Odia News Portal

ଚର୍ଚ୍ଚାରେ ଭାରତୀୟ କ୍ରିକେଟର ବିରାଟ କୋହଲି

ଚର୍ଚ୍ଚାରେ ଭାରତୀୟ କ୍ରିକେଟର ବିରାଟ କୋହଲି। ପଡ଼ିଆରେ ନିଜ ପ୍ରଦର୍ଶନ ପାଇଁ ନୁହେଁ ‌ସେ ନାପସନ୍ଦ କରୁଥିବା ଖାଦ୍ୟକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ବିରାଟଙ୍କ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ସେ ନିଜ ପସନ୍ଦ ଓ ନାପସନ୍ଦ ବିଷୟରେ କହିଛନ୍ତି। ସେ ଯେଉଁ ଜିନିଷ ‌ଜୀବନରେ କେବେ ବି ଖାଇବେନି ବୋଲି କହିଛନ୍ତି, ସେଥିରେ ତାଙ୍କ ପ୍ରଶଂସକ ଏକମତ ଥିବା ଦେଖାଯ‌ାଇଛି।

ବିରାଟ କୋହଲି ଇନଷ୍ଟାଗ୍ରାମରେ ‘ଆସ୍କ ମି ଏନିଥିଙ୍ଗ’ର ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ସେ କହିଛନ୍ତି ଯେ ସେ ବର୍ତ୍ତମାନ ଶାକାହାରୀ। ହେଲେ ଗୋଟିଏ ଜିନିଷ ଯାହା ସେ କେବେବି ଖାଇବେ ନାହିଁ ତାହା ହେଉଛି କଲରା। କଲରାରେ ତିଆରେ କୌଣସି ଖାଦ୍ୟ ସେ ଖାଇବେ ନାହିଁ। ସେ ଖାଇଥିବା ବିଚିତ୍ର ଖାଦ୍ୟ ବିଷୟରେ ଜଣାଇ ବିରାଟ ଭିଡିଓରେ କହିଛନ୍ତି ଯେ ମାଲେସିଆରେ ସେ ଏକ ପ୍ରକାର ପୋକ ଖାଇଥିଲେ, ଯାହାକୁ ତେଲରେ ଛଣା ଯାଇଥିଲା। ଏହାକୁ ଖାଇବା ପରେ ଏହାର ସ୍ବାଦ ତାଙ୍କୁ ଭଲ ଲାଗିନଥିଲା।

ତେବେ ଏହା ସମସ୍ତଙ୍କୁ ଜଣା ଯେ ବିରାଟ କୋହଲି ଛୋଲେ ଭଟ୍ଟୁରେ ଖାଇବାକୁ ପସନ୍ଦ କରନ୍ତି। ଏହା ତାଙ୍କର ‘ଚିଟ୍ ମିଲ୍’। ଦିଲ୍ଲୀ ଟେଷ୍ଟ ବେଳେ ସେ ଛୋଲେ କୁଲଚେ ଖାଉଥିବାର ନଜର ଆସିଥିଲା, ଯାହାର ଭିଡିଓ ଖୁବ ଭାଇରାଲ ହୋଇଥିଲା। ଭିଡିଓରେ ସେ କୋଚ୍ ରାହୁଲ ଦ୍ରାବିଡ଼ଙ୍କ ସହ କିଛି ଆଲୋଚନା କରୁଥିବା ବେଳେ ମଗାଇଥିବା ଖାଦ୍ୟ ଆସି ପହଞ୍ଚିଥିଲା। ଏହାକୁ ଦେଖି ସେ ତାଳି ମାରିଥିଲେ। ଏହି ଭିଡିଓ ଦେଖି ବିରାଟ ଛୋଲେ ଭଟ୍ଟୁରେ ଅର୍ଡର କରିଥିବା ନେଇ ଚର୍ଚ୍ଚା ହେବାରୁ ତାହା ଛୋଲେ କୁଲଚେ ଥିଲା ବୋଲି କହିଥିଲେ ରାହୁଲ ଦ୍ରାବିଡ।