Odia News Portal

ନିକି ହତ୍ୟା ମାମଲା; ଗିରଫ ହେଲେ ସାହିଲଙ୍କ ବାପା ସମେତ ୫ ଅଭିଯୁକ୍ତ

ନିକ୍କି ଯାଦବ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସାହିଲ୍‌ ଗେହ୍‌ଲଟ୍‌ଙ୍କ ବାପାଙ୍କ ସମେତ ୫ଜଣଙ୍କୁ କ୍ରାଇମ୍‌ ବ୍ରାଞ୍ଚ୍‌ ଗିରଫ କରିଥିବା କଥା ଆଜି ଦିଲ୍ଲୀ ପୁଲିସ କହିଛି। ପୁଅକୁ ଷଡ଼ଯନ୍ତ୍ରରେ ସହାୟତା କରିଥିବା ଅଭିଯୋଗରେ ସାହିଲ୍‌ଙ୍କ ବାପାଙ୍କୁ ଗିରଫ କରାଯାଇଛି।

ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’କୁ କହିବା ବେଳେ ସ୍ପେସାଲ୍‌ ସି. ପି. ରବିନ୍ଦର ଯାଦବ ସୁନିଶ୍ଚିତ କରି କହିଛନ୍ତି, ମୁଖ୍ୟ ଅଭିଯୁକ୍ତ ସାହିଲ୍‌ ଗେହ୍‌ଲଟ୍‌ଙ୍କ ବ୍ୟତୀତ ଦିଲ୍ଲୀ ପୁଲିସ ୫ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। ଷଡ଼ଯନ୍ତ୍ରରେ ସାହିଲ୍‌ଙ୍କୁ ସହାୟତା କରିଥିବା ଅଭିଯୋଗରେ ତାଙ୍କ ବାପାଙ୍କୁ ମଧ୍ୟ ଗିରଫ କରାଯାଇଛି।

ସେ ଆହୁରି ମଧ୍ୟ କହିଛନ୍ତି, ନିକ୍କିଙ୍କୁ ପୁଅ ହତ୍ୟା କରିଥିବା କଥା ବାପା ବୀରେନ୍ଦର୍‌ ସିଂହ ଜାଣିଥିଲେ ବୋଲି ପୁଲିସ ଜାଣିବା ପରେ ତାଙ୍କୁ ଗିରଫ କରାଯାଇଛି। ଏହାଛଡ଼ା, ଗିରଫ ହୋଇଥିବା ଆଉ ୪ଜଣଙ୍କ ମଧ୍ୟରେ ଅଛି ସାହିଲ୍‌ଙ୍କ ଭାଇ, ସମ୍ପର୍କୀୟ ଭାଇ ଓ ବନ୍ଧୁ। ସାହିଲ୍‌ଙ୍କ ବନ୍ଧୁ ଓ ସମ୍ପର୍କୀୟ ଭାଇ ନିକ୍କିଙ୍କ ଶବ ଲୁଚାଇବା କାମରେ ସହାୟତା କରିଥିଲେ।

ଉଲ୍ଲେଖଯୋଗ୍ୟ, ‘ଲିଭ୍-ଇନ୍‌’ରେ ରହୁଥିବା ସାହିଲ୍‌ ଓ ନିକ୍କି ୨୦୨୦ ଅକ୍ଟୋବରରେ ନଏଡ଼ାସ୍ଥିତ ଗୋଟାଏ ମନ୍ଦିରରେ ବିବାହ କରିଥିଲେ। ଏ ବିବାହରେ ସାହିଲ୍‌ଙ୍କ ପରିବାର ଖୁସି ନ ଥିଲେ। ଜେରା ବେଳେ ସାହିଲ୍‌ ସ୍ବୀକାର କରିଥିଲା ଯେ, ଫେବ୍ରୁଆରି ୧୦ ତାରିଖ ରାତି ୮.୩୦ରୁ ୯.୩୦ ଭିତରେ ନିଗମ ବୋଧ ଘାଟସ୍ଥିତ ପାର୍କିଙ୍ଗ୍‌ ଲଟ୍‌ରେ ଗୋଟାଏ ଚାର୍ଜିଙ୍ଗ୍‌ କେବଲ୍‌ରେ ନିକ୍କିଙ୍କ ବେକକୁ ଭିଡ଼ି ଶ୍ବାସରୁଦ୍ଧ କରି ହତ୍ୟା କରିଥିଲା।

ରିମାଣ୍ଡ୍‌ ବେଳେ ପୁଲିସ ସାହିଲ୍‌ ଓ ନିକ୍କିଙ୍କ ବିବାହ ସାର୍ଟିଫିକେଟ୍‌ ମଧ୍ୟ ଉଦ୍ଧାର କରିଛି।