Odia News Portal

ତାଲିବାନରେ ଜାରିହେଲା ଫତୱା

କାବୁଲ: ତାଲିବାନ ଆତଙ୍କି ଗୋଷ୍ଠୀ ଆଫଗାନିସ୍ତାନରେ ସରକାର ଗଠନ ଘୋଷଣା କରିବାର ଦିନକ ପରେ ନିଜର କଠୋର ଶାସନ ଆରମ୍ଭ କରିଦେଇଛନ୍ତି। ତାଲିବାନର ଆତଙ୍କରାଜ ସହିତ ପାକିସ୍ତାନୀ ଆତଙ୍କି ଗୋଷ୍ଠୀ ଏବଂ ପାକ ସୈନ୍ୟମାନେ ଆଫଗାନିସ୍ତାନରେ ଉପସ୍ଥିତ ରହି ପଞ୍ଜଶିରରେ ଲଢେଇ କରିବା ଏବଂ ତାଲିବାନକୁ ସହଯୋଗ କରିବା ଘଟଣାକୁ ଆଫଗାନ ଜନସାଧାରଣ ଦୃଢ ବିରୋଧ କରୁଛନ୍ତି। ଦେଶର ଅନେକ ସ୍ଥାନରେ ଶତାଧିକ ମହିଳାଙ୍କ ସମେତ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇ ବିରୋଧ ଓ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ତାଲିବାନ ଆତଙ୍କିମାନେ ସେମାନଙ୍କୁ ଚାବୁକରେ ମାରିବା ଏବଂ ଗୁଳିଚଳାଇ ଦମନ କରୁଛନ୍ତି। ତାହାସହିତ ଏଭଳି ବିରୋଧ ଓ ବିକ୍ଷୋଭ ବିରୋଧରେ ତାଲିବାନ ପକ୍ଷରୁ ଫତୱା ଜାରି କରାଯାଇଛି। ସୁରକ୍ଷା ଓ ନ୍ୟାୟ ବିଭାଗ ସହିତ ଯୋଗାଯୋଗ ନକରି ଦେଶରେ ବିରୋଧ, ବିକ୍ଷୋଭ କରାଯାଇପାରିବ ନାହିଁ ବୋଲି ଏଥିରେ କୁହାଯାଇଛି। ତୋଲୋ ନ୍ୟୁଜ ସୂତ୍ରରୁ ଜଣାଯାଇଛି ଯେ କେଉଁମାନେ କି ଉଦ୍ଦେଶ୍ୟ ନେଇ ବିରୋଧ ବିକ୍ଷୋଭ କରିବେ ତାହାର ୨୪ ଘଣ୍ଟା ପୂର୍ବରୁ ତାଲିବାନର ସୁରକ୍ଷା ଓ ନ୍ୟାୟ ବିଭାଗକୁ ଜଣାଇବେ।