Odia News Portal

ରାଜଧାନୀରେ ଚଳିତ ବର୍ଷର ପ୍ରଥମ କାଳବୈଶାଖୀ

ଆଗାମୀ କିଛି ଦିନ ପାଇଁ ମିଳିବ ତାତିରୁ ନିସ୍ତାର ।

ଭୁବନେଶ୍ବର: ଖରାରେ ଦହଗଂଜ ହେଉଥିବା ରାଜଧାନୀବାସୀଙ୍କୁ ଚଳିତ ବର୍ଷର ପ୍ରଥମ କାଳବୈଶାଖୀ ଆଶ୍ବସ୍ତି ଦେଇଛି । ଆଜି ସଂଧ୍ୟାରେ ହଠାତ ଆକାଶରେ କଳାହାଣ୍ଡିଆ ମେଘ ଘୋଟେଇ ହୋଇଯାଇଥିଲା। ଚାହୁଁ ଚାହୁଁ  ପ୍ରବଳ ବେଗରେ ପବନ ବହିବା ସହ ବର୍ଷା  ହୋଇଥିଲା।  ଫଳରେ ଉତ୍ତପ୍ତ ଥିବା ଭୁବନେଶ୍ବର ସଂଧ୍ୟାରେ ଶାନ୍ତ ପଡିଥିଲା।  ବହୁ ଦିନ ପରେ ବର୍ଷା ହୋଇଥିବାରୁ ଲୋକମାନଙ୍କୁ ଆଶ୍ବସ୍ତି ଦେଇଛି ।

ଆଜି  ଦିନରେ  ପ୍ରବଳ  ଖରା ଅନୁଭୂତ ହୋଇଛି । ତେବେ କାଳବୈଶାଖି ରାଜଧାନୀ ଭୁବନେଶ୍ଵର ସମେତ ବାଲେଶ୍ବର,ପୁରୀ,ଯାଜପୁର, ଜଗତସିଂହପୁର ଆଦି ଜିଲ୍ଲାରେ ତାଣ୍ଡବ ରଚିଥିଲା ।କାଳବୈଶାଖୀ ଯୋଗୁଁ  ବିଭିନ୍ନ ସ୍ଥାନରେ ଲାଇନ କଟିଯାଇଥିଲା। ବହୁ ସମୟ ଧରି  ଲୋକମାନଙ୍କୁ ଅନ୍ଧାରରେ ରହିବାକୁ ପଡିଥିଲା । ପବନ, ବର୍ଷା ସହ ଘଡ଼ଘଡ଼ି ପଥଚାରୀଙ୍କୁ ଅଧିକ ଡରାଇଛି। ସନ୍ଧ୍ୟା ସାଢ଼େ ୫ଟା ପରେ କାଳବୈଶାଖୀ ଆରମ୍ଭ ହେବାର ଅଳ୍ପ ସମୟ ପରେ ବର୍ଷା ହୋଇଛି। ରାଜଧାନୀରେ ବର୍ଷା ଯୋଗୁଁ ମାଟି ଓଦା ହୋଇଯାଇଥିବାରୁ ଆଗାମୀ କିଛି ଦିନ ପାଇଁ ତାତିରୁ ନିସ୍ତାର ମିଳିବ।

ଭୁବନେଶ୍ବରସ୍ଥିତ ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ଆଜି କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, କୋରାପୁଟ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ବଜ୍ରପାତ ସାଙ୍ଗକୁ ଝଡବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଥିଲା। ସେହିପରି ଆଜିଠାରୁ ଆସନ୍ତାକାଲି ସକାଳ ୮ଟା ୩୦ ଯାଏଁ ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର ଓ କଟକରେ ଝଡବର୍ଷା ସାଙ୍ଗକୁ ବଜ୍ରପାତ ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।