Odia News Portal

ଟ୍ରମ୍ପଙ୍କ ୧୦୦% ଶୁଳ୍କ ବିଲ୍ ଆଗରେ ମୁଣ୍ଡ ନୁଆଁଇବ ନାହିଁ ଭାରତ

ରୁଷରୁ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ ନୂଆ କଟକଣା ଲଗାଇବା ପାଇଁ ଆମେରିକାରେ ଆଇନ ଗୃହୀତ ହେବା ପରେ ଏହାକୁ ନେଇ ତେଜ ହୋଇଛି ଚର୍ଚ୍ଚା। ଭାରତ ମଧ୍ୟ ଏହି ସମଗ୍ର ବିକାଶ ଉପରେ ନଜର ରଖିଥିବା କହିଛି। ବିଶେଷକରି ରୁଷ ଏବଂ ଇରାନ ସମ୍ପର୍କିତ ନୂଆ କଟକଣା ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଭାରତ ସରକାର ସତର୍କ ରହିଛନ୍ତି। ଭାରତର ସ୍ପଷ୍ଟ ମତ ହେଉଛି—ଦେଶର ୧୪୦ କୋଟିରୁ ଅଧିକ ଲୋକଙ୍କ ଶକ୍ତି ଆବଶ୍ୟକତା ପୂରଣ କରିବା ସରକାରଙ୍କ ପ୍ରାଥମିକତା। ତେଣୁ ବିଭିନ୍ନ ଦେଶରୁ ତେଲ ଓ ଗ୍ୟାସ୍ କ୍ରୟ ସମ୍ପର୍କରେ ବଜାର ପରିସ୍ଥିତି ଓ ଦେଶର ସ୍ୱାର୍ଥକୁ ଆଧାର କରି ନିଷ୍ପତ୍ତି ନିଆଯିବ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଗୁରୁବାର, ସେପ୍ଟେମ୍ବର ୧୭ରେ କହିଛି ଯେ, ଏହି ପ୍ରସଙ୍ଗରେ ଗତ କିଛି ମାସ ଧରି ଆମେରିକୀୟ ଅଧିକାରୀଙ୍କ ସହ ଉଚ୍ଚସ୍ତରୀୟ ଆଲୋଚନା ହୋଇଛି। ଭାରତ ଆମେରିକାକୁ ଏହା ମଧ୍ୟ ଜଣାଇଛି ଯେ, ରୁଷରୁ ତେଲ କିଣୁଥିବା ଦେଶ ଉପରେ ନୂଆ କଟକଣା ଲଗାଇଲେ ଏହାର ପ୍ରଭାବ କେବଳ ଭାରତ-ଆମେରିକା ସମ୍ପର୍କ ମଧ୍ୟରେ ସୀମିତ ରହିବ ନାହିଁ। ବରଂ ଏହାର ପ୍ରଭାବ ବିଶ୍ୱ ଶକ୍ତି ବଜାର ଉପରେ ମଧ୍ୟ ପଡ଼ିପାରେ।

ଏପଟେ ଆମେରିକାରେ ରୁଷରୁ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲଗାଇବା ସମ୍ପର୍କିତ ପଦକ୍ଷେପକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହା କାର୍ଯ୍ୟକାରୀ ହେଲେ ଭାରତ ସମେତ ରୁଷ ତେଲ କ୍ରୟ କରୁଥିବା ଅନ୍ୟ ଦେଶଗୁଡ଼ିକ ପ୍ରଭାବିତ ହୋଇପାରନ୍ତି। ଭାରତ କିନ୍ତୁ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛି। ଦେଶର ଶକ୍ତି ସୁରକ୍ଷା ସହ କୌଣସି ସାଲିସ୍ କରାଯିବ ନାହିଁ। ରୁଷରୁ ତେଲ କ୍ରୟ କରିବା ସମେତ ଶକ୍ତି ସମ୍ପର୍କିତ ସମସ୍ତ ନିଷ୍ପତ୍ତି ଭାରତ ନିଜର ଜାତୀୟ ସ୍ୱାର୍ଥ ଓ ବଜାର ପରିସ୍ଥିତିକୁ ଦେଖି ନେବ। ସେହିପରି, ନୂଆ ପରିସ୍ଥିତିର ସମ୍ଭାବ୍ୟ ପ୍ରଭାବକୁ ମୁକାବିଲା କରିବା ପାଇଁ ଭାରତୀୟ ବାଣିଜ୍ୟ ଓ ଶିଳ୍ପ ସଂଗଠନଗୁଡ଼ିକ ସହ ସରକାର ଆଲୋଚନା କରିବ ବୋଲି ମଧ୍ୟ କହିଛି। ଏବେ ପ୍ରଶ୍ନ ହେଉଛି—ଆମେରିକାର ଏହି ନୂଆ ପଦକ୍ଷେପ ଭାରତର ତେଲ ଆମଦାନୀ ଓ ବାଣିଜ୍ୟ ଉପରେ କେତେ ପ୍ରଭାବ ପକାଇବ? ଏବଂ ଭାରତ-ଆମେରିକା ସମ୍ପର୍କରେ ଏହାର ପ୍ରଭାବ କେତେ ଦୂର ଯିବ? ଆଗାମୀ ଦିନରେ ଏହା ଉପରେ ଭାରତର ପରବର୍ତ୍ତୀ ପଦକ୍ଷେପ ଉପରେ ରହିବ ସମସ୍ତଙ୍କ ନଜର।