Odia News Portal

ପଞ୍ଚାୟତ ନିର୍ବାଚନ ପୂର୍ବରୁ ସବୁ ଦଳର ଯୁବ ଶାଖା ସକ୍ରିୟ

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏବେ ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସମେତ ଅନ୍ୟ ଛୋଟ ଛୋଟ ଦଳର ଯୁବଶାଖାଗୁଡିକ ବେଶ୍‍ ସକ୍ରିୟ ହୋଇ ଉଠିଛନ୍ତି । ସୁପ୍ତ ଅବସ୍ଥାରେ ଥିବା କଂଗ୍ରେସ ଓ ବିଜେପିର ଶାଖା କେବଳ ସକ୍ରିୟ ହୋଇ ନାହାନ୍ତି, ଏବେ ପରସ୍ପର ବିରୁଦ୍ଧରେ ଲଢିବାପାଇଁ ବଳ ଗୋଟାଇବାରେ ଲାଗିଛନ୍ତି ।
ଆସାନ୍ତା ଫେବୃୟାରୀ କିମ୍ବା ମାର୍ଚ୍ଚରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଥିବାବେଳେ ଏହା ପରେ ପରେ ପୌର ନିର୍ବାଚନର ଆଭାସ ମିଳିଲାଣି । ନିର୍ବାଚନକୁ ଦୃଷ୍ଟିରେ ରଖି ତିନି ପ୍ରମୁଖ ଦଳ ନିଜ ନିଜର ଶୋଇଥିବା ଶାଖାକୁ ଉଠାଇବାରେ ଲାଗିଛନ୍ତି । କଂଗ୍ରେସ ତାହାର ଯୁବ ଓ ଛାତ୍ର ସଂଗଠନକୁ ବଳ ଦେବାରେ ଲାଗିଛି । ଯୁବ ସଂଗଠନ ଏବେ ରାସ୍ତାଘାଟରେ ଆନ୍ଦୋଳନ ସହିତ ଅଣ୍ଡାମାଡ ଭଳି କାଣ୍ଡ ଭିଆଇ ଗଣମାଧ୍ୟମର ନଜର ଆକର୍ଷଣ ପାଇଁ ଲାଗି ପଡିଛି । କଂଗ୍ରେସର ଛାତ୍ର ସଂଗଠନ ବି ହଠାତ୍‍ ସକ୍ରିୟ ହୋଇ ଉଠିଛି ।

ସେହିଭଳି ବିଜେପିର ଯୁବ ଓ ଛାତ୍ର ସଂଗଠନ ମଧ୍ୟ ସକ୍ରିୟ ହୋଇଛି । ଏହାର ଛାତ୍ର ଶାଖା ବିଭିନ୍ନ ପ୍ରସଙ୍ଗରେ ରାସ୍ତାକୁ ଓହ୍ଲାଉଥିବା ଲକ୍ଷ୍ୟ କରାଯାଉଛି । କରୋନା କଟକଣା ପାଇଁ ପୂର୍ବବର୍ଷ ଭଳି ଯଦିଓ ଚଳିତବର୍ଷ କଲେଜ ନିର୍ବାଚନ ହେବାର ନାହିଁ ତଥାପି ଛାତ୍ର ସଂଗଠନର ସକ୍ରିୟତା ରାଜନୈତିକ ଦଳ ଗୁଡିକର ନିର୍ବାଚନ ପୂର୍ବର ପ୍ରସ୍ତୁତି ବୋଲି ଜଳ ଜଳ ହୋଇ ଦିଶୁଛି । ସେହିଭଳି ବିଜେପିର ଯୁବ ସଂଗଠନ ଏବେ ଘନ ଘନ ସାମ୍ବାଦିକ ସମ୍ମିଳନୀ ସହିତ କଂଗ୍ରେସ ଢାଞ୍ଚାରେ ବିଭିନ୍ନ ସ୍ଥାନରେ ଅଣ୍ଡାମାଡ ଘଟଣାରେ ଲିପ୍ତ ରହିଥିବା ଦେଖିବାକୁ ମିଳୁଛି ।

ଶାସକ ବିଜେଡିର ଯୁବ ଓ ଛାତ୍ର ସଂଗଠନ କିନ୍ତୁ ଅହିଂସା ଉପାୟରେ ମାଡି ଚାଲିଛି । ରକ୍ତଦାନ ଶିବିର ଠାରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନ ସଫେଇରେ ଏମାନେ ବ୍ୟସ୍ତ । ସେହିଭଳି ନିଜର ସଂଗଠନକୁ ଶକ୍ତିଶାଳୀ ପାଇଁ ବି ବିଜେଡିର ବିଭିନ୍ନ ଶାଖା ଲାଗି ପଡିଛନ୍ତି । ଦଳୀୟ ରାଜନୀତିରୁ ଏକ ପ୍ରକାର ଦୂରେଇ ରହି ବିଜେଡିର ବିଭିନ୍ନ ଶାଖା ଯେଭଳି ବଳ ଗୋଟାଇବାରେ ଲାଗିଛନ୍ତି ତାହା କଂଗ୍ରେସ ଓ ବିଜେପିକୁ ପଛରେ ପକାଇ ଦେଇଛି । ଏହାର ଆଗାମୀ ପଞ୍ଚାୟତ ଓ ପୌର ର୍ନିବାଚନରେ ବିଜେଡିକୁ ବେଶ୍‍ ସହାୟ ହେବବୋଲି ରାଜନୈତିକ ବିଶ୍ଲେଷକମାନେ କହୁଛନ୍ତି ।

ତେବେ ସୁପ୍ତ ଅବସ୍ଥାରେ ପହିଥିବା ରାଜନୈତିକଦଳର ଯୁବଶାଖା ଏଭଳି ସକ୍ରିୟ ପଛରେ ସଦ୍ୟ ଘଟିଥିବା ମମିତା ମୃତ୍ୟୁ ଘଟଣାକୁ ଅନେକ ଦାୟୀ କରୁଛନ୍ତି । ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବିରୋଧିମାନେ ଏହି ପ୍ରସଙ୍ଗକୁ ଜାବୁଡି ଧରିବା ସହିତ ନିଜ ନିଜର ଯୁବଶାଖାକୁ କାମରେ ଲଗାଇଛନ୍ତି । ଏହା ଫଳରେ ରାଜନୀତି ସହିତ କ୍ୟାଡର ଏକ୍ସରସାଇଜ ହେଉଥିବା ଲକ୍ଷ୍ୟ କରାଯାଉଛି । ଏହା ଏବେ ଦଳୀୟ କର୍ତ୍ତୃପକ୍ଷଙ୍କ ଆଶ୍ୱସ୍ତି ଦେଉଥିବାବେଳେ ନିର୍ବାଚନରେ ଏହି ଯୁବଗୋଷ୍ଠି କେତେ ପରିମାଣରେ ସହାୟ ହେବେ ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି । ତେବେ ବିଭିନ୍ନ ପ୍ରସଙ୍ଗରେ ରାଜନୈତିକଦଳ ଗୁଡିକର ଯୁବ ଓ ଛାତ୍ର ଶାଖା ଅତି ମାତ୍ରାରେ ସକ୍ରିୟ ହୋଇଉଠିବା ଓଡିଶା ରାଜନୀତି ପାଣିପାଗକୁ ବେଶ୍‍ ସରଗରମ କରିଛି ।