Odia News Portal

ମହିଳା ବିଶ୍ୱକପ ଟି -୨୦ : ଭାରତ ପାକିସ୍ତାନ ମୁକାବିଲାରେ ଖେଳିବେନି ଆହାତ ମନ୍ଧାନା

ଦକ୍ଷିଣ ଆଫ୍ରିକାରେ ଚାଲିଥିବା ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ରବିବାର ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ। ଉଭୟ ଦଳ ଏହି ମ୍ୟାଚ୍ ଖେଳି ବିଶ୍ବକପ୍ ଅଭିଯାନ ଆରମ୍ଭ କରିବେ। ଆଇସିସି ଟ୍ରଫି ଜିତିବା ପାଇଁ ଦୀର୍ଘ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇବା ଲକ୍ଷ୍ୟରେ ଭାରତ ରହିଥିଲା ବେଳେ ପାକିସ୍ତାନକୁ ପରାସ୍ତ କରି ବିଜୟରୁ ଅଭିଯାନ ଆରମ୍ଭ କରିବୁ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଅଧିନାୟିକା ହର୍ମନପ୍ରୀତ୍ କୌର। ସାଧାରଣତଃ ଭାରତ-ପାକ୍ ମୁକାବିଲା ସବୁବେଳେ ଉତ୍କଣ୍ଠା ସୃଷ୍ଟି କରିଥାଏ। ଗତ ୫ ବର୍ଷ ଧରି ଭାରତ ସ୍ଥିର ପ୍ରଦର୍ଶନ ଜରିଆରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଭଳି ଦଳକୁ କଡ଼ା ଚ୍ୟାଲେଞ୍ଜ୍ ଦେଉଥିଲା ବେଳେ ପାକିସ୍ତାନରେ ମହିଳା କ୍ରିକେଟ୍ କିନ୍ତୁ ଏବେ ସ୍ଥାଣୁ ଅବସ୍ଥାରେ ରହିଛି। ଏହି ଦୃଷ୍ଟିରୁ ପାକିସ୍ତାନ ତୁଳନାରେ ଭାରତ ଶକ୍ତିଶାଳୀ ମନେ ହେଉଥିଲା ବେଳେ ପାକିସ୍ତାନ କିନ୍ତୁ ଗତବର୍ଷ ଏସିଆ କପ୍ରେ ଶେଷ ଥର ପାଇଁ ଭେଟିଥିବା ଭାରତକୁ ପରାସ୍ତ କରିଥିଲା। ଏହାସତ୍ତ୍ବେ ଭାରତ ପୁଣି ଥରେ ଆଇସିସି ପ୍ରତିଯୋଗିତାର ସେମିଫାଇନାଲ୍ରେ ପହଞ୍ଚିବାର ଲକ୍ଷ୍ୟ ରଖିଛି। ହେଲେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ପରାସ୍ତ କରିନପାରିଲେ ଏହି ଆଶା ଅପୂରଣୀୟ ରହିଯିବ।
ଏବେ ଟ୍ବେଣ୍ଟି-୨୦ ବିଶ୍ବକପ୍କୁ ଯିବା ପୂର୍ବରୁ ଭାରତ ଦକ୍ଷିଣ ଆଫ୍ରିକାଠୁ ତ୍ରିରାଷ୍ଟ୍ରୀୟ ଶୃଙ୍ଖଳା ଫାଇନାଲ୍ରେ ହାରିଥିଲା। ପୁଣି ଚଳିତ ବିଶ୍ବକପ୍ ୱାମ୍ ଅପ୍ ମ୍ୟାଚ୍ରେ ଅଷ୍ଟ୍ରେଲିଆଠୁ ହାରିଥିଲା ବେଳେ ବାଂଲାଦେଶକୁ ପରାସ୍ତ କରିଥିଲା। ଚଳିତ ବିଶ୍ବକପ୍ରେ ଅଧିନାୟିକା ହର୍ମନପ୍ରୀତ୍ କୌର ଏବଂ ଓପ୍ନର ସ୍ମୃତି ମନ୍ଧାନା ଆହତ ତାଲିକାରେ ରହିଛନ୍ତି। ହର୍ମନପ୍ରୀତ୍ଙ୍କ କାନ୍ଧରେ ଆଘାତ ପାଇଥିଲା ବେଳେ ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ ଖେଳିବା ନେଇ ଆଶଙ୍କା ରହିଛି। କିନ୍ତୁ ଆଙ୍ଗୁଠି ଆଘାତପ୍ରାପ୍ତ ମନ୍ଧାନା ଏହି ମ୍ୟାଚ୍ରୁ ବଞ୍ଚିତ ରହିବେ। ଅଷ୍ଟ୍ରେଲିଆ ବିପକ୍ଷ ୱାର୍ମ ଅପ୍ ବେଳେ ସେ ଆହତ ହୋଇଥିଲେ। ସଂପୂର୍ଣ୍ଣ ମୁକୁଳି ନଥିବାରୁ ପ୍ରଥମ ମ୍ୟାଚ୍ରୁ ବାଦ୍ ପଡ଼ିଛନ୍ତି। ପୂରା ବିଶ୍ବକପ୍ରେ ଖେଳିପାରିବେ କି ନାହିଁ ତାହା ପରେ ଦଳ ନିଷ୍ପତ୍ତି ନେବ। ମନ୍ଧାନାଙ୍କ ଅନୁପସ୍ଥିତି ଭାରତ ପାଇଁ ଶକ୍ତ ଝଟ୍କା। ଏପରିସ୍ଥଳେ ଜେମିମା ରଦ୍ରିଗ୍ବେଜଙ୍କ ଉପରେ ଅଧିକ ଚାପ ରହିବ। ବ୍ୟାଟିଂରେ ଶେଫାଳି ବର୍ମାଙ୍କୁ ମଧ୍ୟ ଦାୟିତ୍ବପୂର୍ଣ୍ଣ ପ୍ରଦର୍ଶନ ଦେବାକୁ ହେବ। ରିଚା ଘୋଷ ତାଙ୍କ ପ୍ରଦର୍ଶନ ଜାରି ରଖିପାରିଲେ ଭାରତ ରନ୍ ବାହାର କରିପାରିବ। ବୋଲିଂରେ ରେଣୁକା ସିଂହ, ଶିଖା ପାଣ୍ଡେ ଏବଂ ଅଲ୍ରାଉଣ୍ଡର ଦୀପ୍ତି ଶର୍ମା ଓ ପୂଜା ବସ୍ତ୍ରକାରଙ୍କ ଉପରେ ଦଳ ଅଧିକ ନିର୍ଭର କରିବ।