Odia News Portal

ପିଆଜର ଅଭାବୀ ବିକ୍ରି; ୫୧୨ କେଜି ପିଆଜକୁ ମାତ୍ର ୨ ଟଙ୍କା

ଚାଷ କାମ ଯାହାର କି ଆନନ୍ଦ ତାହାର। ସମ୍ଭବତଃ ଏହି ଲୋକକଥାଟି ଭୁଲ ପ୍ରମାଣିତ ହେବାରେ ଲାଗିଛି। ଦେଶର ଚାଷୀମାନେ କେମିତି ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି, ସେକଥା ସମସ୍ତେ ଜାଣିଛନ୍ତି। ରାଜ୍ୟ ଠାରୁ ଆରମ୍ଭ କରି କେନ୍ଦ୍ର ସରକାର ଚାଷୀଙ୍କ କଥା ଚିନ୍ତା କରୁଥିବା କହୁଥିଲେ ହେଁ ସେମାନଙ୍କ ସମସ୍ୟାର ସମାଧାନ ହୋଇପାରୁନି। ଚାଷୀମାନେ ଆଜି ବି ଦୁର୍ଦ୍ଦିନରେ ଜୀବନ ବିତାଉଛନ୍ତି। ଅମଳ କରିଥିବା ନିଜ ଫସଲର ଉପଯୁକ୍ତ ଦାମ ମଧ୍ୟ ସେମାନଙ୍କୁ ମିଳୁନି। ଏହାର ଆଉ ଏକ ଜ୍ୱଳନ୍ତ ଉଦାହାରଣ ଏବେ ମହାରାଷ୍ଟ୍ରରୁ ଆସିଛି।

ଏଠାରେ ଜଣେ ଚାଷୀ ଦୀର୍ଘ ୭୦ କିମି ରାସ୍ତା ଅତିକ୍ରମ କରି ମଣ୍ଡିରେ ପହଞ୍ଚିଥିଲେ। ଏଥିସହ ୫୧୨ କେଜି ପିଆଜ ବିକ୍ରି କରିଥିଲେ। ହେଲେ ତାଙ୍କ ଖର୍ଚ୍ଚ କାଟ କରିବା ପରେ ତାଙ୍କୁ ମିଳିଛି ମାତ୍ର ୨ ଟଙ୍କା ୪୯ ପଇସାର ଲାଭ। ଏହି ଟଙ୍କା ମଧ୍ୟ ତାଙ୍କୁ ଏବେ ମିଳିବ ନାହିଁ। ମାର୍ଚ୍ଚ ୮ ତାରିଖରେ ସେ ବ୍ୟାଙ୍କରୁ ମାତ୍ର ୨ ଟଙ୍କା ପାଇବେ।

କାରଣ ମଣ୍ଡି ପକ୍ଷରୁ ତାଙ୍କୁ ଗୋଟିଏ ପୋଷ୍ଟ ଡେଟେଡ୍‌ ଚେକ୍‌ ଦେଇଛନ୍ତି। ବ୍ୟାଙ୍କ ରାଉଣ୍ଡ ଫିଗରରେ କାରବାର କରୁଥିବାରୁ ଚାଷୀଙ୍କୁ ୨ ଟଙ୍କା ୪୯ ପଇସା ବଦଳରେ ୨ ଟଙ୍କା ହିଁ ମିଳିବ। ଏପରି ଚେକ୍‌ ଦେଖି ପିଆଜ ବିକ୍ରି କରିବାକୁ ଯାଇଥିବା ଚାଷୀଙ୍କ ହୋସ ଉଡ଼ିଯାଇଛି।

ଏପରି ଏକ ଅଜବ ସ୍ଥିତିର ସମ୍ମୁଖୀନ ହୋଇଥିବା ଚାଷୀ ଜଣଙ୍କ ହେଲେ ମହାରାଷ୍ଟ୍ରର ସୋଲାପୁର ଜିଲ୍ଲା ଅନ୍ତର୍ଗତ ବାର୍ସି ତାଲୁକାର ବୋରଗାଓଁ ଗାଁର ରାଜେନ୍ଦ୍ର ତୁକାରାମ ଚୌହାନ। ସେ ଚଳିତ ବର୍ଷ ୫୧୨ କେଜି ଅର୍ଥାତ ୧୦ ବସ୍ତା ପିଆଜ ଅମଳ କରିଥିଲେ। ଏହାକୁ ବିକ୍ରି କରିବା ପାଇଁ ସେ ‌୭୦ କିମି ରାସ୍ତା ଅତିକ୍ରମ କରି ସୋଲାପୁର ଏପିଏମ୍‌ସିରେ ପହଞ୍ଚିଥିଲେ।