Odia News Portal

ମେ’୧୩ରେ ରୋଡ଼ ଶୋ, ୧୪ରେ ବାରାଣସୀର ଆସନରୁ ନାମାଙ୍କନ ଭରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ’ ୧୪ ତାରିଖରେ ବାରାଣସୀ ଲୋକସଭା ଆସନରୁ ନାମାଙ୍କନ ଭରିବେ । ଏହା ପୂର୍ବରୁ ସେ କାଶୀ ବିଶ୍ୱନାଥ ଧାମ ଏବଂ କାଳ ଭୈରବଙ୍କ ଦର୍ଶନ କରିବେ । ମେ ୧୩ରେ ମୋଦି ବାରାଣସୀରେ ପହଞ୍ଚି ରୋଡ୍ ଶୋ’ କରିବେ। ବାରାଣସୀରେ ସପ୍ତମ ପର୍ଯ୍ୟାୟରେ ଜୁନ୍ ୧ରେ ମତଦାନ ହେବ । ପ୍ରଧାନମନ୍ତ୍ରୀ ପ୍ରଥମେ ଶ୍ରୀକାଶୀ ବିଶ୍ୱନାଥ ଧାମରେ ଷୋଡ଼ଶୋପଚାର ବିଧିରେ ପୂଜା କରିବା ପରେ କାଳ ଭୈରବ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରିବେ ।

ମେ ୧୪ ନାମାଙ୍କନ ଦାଖଲ ପାଇଁ ଉତ୍ତମ ତାରିଖ ବୋଲି ପୁରୋହିତମାନେ କହିଥିବା ଜଣାପଡ଼ିଛି ।

ନାମାଙ୍କନ ଦାଖଲ ପୂର୍ବରୁ ମୋଦି ମେ ୫ରେ ଅଯୋଧ୍ୟା ଗସ୍ତ କରି ସେଠାରେ ରାମ ମନ୍ଦିରରେ ରାମ ଲଲାଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ପରେ ଅଯୋଧ୍ୟାରେ ଏକ ରୋଡ୍ ଶୋ’ ମଧ୍ୟ କରିବେ । ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଏହା ମୋଦିଙ୍କ ପ୍ରଥମ ଗସ୍ତ ହେବ । ମୋଦି ଏଠାରୁ ତୃତୀୟ ଥର ପାଇଁ ନିର୍ବାଚନ ଲଢ଼ୁଛନ୍ତି ।

୨୦୧୪ରେ ପ୍ରଧାନମନ୍ତ୍ରୀ ପ୍ରଥମ ଥର ପାଇଁ ବାରାଣସୀରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଆମ୍ ଆଦ୍ମୀ ପାର୍ଟି (ଆପ୍)ର ଅରବିନ୍ଦ କେଜରିୱାଲଙ୍କୁ ସେ ଏଠାରୁ ୩ ଲକ୍ଷ ୭୧ ହଜାର ୭୮୪ ଭୋଟରେ ପରାଜିତ କରିଥିଲେ । ୨୦୧୯ରେ ମୋଦି ଏଠାରେ ସମାଜବାଦୀ ପାର୍ଟିର ପ୍ରାର୍ଥୀ ଶାଲିନୀ ଯାଦବ ଏବଂ କଂଗ୍ରେସ ପ୍ରାର୍ଥୀ ଅଜୟ ରାଏଙ୍କୁ ହରାଇଥିଲେ ।