୋଧରେ ଜୀବନ ବଞ୍ଚାଇବାକୁ ସଂଘର୍ଷ ଜାରି ରଖିଛି। ତେବେ ସ୍ରୋତ ବିରୋଧରେ ହାତୀ ଲଢ଼େଇ ଜାରି ରଖିଥିବାରୁ ଧୀରେ ଧୀରେ ସେ ଦୁର୍ବଳ ରହିଛି। ହାତୀଟି ନିଜ ଉଦ୍ୟମରେ ଜୀବନ ବଞ୍ଚାବାକୁ ଚେଷ୍ଟା ଜାରି ରଖିଛି। ତେବେ ବ୍ରିଜ୍ ଉପରେ ଭିଡ଼ ଜମିଥିବାରୁ ଉଦ୍ଧାର କାର୍ୟ୍ୟ ସହଜ ହେଉନାହିଁ। ଉଦ୍ଧାର ପାଇଁ ବିଶେଷଜ୍ଞ ଟିମ୍ ଓ ଅତ୍ୟାଧୁନିକ ସାମଗ୍ରୀ ମଗାଯାଇଛି। ହାତୀ ଉପରୁ ବିପଦ ଟଳିନି।