Odia News Portal

ଆଜି ଦୁଲୁକିବ ଦୁବାଇ

ଦୁବାଇ: ଟି-୨୦ ବିଶ୍ୱକପରେ ଆଜି ସୁପରସଣ୍ଡେରେ ସୁପର ମ୍ୟାଚ୍ । ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟକ୍କର ହେବାକୁ ଯାଉଛି । ବିଶ୍ବ କ୍ରିକେଟ୍ର ଏହି ଦୁଇ ଲୋକପ୍ରିୟ ଦଳ ବି ରବିବାର ନିଜ ନିଜର ବିଶ୍ବକପ୍ ଅଭିଯାନ ଆରମ୍ଭ କରିବେ। ଅତୀତ ପରିସଂଖ୍ୟାନ ସହ ଦଳର ଅଭିଜ୍ଞତା ଏବଂ ଶକ୍ତି ଓ ସାମର୍ଥ୍ୟ ଦୃଷ୍ଟିରୁ ପାକିସ୍ତାନଠାରୁ ଭାରତ ଢେର ଆଗରେ ରହିବ। ଦୁବାଇରେ ଆଇପିଏଲ୍ ଖେଳି ଭାରତୀୟ ଖେଳାଳିମାନେ ମଧ୍ୟ ନିଜ ନିଜ ଦକ୍ଷତାକୁ ଆହୁରି ଶାଣିତ କରିଛନ୍ତି। ଅନ୍ୟପକ୍ଷରେ ପାକିସ୍ତାନ ବିଶ୍ବକପ୍ ପୂର୍ବରୁ ଅଭ୍ୟାସ କରିବାର ପର୍ୟ୍ୟାପ୍ତ ସୁଯୋଗ ପାଇନି। ଅବଶ୍ୟ ଦୁବାଇରେ ଖେଳିବାର ଢେର ଅଭିଜ୍ଞତା ଏବେକାର ପାକିସ୍ତାନ ଦଳ ଓ ଖେଳାଳିଙ୍କର ବି ରହିଛି। ଉଭୟ ଦଳରେ ବହୁ ପ୍ରତିଭାବାନ ଖେଳାଳି ଅଛନ୍ତି।

ପାକିସ୍ତାନ ଦଳ ଅସ୍ଥିର ପ୍ରଦର୍ଶନ ପାଇଁ ପରିଚିତ। ଯାହା ଭାରତର ଚିନ୍ତା ବଢ଼ାଇବ। ୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ଏହାର ଜ୍ବଳନ୍ତ ଉଦାହରଣ। ଏହି ମ୍ୟାଚ୍ରେ ଭାରତ ଜିତିବ ବୋଲି ସମସ୍ତେ କହୁଥିଲା ବେଳେ ପାକିସ୍ତାନ ଧମାକାଦାର ବିଜୟ ହାସଲ କରିଥିଲା। ତା’ ଛଡ଼ା ଟ୍ବେଣ୍ଟି-୨୦ କ୍ରିକେଟ୍ରେ ଘଣ୍ଟାକେ ଘୋଡ଼ା ଛୁଟେ। ଅର୍ଥାତ୍ କିଛି କ୍ଷଣ ଓ କିଛି ବଲ୍ ଭିତରେ ହିଁ ମ୍ୟାଚ୍ର ଗତିପଥ ବଦଳିଯାଇଥାଏ। ତା’ ଛଡ଼ା ଦୁବାଇରେ କାକର ଏକ ସମସ୍ୟା ହୋଇପାରେ। ଏଣୁ ଟସ୍ ମହତ୍ବପୂର୍ଣ୍ଣ ରହିବ। ଭାରତ ପାଇଁ ତା’ର ଶୀର୍ଷ ୩ ରୋହିତ ଶର୍ମା, କେଏଲ୍ ରାହୁଲ ଓ ବିରାଟ କୋହଲିଙ୍କ ପ୍ରଦର୍ଶନ ଢେର ଗୁରୁତ୍ବ ବହନ କରିବ।