Odia News Portal

ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଗରମ ପିଠା ପାତିଆରେ ଚେଙ୍କ ଦେଲା ସ୍ୱାମୀ

ଗଞ୍ଜାମ: ପ୍ରେମ ବିବାହ କରିଥିଲେ । ତଥାପି ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରିଛି ସ୍ୱାମୀ । ଗାଁର ଜଣେ ଯବୁକଙ୍କ ସହ କଥା ହେଉଥିବାରୁ ଗରମ ପିଠା ପାତିଆରେ ଚେଙ୍କ ଦେଲା ସ୍ୱାମୀ । ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଲମ୍ବେଇ ଗାଁରୁ ଆସିଛି ଏଭଳି ଅଶୋଭନୀୟ ଘଟଣା । ଅଭିଯୁକ୍ତ ସ୍ୱାମୀ ସନ୍ତୋଷ ମୂଳୀକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗତ ୧୦ ତାରିଖରେ ଅଭିଯୋଗ ହେବା ପରେ ପୋଲିସ ଗିରଫ କରିଥିବା ସୂଚନା ମିଳିଛି ।

ସନ୍ତୋଷ ସେହି ଗ୍ରାମର ଲତାଙ୍କୁ ୨୦୧୬ ମସିହାରେ ପ୍ରେମ ବିବାହ କରିଥିଲେ । ସେମାନଙ୍କ ସଂସାର ବେଶ ହସ ଖୁସିରେ ଚଳୁଥିଲା । ଉଭୟଙ୍କର ୨ଟି ସନ୍ତାନ ମଧ୍ୟ ଅଛନ୍ତି । ସନ୍ତୋଷ ମଜୁରୀ କାମ କରି ପରିବାର ଚଳାନ୍ତି । ତେବେ ସେ କାମ ସାରି ଘରକୁ ଫେରୁଥିବା ବେଳେ ଲତା ସେହି ଗ୍ରାମର ଜଣେ ଯୁବକଙ୍କ ସହ କଥା ହେଉଥିଲେ । ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ନିଆଁରେ ପିଠା ପାତିଆକୁ ଗରମ କରି ଚେଙ୍କ ଦେଇଥିଲେ ସନ୍ତୋଷ । ଏନେଇ ଥାନାରେ ଅଭିଯୋଗ କରିବା ପରେ ତାଙ୍କୁ ପୋଲିସ ଗିରଫ କରିଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଆରମ୍ଭ ହୋଇଛି ।