Odia News Portal

ରାଜନୀତିରୁ ସନ୍ନ୍ୟାସ ନେବେ ସୋନିଆ ଗାନ୍ଧୀ

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି ରାଜନୀତିରୁ ସନ୍ନ୍ୟାସ ନେବାକୁ ଆଜି ସଙ୍କେତ ଦେଇଛନ୍ତି। ଛତିଶଗଡ଼ର ରାୟପୁରରେ କଂଗ୍ରେସର ୮୫ତମ ମହାଅଧିବେଶନର ଦ୍ବିତୀୟ ଦିନରେ ଉଦ୍‌ବୋଧନ ଦେଇ ସୋନିଆ କହିଛନ୍ତି, ଭାରତ ଯୋଡ଼ୋ ଯାତ୍ରା‌ ସହ ମୋର ଇନିଂସ ‌ଶେଷ ହୋଇପାରେ। ୨୦୦୪ ଏବଂ ୨୦୦୯ରେ ଡକ୍ଟର ମନମୋହନ ସିଂହଙ୍କ ନେତୃତ୍ବରେ ଆମ ବିଜୟ ପାଇଁ ମୁଁ ବ୍ୟକ୍ତିଗତ ଭାବେ ସନ୍ତୁଷ୍ଟ ହୋଇଥିଲି। କିନ୍ତୁ ଏବେ ମୁଁ ଏଥିପାଇଁ ବହୁତ ଖୁସି ଯେ କଂଗ୍ରେସ ପାଇଁ ନିର୍ଣ୍ଣାୟକ ହୋଇଥିବା‌ ଭାରତ ଯୋଡ଼ୋ ଯାତ୍ରା ସହିତ ମୋର ରାଜନୈତିକ କାର୍ଯ୍ୟକାଳ ଶେଷ ହୋଇପାରେ।

ସୋନିଆ କହିଛନ୍ତି, କଂଗ୍ରେସ ଓ ସମଗ୍ର ଦେଶ ପାଇଁ ଏହା ଅତି ଜଟିଳ ସମୟ। ବିଜେପି-ଆରଏସଏସ ଦେଶର ସାମ୍ବିଧାନିକ ସଂସ୍ଥାଗୁଡ଼ିକୁ ନିୟନ୍ତ୍ରଣକୁ ନେଇଯାଇଛନ୍ତି ଏବଂ ସେମାନେ ଲୋକଙ୍କ କଲ୍ୟାଣ କରିବା ବଦଳରେ କେବଳ କିଛି ବ୍ୟବସାୟୀଙ୍କୁ ସମର୍ଥନ କରି ଅର୍ଥନୈତିକ ବିପର୍ଯ୍ୟୟ ଆଣିଛନ୍ତି। ବିଜେପି ଘୃଣାର ନିଆଁ ଜଳାଇଛି। ଏହା ସଂଖ୍ୟାଲଘୁ, ମହିଳା, ଦଳିତ ଏବଂ ଆଦିବାସୀଙ୍କୁ ଟାର୍ଗେଟ୍‌ କରିଛି। ବିଜେପିକୁ ରୋକିବା ପାଇଁ ଆମକୁ ଦୃଢ଼ତାର ସହ କାମ କରିବାକୁ ହେବ ଏବଂ ଲୋକଙ୍କ ନିକଟରେ ସ୍ପଷ୍ଟ ଭାବେ ଆମ ବାର୍ତ୍ତା ପହଞ୍ଚାଇବାକୁ ପଡ଼ିବ ବୋଲି ସେ କହିଛନ୍ତି।

କଂଗ୍ରେସର ସଫେଇ: ରାଜନୀତିରୁ ସନ୍ନ୍ୟାସ ନୁହେଁ, ସଭାପତି ଭାବେ କାର୍ଯ୍ୟକାଳ ସରିଥିବା କହିଛନ୍ତି

ଅନ୍ୟପକ୍ଷେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ଏବେ ସମୟ ଆସିଛି ବିଜେପିକୁ ବିରୋଧ କରୁଥିବା ଦଳ ନିକଟରେ ପହଞ୍ଚିବା ଏବଂ ୟୁପିଏ ପରି ମେଣ୍ଟକୁ ଶକ୍ତିଶାଳୀ କରିବା। ଆମେ ସମସ୍ତ ଚ୍ୟା‌ଲେଂଜ ସାମ୍ନା କରିବୁ। ଭାରତ ଯୋଡ଼ୋ ଯାତ୍ରା ଦେଶ ପାଇଁ ସୂର୍ଯ୍ୟକିରଣ ସଦୃଶ। ହଜାର ହଜାର ଲୋକ ରାହୁଲଙ୍କ ସହ ହାତ ମିଳାଇଛନ୍ତି ଏବଂ ପ୍ରମାଣ କରିଛନ୍ତି ଯେ କଂଗ୍ରେସ ସେମାନଙ୍କ ହୃଦୟରେ ରହିଛି। ରାହୁଲ ଯୁବଗୋଷ୍ଠୀକୁ ଅନୁପ୍ରାଣିତ କରିଛନ୍ତି ବୋଲି ଖଡ଼ଗେ କହିଛନ୍ତି। କେତେକ ବିରୋଧୀ ଦଳ ତୃତୀୟ ସାମ୍ମୁଖ୍ୟ ଗଠନ କରିବାକୁ ଯୋଜନା କରୁଥିବାରୁ ଏହାକୁ ବିରୋଧ କରି ଖଡ଼ଗେ କହିଛନ୍ତି, ଏଭଳି ପ୍ରୟାସ ବିରୋଧୀ ମେଣ୍ଟକୁ ଦୁର୍ବଳ କରିଦେବ ଏବଂ ବିଜେପିକୁ ଫାଇଦା ଦେବ। ବିଜେପିକୁ ହରାଇବା ପାଇଁ ଉପଯୁକ୍ତ ବିକଳ୍ପ ଦେବା ଲକ୍ଷ୍ୟରେ ସମସ୍ତ ବିରୋଧୀ ଦଳ ଏକଜୁଟ ହୋଇ କାମ କଲେ ହିଁ ସଫଳତା ମିଳିବ ବୋଲି ସେ କହିଛନ୍ତି। ଦେଶର ଗଣତନ୍ତ୍ରକୁ ସୁରକ୍ଷିତ ରଖିବା ପାଇଁ ବଡ଼ ଧରଣର ଆନ୍ଦୋଳନ ଆବଶ୍ୟକ ବୋଲି ମତ ରଖି ଖଡ଼ଗେ କହିଛନ୍ତି, ତୃତୀୟ ସାମ୍ମୁଖ୍ୟ ଚିନ୍ତାଧାରା ପରିତ୍ୟାଗ କଲେ ହିଁ ଏହା ସମ୍ଭବ ହୋଇପାରିବ।

ସୋନିଆ ରାଜନୀତିରୁ ସନ୍ନ୍ୟାସ ନେବା ପାଇଁ ସଙ୍କେତ ଦେବା ପ୍ରସଙ୍ଗରେ ଦଳ ପକ୍ଷରୁ କୁହାଯାଇଛି ଯେ ସୋନିଆ ରାଜନୀତିରୁ ଅବସର ନେବାକୁ ଘୋଷଣା କରିନାହାନ୍ତି, ସେ ସଭାପତି ଭାବେ ତାଙ୍କର କାର୍ଯ୍ୟକାଳ ସରିଥିବା ସଙ୍କେତ ଦେଇଛନ୍ତି।