Odia News Portal

ଟ୍ରେନ୍ ଟ୍ରାଜେଡି: ଆଜି ପୁଣି ଓଡ଼ିଶା ଆସିବେ ମମତା

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ପୁଣି ଓଡ଼ିଶା ଆସିବେ । ଟ୍ରେନ୍ ଦୁର୍ଘଟଣାରେ ଆହତ ନିଜ ରାଜ୍ୟର ଯାତ୍ରୀମାନଙ୍କୁ ଭେଟିବାକୁ ସେ କଟକ ଓ ଭୁବନେଶ୍ୱର ଯିବେ ।

ପଶ୍ଚିମବଙ୍ଗ ସଚିବାଳୟର ଏକ ସୂତ୍ରରୁ ଜଣାପଡ଼ିଛି ଯେ ମମତା ବାନାର୍ଜୀ ରାଜ୍ୟ ମନ୍ତ୍ରୀ ଚନ୍ଦ୍ରମା ଭଟ୍ଟାଚାର୍ଯ୍ୟ ଏବଂ ଶଶି ପାଞ୍ଜାଙ୍କ ସହ ଓଡ଼ିଶା ଆସିବେ ।

ଟ୍ରେନ୍ ଦୁର୍ଘଟଣାରେ ଆହତଙ୍କୁ ଭେଟିବା ବ୍ୟତୀତ ମମତା ରୋଗୀଙ୍କୁ ଦିଆଯାଉଥିବା ସୁବିଧା ମଧ୍ୟ ଦେଖିବେ। ସେ ଆହତଙ୍କ ସମ୍ପର୍କୀୟଙ୍କ ସହ ମଧ୍ୟ କଥାବାର୍ତ୍ତା କରିବେ। ଭୁବନେଶ୍ୱରରୁ ଫେରିବା ବେଳକୁ ସେ ମିଦନାପୁର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଲୋକଙ୍କୁ ମଧ୍ୟ ଭେଟି ପାରନ୍ତି । ଯଦିଓ ଏହା ଏପର୍ଯ୍ୟନ୍ତ ନିଶ୍ଚିତ କରାଯାଇ ନାହିଁ ।

ପଶ୍ଚିମବଙ୍ଗର ଜଣେ ଅଧିକାରୀ କହିଛନ୍ତି ଯେ ରାଜ୍ୟର ଅତିକମରେ ୨୦୬ ଆହତ ଯାତ୍ରୀ ଓଡିଶାର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ କଟକ ବଡ଼ ମେଡ଼ିକାଲ ଏବଂ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଛନ୍ତି ।

ପଶ୍ଚିମବଙ୍ଗ ମୃତକଙ୍କ ଶବ ଓଡିଶାର ଅନେକ ଶବଗୃହରେ ମଧ୍ୟ ରଖାଯାଇଛି ବୋଲି ସେ କହିଛନ୍ତି।

ମମତା ସୋମବାର କହିଥିଲେ ଯେ ଜୁନ୍ ୨ରେ ଟ୍ରେନ୍ ଦୁର୍ଘଟଣାରେ ପଶ୍ଚିମବଙ୍ଗର ୯୦ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା ଏବଂ ୭୩ ଜଣ ଯାତ୍ରୀ ରାଜ୍ୟକୁ ଫେରି ଆସିଛନ୍ତି।

ପଶ୍ଚିମବଙ୍ଗ ସରକାର ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ସମ୍ପର୍କୀୟଙ୍କୁ ପାଞ୍ଚ ଲକ୍ଷ ଟଙ୍କା ସହାୟତା ରାଶି ଏବଂ ସ୍ପେଶାଲ ହୋମ ଗାର୍ଡ ଚାକିରି ଦେବାକୁ ଘୋଷଣା କରିଛନ୍ତି। ଗୁରୁତର ଆହତଙ୍କୁ ୧ ଲକ୍ଷ ଟଙ୍କା, ସାମାନ୍ୟ ଆହତଙ୍କ ପାଇଁ ୫୦-୫୦ ହଜାର ଟଙ୍କା ଏବଂ ମାମୁଲି ଆହତଙ୍କ ପାଇଁ ୨୫-୨୫ ହଜାର ଟଙ୍କା ଘୋଷଣା କରାଯାଇଛି।

ମମତା ବାନାର୍ଜୀ ସରକାର ମଧ୍ୟ ଓଡ଼ିଶା ଟ୍ରେନ୍ ଦୁର୍ଘଟଣାରେ ଆହତ ହୋଇନଥିବା କିନ୍ତୁ ମାନସିକ ଆଘାତ ପାଇଥିବା ପରିବାରବର୍ଗଙ୍କୁ ୪ ମାସ ପାଇଁ ୨,୦୦୦ ଟଙ୍କାର ମାଗଣା ରାସନ ଘୋଷଣା କରିଛନ୍ତି।