Odia News Portal

ମହିଳା ବିଶ୍ବକପ୍ ଟି-୨୦ : ପାକିସ୍ତାନକୁ ୭ ୱିକେଟ୍‌ରେ ହରାଇଲା ଭାରତ

ହର୍ମନପ୍ରୀତ୍‌ କୌରଙ୍କ ଭାରତୀୟ ଦଳ ଚଳିତ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଚମତ୍କାର ବିଜୟରୁ ଅଭିଯାନ ଆରମ୍ଭ କରିଛି। ରବିବାର ନିଜର ପ୍ରଥମ ମ୍ୟାଚ୍‌ରେ ଜେମିମା ରଡ୍ରିଗ୍ବେଜ ଓ ରିଚା ଘୋଷଙ୍କ ଅବିଭାଜିତ ୫୮ ରନ୍‌ର ଭାଗୀଦାରି ବଳରେ ଭାରତ ୭ ୱିକେଟ୍‌ରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ପରାସ୍ତ କରିଛି। ପାକିସ୍ତାନ ଛାଡ଼ିଥିବା ୧୫୦ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଭାରତ ଗୋଟିଏ ଓଭର ପୂର୍ବରୁ ୩ ୱିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ରଦ୍ରିଗ୍ବେଜ (୫୩*, ୩୮ ବଲ୍‌, ୮ ଚୌକା) ଏବଂ ରିଚା ୩୧* (୨୦ ବଲ୍‌, ୫ ଚୌକା) ଅପରାଜିତ ରହି ଭାରତକୁ ଗୋଟିଏ ଓଭର ପୂର୍ବରୁ ମହତ୍ବପୂର୍ଣ୍ଣ ବିଜୟ ଭେଟି ଦେଇଥିଲେ। ଶେଫାଳି ବର୍ମା ୩୩ (୨୫ ବଲ୍‌, ୪ ଚୌକା) ମଧ୍ୟ ଉପଯୋଗୀ ପାଳି ଖେଳିଥିଲେ। ମହିଳା ବିଶ୍ବକପ୍‌ରେ ଭାରତର ଏହା ସର୍ବୋଚ୍ଚ ସଫଳ ପଶ୍ଚାତଧାବନ ବିଜୟ ହୋଇଥିବା ବେଳେ ବିଶ୍ବକପ୍‌ ଇତିହାସରେ ଦ୍ବିତୀୟ ସର୍ବୋଚ୍ଚ। ଅପରାଜିତ ଅର୍ଦ୍ଧଶତକ ପାଳି ଖେଳି ଦଳ ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିବା ଜେମିମା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ପାକିସ୍ତାନ ୪ ୱିକେଟ୍‌ ହରାଇ ୧୪୯ ରନ୍‌ କରିଥିଲା। ଅଧିନାୟିକା ବିସ୍‌ମା ମାରୁଫ (୬୮*, ୫୫ ବଲ୍‌, ୭ ଚୌକା)ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ଆୟେଶା ନସିମ (୪୩*, ୨୫ ବଲ୍‌, ୨ ଚୌକା, ୨ ଛକା)ଙ୍କ ବିସ୍ଫୋରକ ବ୍ୟାଟିଂ ସାଙ୍ଗକୁ ଅବିଭାଜିତ ପଞ୍ଚମ ୱିକେଟ୍‌ରେ ୮୧ ରନ୍‌ର ଭାଗୀଦାରି ହିଁ ଦଳକୁ ୧୫୦ ପାଖରେ ପହଞ୍ଚାଇ ଦେଇଥିଲା। ଭାରତ ପକ୍ଷରୁ ରାଧା ଯାଦବ ୨ ଏବଂ ଦୀପ୍ତି ଶର୍ମା ଓ ପୂଜା ବସ୍ତ୍ରକାର ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।