Odia News Portal

‘ଗୁଗଲ’ ଅଫିସକୁ ବୋମା ଧମକ: ହାଇଦ୍ରାବାଦରୁ ଧରା ହେଲେ ଆସାମୀ

ଗୁଗଲ ଅଫିସ୍ ପରିସରରେ ବୋମା ଅଛି ବୋଲି ଫୋନ୍ କଲ୍ ମିଳିବା ପରେ ରବିବାର ରାତିରେ ମହାରାଷ୍ଟ୍ରର ପୁଣେ ସହରରେ ଥିବା ‘ଗୁଗଲ୍’ କମ୍ପାନିର ଅଫିସ୍‌ରେ ପୁଣେ ପୁଲିସ ଟିମ୍ ଓ ‘ବମ୍ ଡିଟେକ୍ସନ୍ ଆଣ୍ଡ୍ ଡିସ୍ପୋଜାଲ୍ ସ୍କ୍ବାଡ୍’ (ବିଡିଡିଏସ୍) କାର୍ଯ୍ୟରେ ଲାଗିପଡ଼ିଥିଲେ।
ଆଜି ସକାଳେ ଉକ୍ତ ଘଟଣା ସଂକ୍ରାନ୍ତରେ ସୂଚନା ଦେଇ ପୁଲିସ ଅଧିକାରୀମାନେ କହିଛନ୍ତି ଯେ, ବୋମା ଅଛି ବୋଲି ଯେଉଁ ଫୋନ୍ କଲ୍ ଆସିଥିଲା ତାହା ମିଥ୍ୟା ଧମକ। ଫୋନ୍ କରିଥିବା ବ୍ୟକ୍ତିଜଣକ ନିଶାସକ୍ତ ଅବସ୍ଥାରେ ଥିଲେ। ଏଭଳି ମିଛ ଫୋନ୍ କଲ୍ କରିଥିବାରୁ ସେ ବ୍ୟକ୍ତିଙ୍କୁ ହାଇଦ୍ରାବାଦରେ ଅଟକ ରଖାଯାଇଥିଲା।
ପୁଣେ ପୁଲିସ କହିବା ଅନୁସାରେ, ରବିବାର ରାତି ପ୍ରାୟ ୧୧ଟା ବେଳେ ସେମାନେ ମୁମ୍ବାଇସ୍ଥିତ ‘ଗୁଗଲ୍’ ଅଫିସ୍ରୁ ଉକ୍ତ କଲ୍ ବିଷୟରେ ସୂଚନା ପାଇଥିଲେ। ତୁରନ୍ତ ପୁଲିସ୍ ଟିମ୍ ଓ ବୋମା ନିଷ୍କ୍ରିୟକାରୀ ଟିମ୍ ପହଞ୍ଚି ସମଗ୍ର କୋରେଗାଓଁ ପାର୍କରେ ଅବସ୍ଥିତ ‘ଗୁଗୁଲ୍’ ଅଫିସ୍ ତଲାସ କରିଥିଲେ। କିନ୍ତୁ, ସେମାନଙ୍କୁ କୌଣସି ସନ୍ଦିଗ୍ଧ ଜିନିଷ ମିଳି ନ ଥିଲା। ଏହାପରେ ସମ୍ପୃକ୍ତ କର୍ତ୍ତୃପକ୍ଷ ମୁମ୍ବାଇ ସହରରେ ଥିବା ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ୍ ଥାନାରେ ଅଭିଯୋଗ କରିଥିଲେ।
ଚିହ୍ନଟ କରାଯାଇଥିବା ସନ୍ଦିଗ୍ଧଜଣକ ତେଲେଙ୍ଗାନା ରାଜ୍ୟର ହାଇଦ୍ରାବାଦବାସୀ। ଜାଗାବାଡ଼ି ଲାଗି ଭାଇଙ୍କ ସହିତ ବିବାଦ କରିବା ପରେ ଅଭିଯୁକ୍ତ ମିଥ୍ୟା ବୋମା ଧମକ ଦେଇଥିଲେ। କାରଣ, ତାଙ୍କ ଭାଇ ପୁଣେସ୍ଥିତ ‘ଗୁଗଲ୍’ ଅଫିସ୍ରେ ଚାକିରି କରନ୍ତି। କିନ୍ତୁ, ସେ ପୁଣେ ପରିବର୍ତ୍ତେ ମୁମ୍ବାଇ ‘ଗୁଗଲ୍’ ଅଫିସ୍କୁ ଫୋନ୍ କରି ବୋମା କଥା କହିଥିଲେ ବୋଲି ପୁଣେ ‘ଡିସିପି’ (କ୍ରାଇମ୍) ଅମୋଲ୍ ଜେନ୍ଦେ କହିଛନ୍ତି।
ଏହି ଘଟଣାରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଛି ବୋଲି ପୁଲିସ ସୂଚନା ଦେଇଛି।