Odia News Portal

ଶେଷ ପର୍ଯ୍ୟାୟରେ ରେଳ ନିର୍ମାଣ କାର୍ଯ୍ୟ : ଖୁବଶ୍ରୀଘ୍ର ଗଡିବ ନୀଳଗିରି ରେ ଯାତ୍ରୀବାହୀ ରେଳ

ଦୀର୍ଘବର୍ଷ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ଖୁବ୍‌ଶୀଘ୍ର ବାଲେଶ୍ବର ଜିଲ୍ଲା ଅଧୀନ ନୀଳଗିରି ଅଞ୍ଚଳକୁ ଯାତ୍ରୀବାହୀ ଟ୍ରେନ୍‌ ଗଡ଼ିବ। ସାଂସଦ ପ୍ରତାପ ଷଡ଼ଙ୍ଗୀ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଭେଟି ଏସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ଅଞ୍ଚଳବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନୀଳଗିରିକୁ ଯାତ୍ରୀବାହୀ ଟ୍ରେନ୍‌ ନିଶ୍ଚିତ ଗଡ଼ିବ ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।

ପାହାଡ଼, ବଣଜଙ୍ଗଲ ଘେରା ନୀଳଗିରି ଅଞ୍ଚଳରେ ଅଧିକାଂଶ ଲୋକ ଗରିବ ଓ ଆଦିବାସୀ। ଅନେକ ଅଞ୍ଚଳ ଦୁର୍ଗମ। ଯେଉଁଠିକୁ ଏବେ ବି ସରକାରୀ ସୁବିଧା ପହଞ୍ଚି ପାରିନି। ନୀଳଗିରି ଗୋପୀନାଥପୁରକୁ ପୂର୍ବରୁ ମାଲ୍‌ ପରିବହନ ପାଇଁ ରେଳପଥ ବିଛାଯାଇଥିଲେ ହେଁ ଯାତ୍ରୀବାହୀ ଟ୍ରେନ୍‌ ଚାଲିବା ନେଇ ଦାବି ହେଉଥିଲା। ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ନୀଳଗିରି ବିଧାୟକ ଥିବାବେଳେ ସଂପୃକ୍ତ ଅଞ୍ଚଳକୁ ଯାତ୍ରୀବା‌ହୀ ଟ୍ରେନ୍‌ ଚଳାଇବା ପାଇଁ ବହୁବାର ଦାବି କରିଥିଲେ। ହେଲେ, କିଛି ସୁଫଳ ମିଳି ନଥିଲା। ଏହାଭିତରେ ଶ୍ରୀ ଷଡ଼ଙ୍ଗୀ ବାଲେଶ୍ବର ସାଂସଦ ଭାବେ ନିର୍ବାଚିତ ହେଲେ ଏବଂ କେନ୍ଦ୍ରମନ୍ତ୍ରୀ ପଦ ପାଇଲେ। ଏହିସମୟରେ ସେ ତତ୍କାଳୀନ ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ବାଲେଶ୍ବରରୁ ଗୋପୀନାଥପୁର ଯାଏ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ପାଇଁ ଦାବି କରିଥିଲେ। ଯାହାର ପ୍ରଭାବ ପଡ଼ିଥିଲା।

ବିଭାଗ ପକ୍ଷରୁ ରେଳପଥ ନିର୍ମାଣ ପାଇଁ ସର୍ଭେ କରାଗଲା। ହେଲେ, ରାଜସ୍ବ ମିଳିବ ନାହିଁ ବୋଲି ଜଣାପଡ଼ିବା ପରେ ଯାତ୍ରୀବାହୀ ଟ୍ରେନ୍ ଚାଲିବା ନେଇ ଦ୍ବନ୍ଦ୍ବ ଉପୁଜିଥିଲା। ତେବେ, ନୂଆ ରେଳମନ୍ତ୍ରୀ ଭାବେ ଅଶ୍ବିନୀ ବୈଷ୍ଣବ ଦାୟିତ୍ବ ନେବା ପରେ ସାଂସଦ ଶ୍ରୀ ଷଡ଼ଙ୍ଗୀ ମନ୍ତ୍ରୀଙ୍କୁ ଭେଟି ଦାବି ଦୋହରାଇଥିଲେ। ଅଞ୍ଚଳବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନୀଳଗିରିକୁ ଯାତ୍ରୀବାହୀ ଟ୍ରେନ୍‌ ନିଶ୍ଚିତ ଗଡ଼ିବ ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ ପ୍ରତିଶ୍ରୁତି ଦେଇଛନ୍ତି।

ଗତ ୨୦୨୨ ମସିହା ଜାନୁଆରି ମାସ ୨ ତାରିଖ ଦିନ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ଟ୍ରେନ୍‌ ଯୋଗେ ନୀଳଗିରି ଆସି ଗୋପୀନାଥପୁରରେ ରେଳଷ୍ଟେସନ ପାଇଁ ଶିଳାନ୍ୟାସ କରିଥିଲେ। ଏଥିପାଇଁ ରେଳ ମନ୍ତ୍ରାଳୟ ପକ୍ଷରୁ ୪୮.୩୬ କୋଟି ଟଙ୍କା ମଞ୍ଜୁର କରାଯାଇଥିଲା। ବ‌ର୍ଷେ ମଧ୍ୟରେ ୧୭ କିଲୋମିଟରର ରେଳପଥ ନିର୍ମାଣ କାମ ସଂପୂର୍ଣ୍ଣ ହୋଇଥିବା ବେଳେ ଗୋପୀନାଥପୁରଠାରେ ଷ୍ଟେସନ୍‌ ଗୃହ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଷ୍ଟେସନ୍‌ ଗୃହକୁ ବିଦ୍ୟୁତ୍‌ ସଂଯୋଗ ସହ ଅନ୍ୟ ଆନୁସଂଗିକ ବ୍ୟବସ୍ଥା ମଧ୍ୟ କରାଯାଇଛି।

ଏଠାରେ ଉଲ୍ଲେଖ ଥାଉ କି ଖୁବ୍‌ଶୀଘ୍ର ଅନ୍ୟ ଏକ ଯାତ୍ରୀବାହୀ ଟ୍ରେନ୍‌ ହାୱଡ଼ାରୁ ବାଲେଶ୍ବର ଦେଇ ଗୋପୀନାଥପୁର ଯିବ ଏବଂ ସେଠାରୁ ଭୁବନେଶ୍ବର ଯାତ୍ରା କରିବ। ସେହିପରି ବାଲେଶ୍ବର-ଗୋପୀନାଥପୁର ରେଳପଥ ସମ୍ପ୍ରସାରଣ କରାଯିବ। ଯାହା ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ଦେଇ ଝାଡ଼ଖଣ୍ଡର ଟାଟା ସହର ସହ ଯୋଡ଼ି ହେବ ବୋଲି ପ୍ରସ୍ତାବ ରହିଛି।