Odia News Portal

ଶ୍ରୀରାମନବମୀ ପାଳନ ପଛରେ କ’ଣ ରହିଛି ମୂଳ ଉଦ୍ଦେଶ୍ୟ

ବାପା ମାଆଙ୍କ କଥା କିପରି ପାଳନ କରାଯାଏ ତାହା ପ୍ରଭୁ ଶ୍ରୀରାମଙ୍କ ଠାରୁ ଶିଖିବା ଉଚିତ୍ । ବଡ ଭାଇଙ୍କୁ କିଭଳି ସମ୍ନାନ ଦେବା ଏବଂ ତାଙ୍କ ପ୍ରତ୍ୟେକ କଥାକୁ ମାନିବା ଏହା ଲକ୍ଷ୍ମଣ ଓ ଭରତଙ୍କ ଠାରୁ ଶିଖିବା ଉଚିତ୍ । ସ୍ୱାମୀଙ୍କ ସହ ସୁଖ, ଦୁଃଖ ସବୁ ପରିସ୍ଥିତି ଛିଡା ହେବା ଏହା ଦେବୀ ସୀତାଙ୍କ ଠାରୁ ଶିଖିବା ଉଚିତ୍ । ପ୍ରକୃତରେ ପୌରଣିକ କଥାବସ୍ତୁ ରାମାୟଣ ଆମକୁ ଅନେକ ଶିକ୍ଷା ଦେଇଥାଏ । ରାମାୟଣରେ ଭଗବାନ ରାମଚନ୍ଦ୍ର ଜଣେ ଆଦର୍ଶ ପୁଅ, ଆଦର୍ଶ ସ୍ୱାମୀ, ଆଦର୍ଶ ଭାଇ ଭାବେ ନିଜକୁ ପ୍ରଦର୍ଶିତ କରିଛନ୍ତି । ଯାହାକୁ ଆମେ ସମସ୍ତେ ଅନୁସରଣ କରିବା ଉଚିତ୍ । ମର୍ଯ୍ୟାଦା ପୁରୁଷୋତମ ଭାବେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଛବି ଯୁଗେ ଯୁଗେ ରହିଥିବ ।

ଆମେ କାହିଁକି ପାଳନ କରୁଛେ ଶ୍ରୀରାମନବମୀ? ଶ୍ରୀରାମନବମୀ ପାଳନ ପଛରେ କ’ଣ ରହିଛି ମୂଳ ଉଦ୍ଦେଶ୍ୟ? ପ୍ରକୃତରେ ରାମନବମୀ ପାଳନର ଉଦ୍ଦେଶ୍ୟ ହେଉଛି ଶ୍ରୀରାମଙ୍କ ଆଦର୍ଶକୁ ମନେ ପକାଇବା । ଆମ ନିତିଦିନିଆ ଜୀବନରେ ଏହାକୁ ପାଳନ କରିବା । ଆଜି ଆମ ସମାଜରେ ଦେଖା ଦେଉଥିବା ଅନେକ ସମସ୍ୟାର ସମାଧାନ ପାଇଁ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ଆଦର୍ଶକୁ ମାନିବା ଜରୁରୀ । ଆଜି ପିଲାମାନେ ବାପାମାଆଙ୍କୁ ମାନୁ ନାହାଁନ୍ତି ।

ତାଙ୍କ କଥା ଶୁଣୁ ନାହାଁନ୍ତି । ସ୍ତ୍ରୀ, ନିଜ ସ୍ୱାମୀଙ୍କୁ ହତାଦର କରି ପରପୁରୁଷରେ ମନ ବଳାଉଛି । ସ୍ୱାମୀ ମଧ୍ୟ ସ୍ତ୍ରୀକୁ ଅବହେଳା କରୁଛି । ବାପାମାଆଙ୍କୁ ନିର୍ଯାତନା ଦେଇ ଘରୁ ତଡି ଦେଉଛି ପୁଅ । ଭାଇ- ଭାଇ ଭିତରେ ହଣାକଟା ଭଳି ଖବର ବି ସାମ୍ନାକୁ ଆସୁଛି । ମାନବିକତା ହରାଉଛି ମଣିଷ, ସଂସ୍କାର ଭୁଲିଯାଉଛନ୍ତି ଆଜିର ଯୁବପିଢୀ । ଏଥିପାଇଁ ଶ୍ରୀରାମଙ୍କ ଆଦର୍ଶ ପାଳନ କରିବା ଜରୁରୀ । ଶ୍ରୀରାମ ନବମୀ ପାଳନର ଉଦ୍ଦେଶ୍ୟ ରାମାୟଣର ଆଦର୍ଶ ଗୁଡିକୁ ମନେ ପକାଇବା, ଅନୁସରଣ କରିବା ଆଉ ନିତିଦିନିଆ ଜୀବନରେ ତାହାକୁ ପ୍ରୟୋଗ କରିବା ।