Odia News Portal

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କୁ ଜେଲ୍‌ରେ ମିଳୁଛି ସୁବିଧା, ଟଙ୍କା ଆସୁଛି କୁଆଡୁ?

ଭୁବନେଶ୍ୱର : ଚିଟଫଣ୍ଡ ଅଭିଯୁକ୍ତମାନେ ଜେଲରେ ଏବେ ମଉଜ ମଜଲିସ୍ କରୁଛନ୍ତି । ଯେତେବେଳେ ଯାହା ଚାହୁଁଛନ୍ତି ସେତେବେଳେ ତାହା ଉପଲବ୍ଧ ହେଉଛି । କେବଳ ଏଥିପାଇଁ ପଇସା ଦେଇଦେଲେ ହେଲା । ଭୁବନେଶ୍ୱର ସ୍ଥିତ ଝାରପଡା ଜେଲରେ ଏଭଳି କାରବାର ଚାଲିଥିବା ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏଭଳି ମଉଜ ମଜଲିସରେ ଜେଲ୍‌ର କିଛି ବାବୁ ସାମିଲ ରହିଥିବାରୁ ସବୁକିଛି ଲୁଚାଛପାରେ ଚାଲିଛି ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଝାରପଡା ଜେଲରେ ଜନୈକ ଚିଟଫଣ୍ଡ ଅଭିଯୁକ୍ତ ମହିଳା ଏବେ ସେଠାରେ ରାଜକୀୟ ଠାଣିରେ ରହୁଛନ୍ତି । ଯେତେବେଳେ ଯାହା ଚାହୁଁଛନ୍ତି ତାଙ୍କ ନିକଟରେ ତାହା ପହଞ୍ଚି ଯାଉଛି । ରାଜ୍ୟ ବାହାରର ଏହି ମହିଳା ଜଣଙ୍କ ଏବେ ଜେଲ୍‌ର ଅଧିକାଂଶ ବାବୁଙ୍କୁ ନିଜ ବଶରେ କରିସାରିଲେଣି । ଜେଲ ଭିତରେ ନିଜ ମନ ମୁତାବକ ଖାଦ୍ୟ ଓ ପ୍ରସାଧନ ସାମଗ୍ରୀ ତାଙ୍କୁ ସହଜରେ ମିଳିଯାଉଛି । ଅବଶ୍ୟ ଏଥିପାଇଁ ମହିଳା କୁଆଡେ ଚିଟଫଣ୍ଡ ଅର୍ଥରୁ ଏଠାରେ କିଛି ଖର୍ଚ୍ଚ କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି ।

ସବୁଠାରୁ ବଡ କଥା ହେଲା ରାଜ୍ୟ ବାହାରର ଏହି ଚିଟଫଣ୍ଡ ଅଭିଯୁକ୍ତାଙ୍କ ପାଇଁ ଜେଲ୍ ପ୍ରଶାସନର ଢେର ଦରଦ ଦେଖାଯାଇଛି । ଏହି ମହିଳାଙ୍କୁ ସହଜରେ ତାଙ୍କ ସମ୍ପର୍କୀୟମାନେ ଦେଖା ସାକ୍ଷାତ କରିପାରୁଛନ୍ତି । ମହିଳାଙ୍କ ପାଇଁ ଜେଲ୍‌ର କିଛି କର୍ମଚାରୀ ବି ଓକିଲ ଯୋଗାଡ କରିଦେଉଛନ୍ତି । ଏଥିପାଇଁ ମହିଳା ଜଣଙ୍କ ବି ସମସ୍ତଙ୍କ କଥା ବୁଝୁଛନ୍ତି । ଏଥିପାଇଁ କୁଆଡେ କୋଲକତାରୁ ନିୟମିତ ବ୍ୟବଧାନରେ ଲୋକମାନେ ଆସି ଏଠାରେ ଦର୍ଶନ ଦେଉଛନ୍ତି ।

ଜେଲ ର କିଛି ବାବୁଙ୍କ ସଂକ୍ରାନ୍ତରେ ହେଉଥିବା ଅନ୍ୟଏକ ଆଲୋଚନା ଅନୁଯାୟୀ ଏବେ ବନ୍ଦୀମାନଙ୍କ ମାମଲା ଲଢିବାଲାଗି ଓକିଲ ଯୋଗାଡ କରିବା ଏମାନଙ୍କ ପ୍ରମୁଖ କାର୍ଯ୍ୟ ପାଲିଟିଛି । ବନ୍ଦୀମାନଙ୍କୁ ଫୁସୁଲା ଫୁସୁଲି କରି ସେମାନଙ୍କ ଲାଗି ଭଲ ଓକିଲ ଯୋଗାଡ କରିଦେବେ ବୋଲି କହୁଛନ୍ତି । ଯଦି ବନ୍ଦୀ ନବୁଝିଲା ତେବେ ତାହା ଉପର ଚାପ ଦେଉଛନ୍ତି । କିଛି ପୁରୁଣା ମାମଲାର ଉଦାହରଣ ଦେଇ ଅମୁକ ଓକିଲଙ୍କୁ କେଶ୍ ଦେଲେ ତୁମେ ଜଲଦି ବାହାରିବ ଓ ସମୁକ ଓକିଲଙ୍କୁ କେଶ୍ ଦେଲେ ଜାମିନ ମିଳିଯିବ ବୋଲି କହୁଛନ୍ତି । ବନ୍ଦୀଟି ବୁଝିଯିବା ପରେ ତାହାଠାରୁ ଓକିଲ ଫି ଆଣି ସେଥିରୁ ନିଜ ଭାଗ ରଖୁଛନ୍ତି । ମାମଲା ଯଦି ବନ୍ଦୀ ସପକ୍ଷରେ ନଗଲା ତେବେ ବନ୍ଦୀକୁ ନାଲିଆଖି ଦେଖାଇ ଚୁପ୍ କରି ଦେଉଛନ୍ତି ।

ହେଉଥିବା ଆଲୋଚନା ଅନୁଯାୟୀ ଗତ କିଛି ଦିନ ହେଲା ରାଜଧାନୀରେ ଥିବା ଏହି ଜେଲରେ ଏକ ପ୍ରକାର ବିଭ୍ରାଟ ଦେଖା ଦେଇଛି । ବଡ ବଡ ଅପରାଧିମାନେ ଏକ ପ୍ରକାର ତୁନି ପଡିଥିବାବେଳେ ଚିଟଫଣ୍ଡ ଅଭିଯୁକ୍ତମାନେ ନିଜର କାୟା ବିସ୍ତାର କରିବାରେ ଲାଗିଛନ୍ତି । ତେଣୁ ଏମାନଙ୍କୁ ସହାୟତା କରୁଥିବା ବାବୁମାନଙ୍କୁ ଏଠାରୁ ତୁରନ୍ତ ହଟାଇବାକୁ ମତପ୍ରକାଶ ପାଉଛି । ଏହା ନହେଲେ ଆଗାମୀ ଦିନରେ ଜେଲରେ ରହୁଥିବା ଅନେକ ଅପରାଧି ଓ ଚିଟଫଣ୍ଡ ଅଭିଯୁକ୍ତ ଅଧିକ ମଉଜ ମଜଲିସରେ ମାତିବେ ଓ ଏହାଦ୍ୱାରା ସରକାର ଏବଂ ଜେଲ ପ୍ରଶାସନ ଢେର ବଦାନମ ହେବ ।