Odia News Portal

ମଶାଧୂପ ଲଗାଇ ଶୋଇଥିଲେ ପୁରା ପରିବାର,ସକାଳୁ ମିଳିଲା ୬ଲୋକଙ୍କ ମୃତଦେହ

ମୃତ୍ୟୁ କେତେବେଳେ ଓ କେମିତି ଆସେ ତାହା କେହି ବି ପୂର୍ବାନୁମାନ କରିବା ସମ୍ଭବ ନୁହେଁ । କିଏ ରେଳ ତଳେ ଫଶି ବଞ୍ଚିଯାଉଛି ତ କିଏ ସାମାନ୍ୟ ଝୁଣ୍ଟିପଡି ମୃତ୍ୟୁବରଣ କରିଛି । ହେଲେ ଗତକାଲି ରାତିରେ ଗୋଟିଏ ପରିବାରର ୬ଜଣ ଲୋକ ଯେଭଳି ଭାବେ ମୃତ୍ୟୁବରଣ କରିଛନ୍ତି ତାହା ଆପଣଙ୍କୁ ଚକିତ କରିଦେଇପାରେ ।

ଏବେ ସମୟରେ ପ୍ରାୟ ପ୍ରତି ପରିବାରର ଲୋକ ଶୋଇବା ପୂର୍ବରୁ ମଶାଙ୍କ ଦାଉରୁ ରକ୍ଷା ପାଇବାକୁ ମଶାଧୂପ ଲଗାଇ ଶୋଇଥାନ୍ତି । ହେଲେ ଏହି ମଶାଧୂପର ଧୂଆଁରେ ପୁରା ପରିବାର ପାଇଁ କାଳ ହୋଇଯିବ ତାହା ଅନୁମାନ କରିବା ଅସମ୍ଭବ । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଦିଲ୍ଲୀର ଶାସ୍ତ୍ରୀ ପାର୍କ ନିକଟରେ । ଏଠାରେ ଗୋଟିଏ ପରିବାରର ସମସ୍ତ ସଦସ୍ୟ ମଶାଧୂପ ଲଗାଇ ଶୋଇଥିବା ବେଳେ ସକାଳେ ୬ଜଣଙ୍କ ମୃତ୍ୟୁ ହୋଇଯାଇଛି । ଏହାସହ ୩ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ୪ଜଣ ପୁରୁଷ, ଜଣେ ମହିଳା ଓ ଗୋଟିଏ ଶିଶୁ ଥିବା କୁହାଯାଉଛି ।

ଉତ୍ତର-ପୂର୍ବ ଦିଲ୍ଲୀର ଡିସିପିଙ୍କ କହିବା ମୁତାବକ ଏବେ ବି ୨ଜଣଙ୍କର ଚିକିତ୍ସା ଚାଲିଥିବା ବେଳେ ଜଣେ ଯୁବକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ପୋଲିସ ଅଧିକାରୀଙ୍କ କହିବା ମୁତାବକ ପୁରା ପରିବାର ରାତିରେ ମଶାଧୂପ ଲଗାଇ ଶୋଇଥିଲେ । ଏହାସହ ଘରର ସମସ୍ତ କବାଟ ଓ ଝରକା ବନ୍ଦ କରିଦେଇଥିଲେ । ରାତିରେ ମଶାଧୂପ ଧୂଆଁରେ ପରିବାର ଲୋକଙ୍କ ନିଶ୍ୱାସ ବନ୍ଦ ହୋଇ ସେମାନଙ୍କର ମୃତ୍ୟୁ ଘଟିଥିଲା । ଏନେଇ ସ୍ଥାନୀୟ ଲୋକେ ଶୁକ୍ରବାର ସକାଳେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରିବା ସହ ଗୁରୁତର ୩ଜଣଙ୍କୁ ମେଡିକାଲକୁ ପଠାଇଥିଲେ ।