Odia News Portal

ଜାମ୍ମୁ-କାଶ୍ମୀରରେ ଭୂସ୍ଖଳନ; ଗାଈଗୋରୁ, ବାସଗୃହ ପୋତି ହେବା ସହ ରାସ୍ତା ଅବରୋଧ

ରବିବାର ବିଳମ୍ବିତ ସନ୍ଧ୍ୟା ବେଳେ କେନ୍ଦ୍ରୀୟ କଶ୍ମୀରର ଗାନ୍ଦର୍‌ବଲ ଜିଲ୍ଲା ରେଜିନ୍‌ ଅନ୍ତର୍ଗତ ଗୁଣ୍ଡ୍‌ ଅଞ୍ଚଳରେ ଭୂସ୍ଖଳନ ଘଟି କେତେକ ଗାଈଗୋରୁ ଓ ବାସଗୃହ ପୋତି ହୋଇ ପଡ଼ିବା ସହିତ ଶ୍ରୀନଗର-ସୋନାମାର୍ଗ ରାଜପଥ ଅବରୁଦ୍ଧ ହୋଇଛି।

ସଂଗୃହୀତ ସୂଚନା ଅନୁସାରେ, ଘୋଡ଼ା, ଗାଈ ଓ ମେଣ୍ଢାଙ୍କ ଭଳି କେତେକ ଗୃହପାଳିତ ଜୀବ ସମେତ ୩ଟି ଗୁହାଳ ଭୂସ୍ଖଳନ‌ ଯୋଗୁଁ ପୋତି ହୋଇପଡ଼ିଛି। ଜାତୀୟ ରାଜପଥ ଅବରୁଦ୍ଧ ହୋଇଥିବାରୁ ଉଭୟ ଦିଗରେ ଅନେକ ଯାନବାହନ ଅଟକି ରହିଛି।

କିନ୍ତୁ, ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ କୌଣସି ଜନମାନବ ମୃତାହତ ହୋଇଥିବା ଖବର ଏପର୍ଯ୍ୟନ୍ତ ଆସିନାହିଁ।

ଗାନ୍ଦର୍‌ବଲ୍‌ ଜିଲ୍ଲା ପୁଲିସ, ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି, ସେନାର ‘୩୪ଏଆର୍‌’ ଏବଂ ‘ସିଆର୍‌ପିଏଫ୍‌ ୧୧୮୮ ବାଟାଲିୟନ୍‌’ର ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବିପନ୍ନ ପରିବାରବର୍ଗଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇଥିବା କଥା ସେମାନେ କହିଛନ୍ତି। ଘଟଣାସ୍ଥଳରେ ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଚାଲିଛି।

ଉଲ୍ଲେଖଯୋଗ୍ୟ, ରବିବାର ଦିନ ଜମ୍ମୁ ଓ କଶ୍ମୀର ରାମବନ ଜିଲ୍ଲା ଅନ୍ତର୍ଗତ ଗୂଲ୍ ସବ୍‌ଡିଭିଜନ୍‌ ଅଞ୍ଚଳର ଦୁକ୍‌ସାର୍‌ ଗ୍ରାମରେ ବଡ଼ଧରଣର ଭୂସ୍ଖଳନ ହେବାରୁ ଡଜନାଧିକ ବାସଗୃହ କ୍ଷତିଗ୍ରସ୍ତ ହୋଇଛି। ପ୍ରାୟ ୧୩ଟି ପରିବାର ବାସହରା ହୋଇଯାଇଛନ୍ତି।

ପ୍ରଭାବିତ ପରିବାରବର୍ଗଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇ ତୁରନ୍ତ ରିଲିଫ୍‌ ଯୋଗାଇ ଦିଆଯାଇଥିବା କଥା ସରକାରୀ ଅଧିକାରୀମାନ‌େ କହିଛନ୍ତି। ଏହି ଭୂସ୍ଖଳନ ଯୋଗୁଁ ଗ୍ରାମ ନିକଟରେ ଥିବା ମୁଖ୍ୟ ସଡ଼କ ଫାଟି ଯାଇଥିବାରୁ ସେଥିରେ ଯାନବାହନ ଚଳାଚଳ ବନ୍ଦ କରାଯାଇଛି।