Odia News Portal

କାନାଡାରେ ପୁଣି ମହାତ୍ମା ଗାନ୍ଧୀ ପ୍ରତିମୂର୍ତ୍ତି ଭଙ୍ଗାରୁଜା

କାନାଡାରେ ପୁଣି ମହାତ୍ମା ଗାନ୍ଧୀ ପ୍ରତିମୂର୍ତ୍ତି ଭଙ୍ଗାରୁଜା ହୋଇଛି । ବର୍ନବି ସ୍ଥିତ ଏକ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ମହାତ୍ମା ଗାନ୍ଧୀ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦିଆଯାଇଛି । ଭାନକୋଭରରେ ଥିବା ଭାରତୀୟ କନସୁଲେଟ୍ ଜେନେରାଲ୍ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ସୂଚନାନୁସାରେ, ଏହି ପ୍ରତିମୂର୍ତ୍ତିକୁ ସାଇମନ୍ ଫ୍ରେଜର ବିଶ୍ୱବିଦ୍ୟାଳୟର ବର୍ନବି କ୍ୟାମ୍ପସରେ ଶାନ୍ତି ମଇଦାନରେ ସ୍ଥାପନ କରାଯାଇଥିଲା ।

କନସୁଲେଟ୍ ଜେନେରାଲ୍ ଟୁଇଟ୍ କରି କହିଛନ୍ତି ଯେ ଆମେ ସାଇମନ୍ ଫ୍ରେଜର ବିଶ୍ୱବିଦ୍ୟାଳୟର ବର୍ନାବି କ୍ୟାମ୍ପସରେ ଶାନ୍ତିର ଅଗ୍ରଦୂତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭଙ୍ଗାରୁଜା ଘଟଣାକୁ ଦୃଢ଼ ନିନ୍ଦା କରୁଛୁ । କାନାଡା କର୍ତ୍ତୃପକ୍ଷଙ୍କୁ ତୁରନ୍ତ ଘଟଣାର ତଦନ୍ତ କରି ଅପରାଧୀଙ୍କୁ ଦଣ୍ଡ ଦେବାକୁ ଅନୁରୋଧ କରୁଛୁ।

ଏହା ପୂର୍ବରୁ ମାର୍ଚ୍ଚ ୨୩ରେ କାନାଡାର ଅଣ୍ଟାରିଓ ପ୍ରଦେଶର ହାମିଲଟନ୍ ସହରର ସିଟି ହଲ୍ ନିକଟରେ ଖାଲିସ୍ତାନୀ ସମର୍ଥକମାନେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ବିକୃତ କରିଥିଲେ ।

ଗତ ବର୍ଷ ଜୁଲାଇରେ କାନାଡାର ରିଚମଣ୍ଡ ହିଲରେ ଥିବା ବିଷ୍ଣୁ ମନ୍ଦିରରେ ମହାତ୍ମା ଗାନ୍ଧୀଙ୍କ ଏକ ପ୍ରତିମୂର୍ତ୍ତିକୁ ଭଙ୍ଗାରୁଜା କରାଯାଇଥିଲା, ଯାହାକୁ ଟରୋଣ୍ଟୋରେ ଥିବା ଭାରତର କନସୁଲେଟ୍ ଜେନେରାଲ ଦୃଢ ନିନ୍ଦା କରିଥିଲେ।