Odia News Portal

ନବମ ଶ୍ରେଣୀ ଛାତ୍ରୀକୁ ଟେକିନେଇ ଦୁଷ୍କର୍ମ କଲେ ଦୁଇ ଭାଇ

କେନ୍ଦ୍ରାପଡ଼ା: ଯୌନ ଲାଳସା ମଣିଷକୁ ପଶୁ ପାଲଟାଇ ଦେଇଥାଏ । କିଛିକ୍ଷଣର ସୁଖ ଲାଗି ବୟସର ତାରତମ୍ୟ କିମ୍ବା ସମ୍ପର୍କକୁ ଦେଖେନାହିଁ ଦେହଲୋଭୀ ମଣିଷ । ସେ ବୃଦ୍ଧା ହେଉ ବା ନାବାଳିକା କେହି ବି ବାଦ ପଡନ୍ତି ନାହିଁ ଏହି ନର ରାକ୍ଷସଙ୍କ କବଳରୁ । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ଅଞ୍ଚଳରେ । ଜଣେ ନବମ ଶ୍ରେଣୀ ଛାତ୍ରୀକୁ ଦୁଇ ଭାଇ ମିଶି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ନାବାଳିକାକୁ ମେଡିକାଲରେ ଭର୍ତି କରାଯାଇଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି ।

ପିଡିତାଙ୍କ ବାପାଙ୍କ କହିବା ଅନୁଯାୟୀ, ଭୋଗ ଦେବାକୁ ଯାଇଥିବା ବେଳେ ନାବାଳିକାଙ୍କୁ ଦୁଇ ଭାଇ ଟେକି ନେଇଥିଲେ । ଦୁଇ ଭାଇ ମିଶି ଗୋଟିଏ ଘରେ ଦୁଷ୍କର୍ମ କରିଥିଲେ । ଝିଅକୁ ଖୋଜି ଖୋଜି ଯାଇଥିବା ବେଳେ ଛାତ ଉପରୁ ତଳକୁ ନାବାଳିକାଙ୍କୁ ଫୋପାଡ଼ି ଦେଇଥିଲେ ଦୁଇଭାଇ । ଧାନ ବସ୍ତା ପାଖରେ ପଡ଼ିଥିବା ନାବାଳିକା ଜଣକ ଗୁରୁତର ଆହତ ହୋଇଥିଲେ ।

ଛାତ୍ରୀଙ୍କ ବାପା ଓ ମାମୁଁ ଝିଅକୁ ଉଦ୍ଧାର କରି ମେଡିକାଲରେ ଭର୍ତି କରିଛନ୍ତି । ସେପଟେ ପିଡିତାଙ୍କ ବାପା ଓ ମାମୁଁଙ୍କୁ ମଧ୍ୟ ମାଡ଼ ମରାଯାଇଥିବା ଅଭିଯୋଗରେ ଦର୍ଶାଯାଇଛି । ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଏଭଳି କାଣ୍ଡ ଭିଆଇଥିବା ମଧ୍ୟ ଶୁଣିବାକୁ ମିଳୁଛି । ସେପଟେ ପୋଲିସ ଘଟଣାର ଖୋଳତାଡ କରୁଛି ।