Odia News Portal

ଇଟାଲୀରେ ପ୍ରଳୟଙ୍କାରୀ ବନ୍ୟା , ଗଲାଣି ୧୨ରୁ ଅଧିକ ଲୋକଙ୍କ ଜୀବନ

ଯେଉଁଆଡ଼େ ଚାହିଁବ ପାଣି ଆଉ ପାଣି । ଘର ବାଡ଼ି , ରାସ୍ତାଘାଟ ସବୁଆଡ଼େ ଘେରି ରହିଛି ପାଣି । ଇଟାଲୀରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପ୍ରଳୟଙ୍କାରୀ ରୂପ ନେଇଛି । ଉତର ଇଟାଲୀର ଏମିଲିଆ ରୋମାନରେ ଭୟଙ୍କର ବନ୍ୟା ଯୋଗୁଁ ହଜାର ହଜାର ଲୋକେ ପ୍ରଭାବିତ ହୋଇଛନ୍ତି । ଆଉ ଏହି ବନ୍ୟାରେ ପ୍ରଭାବିତ ହୋଇ ପ୍ରାୟ ୧୨ ଜଣଙ୍କ ଜୀବନ ଗଲାଣି । କେବଳ ଏତିକି ନୁହେଁ ଲୋକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଘର ଭିତରେ ପାଣି ପଶିଯିବାରୁ ଲୋକମାନେ ଉଚ୍ଚ ସ୍ଥାନରେ ଆଶ୍ରୟ ନେଉଛନ୍ତି । ଏହା ସହ ପ୍ରାୟ ୩୬ ହଜାରରୁ ଅଧିକ ଲୋକ ସେମାନଙ୍କ ବାସସ୍ଥାନ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି । ବିଗତ ଶହେ ବର୍ଷ ମଧ୍ୟରେ ଇଟାଲୀ ଦେଖିଛି ଏଭଳି ପ୍ରଳୟଙ୍କାରୀ ବନ୍ୟା । ସବୁଆଡ଼େ ଜଳ ଘେରି ରହିଥିବାରୁ ହଜାର ହଜାର ଚାଷୀ ପ୍ରଭାବିତ ହୋଇଛନ୍ତି । ଲଗାତର ପ୍ରବଳ ବର୍ଷା ହେବାରୁ ଇଟାଲୀରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବହୁ ଲୋକଙ୍କୁ ବାୟୁସେନା ଉଦ୍ଧାର କରିଛି । ଅନ୍ୟପଟେ ଏହି ବନ୍ୟା ଜଳରେ ଲୋକେ କିପରି ବଞ୍ଚିବାକୁ ଲଢ଼େଇ କରୁଛନ୍ତି ଏପରି ଏକ ଭିଡ଼ିଓ ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ମା ଓ ଏକ ଛୋଟ ଛୁଆ ପାଣିରେ ବୁଡ଼ି ଯାଉଥିବାବେଳେ ପାଖ ପଡ଼ୋଶୀ କିପରି ସାହସର ସହ ତାଙ୍କୁ ବଞ୍ଚାଇଛନ୍ତି । ଏହି ଭିଡ଼ିଓଟି ଇଟାଲୀର ସେସେନା ଅଞ୍ଚଳର ବୋଲି ଜଣାପଡ଼ିଛି । ୨୦ରୁ ଅଧିକ ନଦୀରେ ବନ୍ୟାଜଳ ପ୍ରବାହିତ ହେବାରୁ ସ୍ଥିତି ଅଧିକ ସଙ୍କଟପର୍ଣ୍ଣ ହୋଇଛି । ଅନ୍ୟପଟେ ୨୮୦ରୁ ଅଧିକ ସ୍ଥାନରେ ଭୂସ୍କଖଳନ ହୋଇଥିବା ସୂଚନା ରହିଛି । ପ୍ରଧାନମନ୍ତ୍ରୀ ଜିୟୋର୍ଜିଆ ମେଲୋନି ସ୍ଥିତି ସମୀକ୍ଷା କରିଛନ୍ତି ।