Odia News Portal

ବାଣୀବିହାର କ୍ୟାମ୍ପସରେ ଛାତ୍ର ଅଶାନ୍ତି

ଭୁବନେଶ୍ୱର: ବାଣୀବିହାରରେ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ଘଟଣାରେ ପୋଲିସ କମିସନରଙ୍କୁ ଭେଟିଛନ୍ତି କୁଳପତି । ପ୍ରଫେସର ସବିତା ଆଚାର୍ଯ୍ୟ ପୋଲିସ କମିସନରଙ୍କୁ ଭେଟି ବାଣୀବିହାରରେ ଅଶାନ୍ତ ପରିସ୍ଥିତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି । ସେପଟେ କୁଳପତିଙ୍କ ଅଫିସ ଆଗରେ ଧାରଣାରେ ବସିଛନ୍ତି ଅଶାନ୍ତ ଛାତ୍ର । ଗତକାଲି ରାତିରେ ଗଣ୍ଡଗୋଳ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବିରେ କୁଳପତିଙ୍କ ଅଫିସ ଆଗରେ ଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ ।

ସୂଚନାନୁଯାୟୀ, ଗତକାଲି ବାଣୀବିହାର କ୍ୟାମ୍ପସ୍ ଖୋଲୁ ଖୋଲୁ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ପ୍ରତିବାଦରେ ଗୋପବନ୍ଧୁ ଛାତ୍ରାବାସ ଆଗରେ ଛାତ୍ରମାନେ ଧାରଣା ଦେଇଥିଲେ । ହଷ୍ଟେଲରେ ନିମ୍ନମାନର ଖାଦ୍ୟ ଓ ବିଭିନ୍ନ ଅବ୍ୟବସ୍ଥାକୁ ନେଇ କିଛି ଛାତ୍ର ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଭେଟିବାକୁ ଯାଉଥିଲେ । ଅନ୍ୟ ଏକ ଛାତ୍ର ଗୋଷ୍ଠୀ ଏହାର ପ୍ରତିବାଦ କରିଥିଲେ ଏବଂ ଏହାକୁ ନେଇ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା ।

ହଷ୍ଟେଲର ଥିବା ବିଭିନ୍ନ ସମସ୍ୟା ସମାଧାନ କରିବାକୁ ଛାତ୍ରମାନେ ଦାବି କରିଛନ୍ତି। ସୂଚନା ପାଇ ପିଜି କାଉନସିଲ ଚେୟାରମ୍ୟାନ ବସନ୍ତ ମଲ୍ଲିକ, ଜୋନ ଏସିପି ଅନୀଲ କୁମାର ମିଶ୍ର ଓ ସହିଦନଗର ଥାନା ଅଧିକାରୀ ପହଞ୍ଚି ଛାତ୍ରଙ୍କୁ ବୁଝାସୁଝା କରିଥିଲେ। ଚାପା ଉତ୍ତେଜନା ଲାଗି ରହିଥିବାରୁ ବାଣୀବିହାରରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ତେବେ ବର୍ତ୍ତମାନ ଦୁଇପକ୍ଷ ଛାତ୍ର ଗୋଷ୍ଠୀଙ୍କୁ ବୁଝାଉଛନ୍ତି ଅଧ୍ୟାପକ।