Odia News Portal

ପଞ୍ଜାବରେ ତେଜୁଛି ଖଲିସ୍ତାନୀ ଆକ୍ରମଣ, ତଥାପି ପୋଲିସ କାହିଁକି ଚୁପ?

ପଂଜାବରେ ଏବେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀମାନେ ପୁଣି ସକ୍ରିୟ ହୋଇଉଠିଛନ୍ତି। ସ୍ବତନ୍ତ୍ର ଖଲିସ୍ତାନ ରାଷ୍ଟ୍ରଗଠନ ଦାବି ନେଇ ଅନେକ ବେଆଇନ ସଂଗଠନ ସେମାନଙ୍କ କାୟାବିସ୍ତାର କରିଚାଲିଥିବା ବେଳେ ଗତକାଲି ସଶସ୍ତ୍ର ଖଲିସ୍ତାନୀ ସମର୍ଥକ ଅମୃତସରର ଅଜନାଲା ଥାନାକୁ ଯେଭଳି କବ୍‌ଜା କଲେ ତାହା ଭାରତର ଏକତା ଓ ଅଖଣ୍ଡତା ପ୍ରତି ଏକ ବଡ଼ ବିପଦର ସଙ୍କେତ ବୋଲି କୁହାଯାଇଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ପଞ୍ଜାବ ପୁଲିସର ବିଫଳତା ଏବଂ ଏ ଦିଗରେ ରାଜ୍ୟର ଆପ୍‌ ସରକାରର ସଂପୂର୍ଣ୍ଣ ଉଦାସୀନତା ଆଗକୁ ବିସ୍ଫୋରକ ସ୍ଥିତି ଆଣିବ ବୋଲି ବିଭିନ୍ନ ମହଲ ଚେତାଇ ଦେଇଛନ୍ତି।

ଗତକାଲି ଜଣେ ଖଲିସ୍ତାନୀ ବିଚ୍ଛିନତାବାଦୀ ନେତା ଏବଂ ତାଙ୍କ ସମର୍ଥକମାନେ ପଂଜାବ ପୁଲିସ-ପ୍ରଶାସନକୁ ଯେଭଳି ଆଣ୍ଠେଇ ଦେଇଥିଲେ ତାହା ପୁଲିସର ଅପାରଗତା ଓ ଅସହାୟତାକୁ ପ୍ରମାଣ କରୁଛି। ରାଜ୍ୟରେ ଖଲିସ୍ତାନୀ ହିଂସା ପୁଣିଥରେ ମୁଣ୍ଡ ଟେକିଥିବାରୁ ଆଗକୁ କେନ୍ଦ୍ର ସରକାରଙ୍କ ପାଇଁ ମଧ୍ୟ ଏହା ବଡ଼ ଚ୍ୟାଲେଂଜ ହେବ ବୋଲି କୁହାଯାଉଛି। ରାଜ୍ୟରେ ବିଚ୍ଛିନ୍ନତାବାଦୀଙ୍କ ଦ୍ବାରା ଏଭଳି ହିଂସାତ୍ମକ ଉପଦ୍ରବ ସମୟରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ସଂପୂର୍ଣ୍ଣ ନିରବ ରହିବା ସମସ୍ତଙ୍କୁ ବିସ୍ମିତ କରିଛି। ଖଲିସ୍ତାନୀ ନେତା ଅମୃତପାଲ ସିଂହଙ୍କ ହଜାର ହଜାର ସମର୍ଥକ ଗତକାଲି ତାଙ୍କର ଜଣେ ସହଯୋଗୀକୁ ଛାଡ଼ିବା ଦାବିରେ ଅଜନଲା ଥାନାରେ ପୁଲିସ ସହ ମୁହାଁମୁହିଁ ହୋଇଥିଲେ। ସେମାନେ ଖଣ୍ଡା ଏବଂ ବନ୍ଧୁକ ଧରି ଥାନା ବ୍ୟାରିକେଡ୍‌ ଭାଙ୍ଗି ଭିତରେ ପଶିଥିଲେ। ପୁଲିସ କେବଳ ନିରବଦ୍ରଷ୍ଟା ସାଜିଥିଲା। ସାମାନ୍ୟ ପ୍ରତିବାଦ କରିଥିବା ପୁଲିସ କର୍ମୀଙ୍କ ଉପରେ ବି ପ୍ରଚଣ୍ଡ ଆକ୍ରମଣ ହୋଇଥିଲା। ଆଜି ଅଜନଲା କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଅମୃତପାଲଙ୍କ ସହଯୋଗୀ ଲଭପ୍ରୀତ ତୁଫାନ ଅମୃତସର ଜେଲ୍‌ରୁ ମୁକୁଳିଛି।

ମାତ୍ର ୧୫ ଦିନ ମଧ୍ୟରେ ପଂଜାବ ପୁଲିସ ଉପରେ ଦ୍ବିତୀୟ ଯୋଜନାବଦ୍ଧ ଆକ୍ରମଣ ଚିନ୍ତାର କାରଣ ହୋଇଛି। ଫେବ୍ରୁଆରି ୮ ତାରିଖରେ ମଧ୍ୟ ଖଲିସ୍ତାନୀ ସମର୍ଥକମାନେ ଜଣେ ଶିଖ୍‌ କଏଦୀଙ୍କୁ ମୁକ୍ତ କରିବାକୁ ଦାବି କରି ପୁଲିସ ସହ ସଂଘର୍ଷ କରିଥିଲେ। ଏଥିରେ ୩୩ ଜଣ ପୁଲିସ କର୍ମୀ ଆହତ ହୋଇଥିଲେ ଏବଂ ୧୨ରୁ ଅଧିକ ପୁଲିସ ଗାଡ଼ି ଭଙ୍ଗାରୁଜା ହୋଇଥିଲା। ତେବେ ଏହି ୨ଟି ଯାକ ଘଟଣାରେ ସମସ୍ତ ପ୍ରମାଣ ଉପଲବ୍ଧ ଥାଇ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଛଘୁଞ୍ଚା ଦେଉଛି।

ଖଲିସ୍ତାନୀ ନେତା ଅମୃତପାଲ ସିଂହ ଏବଂ ତାଙ୍କ ସମର୍ଥକମାନେ ଗତକାଲି ଅଜନଲା ଥାନାରେ ପଶି ସିଂହଙ୍କ ସହଯୋଗୀଙ୍କୁ ଜେଲ୍‌ରୁ ଖଲାସ କରିବା ଦାବିରେ ଥାନାକୁ କବ୍‌ଜା କରିନେଇଥିଲେ। ସେମାନେ ଖଣ୍ଡା ଧରି ପୁଲିସ ସହ ମୁହାଁମୁହିଁ ହୋଇଥିଲେ ଏବଂ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଏଥିରେ ପ୍ରାୟ ୧୦ ଜଣ ପୁଲିସ କର୍ମୀ ଆହତ ହୋଇଥିଲେ ମଧ୍ୟ ପୁଲିସ ଆତ୍ମସମର୍ପଣ ସ୍ଥିତିରେ ରହିଥିଲା।‌ ‌ଶେଷରେ ଅମୃତପାଲ ସିଂହଙ୍କ ସହଯୋଗୀ ଲଭ୍‌ପ୍ରୀତକୁ ଛାଡ଼ିବାପାଇଁ ପୁଲିସ ପ୍ରତିଶ୍ରୁତି ଦେଇଥିଲା। ପଂଜାବ ପୁଲିସର ଏଭଳି କାର୍ଯ୍ୟକୁ ଦେଶବ୍ୟାପୀ ସମାଲୋଚନା କରାଯାଉଥିବା ବେଳେ ଆଜି ଆପ୍‌ ସରକାରର ଜଣେ କ୍ୟାବିନେଟ୍‌ ମନ୍ତ୍ରୀ ଓ ଜଣେ ବରିଷ୍ଠ ପୁଲିସ ଅଧିକାରୀ ସ୍ପଷ୍ଟୀକରଣ ଦେଇ କହିଛନ୍ତି, ଖଲିସ୍ତାନୀ ନେତା ଥାନାକୁ ଗୁରୁ ଗ୍ରନ୍ଥ ସାହେବ ଧରି ଆସିଥିବାରୁ ପୁଲିସ ନିଜକୁ ନିୟନ୍ତ୍ରଣରେ ରଖିଥିଲା। ଆପ୍‌ ମନ୍ତ୍ରୀ ଅମନ ଆରୋରା ଏଭଳି ପଦକ୍ଷେପକୁ ଯଥାର୍ଥ ବୋଲି ଦର୍ଶାଇଛନ୍ତି। ସେ କହିଛନ୍ତି, ଯଦି ଅମୃତପାଲ ସିଂହ ଏବଂ ତାଙ୍କ ସମର୍ଥକମାନେ ଗୁରୁ ଗ୍ରନ୍ଥ ସାହେବର କପି ଥାନାକୁ ଆଣିନଥାନ୍ତେ କେବେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତା। ତେବେ ପରବର୍ତ୍ତୀ ସମୟରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଲାନି ସେ ନେଇ ପୁଲିସ ଓ ଆପ୍‌ ନେତା ନିରବ ରହିଛନ୍ତି।