Odia News Portal

ଆସିଲା ଫେବୃଆରୀ ଗାଇଡଲାଇନ୍‌

ଭୁବନେଶ୍ୱର: ଆସିଲା ଫେବୃଆରୀ ମାସ ଲାଗି କରୋନା ଗାଇଡଲାଇନ୍‌ । ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ପକ୍ଷରୁ ଫେବୃଆରୀ ମାସ ପାଇଁ ଗାଇଡଲାଇନ୍‌ ଜାରି କରାଯାଇଛି । ସିନେମା ହଲ ଓ ଥ୍ରୀଏଟର ମାଲିକ ଓ କଳାକାରଙ୍କ ପାଇଁ ଖୁସିର ଖବର ଆଣି ଦେଇଛି ଏହି ଗାଇଡଲାଇନ୍‌ । ଫେବୃଆରୀ ମାସରେ ସିନେମା ହଲ ଓ ଥ୍ରୀଏଟର ଖୋଲିବାକୁ ପୂର୍ଣ୍ଣ ଅନୁମତି ମିଳିଛି । ପୂର୍ବ ଗାଇଡଲାଇନ୍‌ରେ ୫୦ ପ୍ରତିଶତ ଲୋକଙ୍କୁ ନେଇ ଖୋଲିବାକୁ ଅନୁମତି ଦେଇଥିଲେ ରାଜ୍ୟ ସରକାର ।

ଗାଇଡଲାଇନ୍‌ ଅନୁସାରେ, କଣ୍ଟେନମେଣ୍ଟ ଜୋନ୍ ବାହାରେ ସମସ୍ତ କାର୍ଯ୍ୟକୁ ଅନୁମତି ଦିଆଯାଇଛି । ସ୍ଥିତି ଦେଖି କଣ୍ଟେନମେଣ୍ଟ ଜୋନ୍ ସ୍ଥିର କରିବ ଜିଲ୍ଲା ପ୍ରଶାସନ । ସାମାଜିକ, ସାଂସ୍କୃତିକ, ରାଜନୀତିକ, ଖେଳ, ଶୈକ୍ଷିକ କାର୍ଯ୍ୟକ୍ରମରେ ସର୍ବାଧିକ ୫୦୦ ଲୋକ ସାମିଲ୍ ହୋଇପାରିବ । କାର୍ଯ୍ୟକ୍ରମ ହେଉଥିବା ହଲ କ୍ଷମତାର ୫୦ ପ୍ରତିଶତ ଲୋକଙ୍କୁ ସାମିଲ୍ ଲାଗି ଅନୁମତି ମିଳିଛି । ସାମାଜିକ ଦୂରତା ରକ୍ଷା, ଥର୍ମାଲ୍ ସ୍କାନିଂ, ହ୍ୟାଣ୍ଡ ୱାଶିଂକୁ ଗୁରୁତ୍ୱ ଦିଆଯାଇଛି ।ତେବେ ଉପରୋକ୍ତ କାର୍ଯ୍ୟକ୍ରମ ପାଇଁ ନେବାକୁ ପଡ଼ିବ ଜିଲ୍ଲା ପ୍ରଶାସନର ଅନୁମତି । ବଡ ସମାବେଶ ଉପରେ ରୋକ ଲଗାଯାଇଛି । କିନ୍ତୁ ସାମାଜିକ ଓ ଧାର୍ମିକ କାର୍ଯ୍ୟକ୍ରମ ପାଇଁ ଉପସ୍ଥିତ ଥିବା ଲୋକଙ୍କ ସଂଖ୍ୟାକୁ ବୃଦ୍ଧି କରାଯାଇଛି । ସେହିପରି ସିନେମା ହଲ ଓ ଥ୍ରୀଏଟରକୁ ପୂର୍ଣ୍ଣ ଅନୁମତି ମିଳିଥିବା ବେଳେ ଯାତ୍ରା ପରିବେଶଣକୁ ମଧ୍ୟ ଗ୍ରୀନ୍‌ ସିଗ୍‌ନାଲ ଦେଇଛନ୍ତି ରାଜ୍ୟ ସରକାର ।

ଅନ୍ୟପଟେ ଫେବୃଆରୀ ପହିଲାରୁ ରାଜ୍ୟର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର କାର୍ଯ୍ୟକ୍ଷମ କରିବା ନେଇ ଅନୁମତି ଦିଆଯାଇଛି । ଧର୍ମାନୁଷ୍ଠାନ ଖୋଲିବା ନେଇ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବ । ଏସଓପି ଅନୁସାରେ ପ୍ରେକ୍ଷାଳୟ ଚାଲିବ । ମୁକ୍ତାକାଶ ରଙ୍ଗମଞ୍ଚ, ଯାତ୍ରା ଆଦି ନେଇ ସ୍ଥାନୀୟ କର୍ତ୍ତୃପକ୍ଷ ଅନୁମତି ଦେବେ । ସବୁଠି କୋଭିଡ୍ ଗାଇଡଲାଇନ୍ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।