Odia News Portal

ପାଣି ପାଣି ତାମିଲନାଡ଼ୁ

ଚେନ୍ନାଇ: ପ୍ରବଳ ବର୍ଷା ଯୋଗୁଁ ବେହାଲ ହୋଇପଡିଛି ତାମିଲନାଡୁ। ପାଣିପାଗ ବିଭାଗ କହିବାନୁଯାୟୀ, ଚେନ୍ନାଇ, ତିରୁବଲ୍ଲୱେର, କାଞ୍ଚିପୁରମ ଏବଂ ତିରୁଓ୍ଵନମଲାଇ ସହିତ ପଡୁଚେରୀରେ ମଧ୍ୟ ବର୍ଷା ସତର୍କତା ଜାରି କରାଯାଇଛି। ଲଗାତାର ବର୍ଷା ଯୋଗୁଁ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ପାଣିପାଗ ବିଭାଗ ଡିଜି ଜିଏମ୍ ଡ.ଏସ୍. ବାଲଚନ୍ଦ୍ରନ ମଙ୍ଗଳବାର ତାମିଲନାଡୁର ପୁଡୁକୋଟ୍ଟଇ, ରମନ୍ଥାପୁରମ, କରଇକାଲ ଲାଗି ରେଡଆଲର୍ଟ ଜାରି ହୋଇଥିବା କହିଛନ୍ତି। ସେହିପରି ବୁଧବାର କୁଡାଲୋର, ଭିଲ୍ଲୁପୁରମ, ଶିବଗଙ୍ଗା, ରମନ୍ଥାପୁରମ ଓ କରଇକାଲ ଜିଲ୍ଲା ଲାଗି ରେଡ ଆଲର୍ଟ ଜାରି କରାଯାଇଛି।

ସେପଟେ ପୁଡୁଚେରୀ ଶିକ୍ଷାମନ୍ତ୍ରୀ ଏ.ନମଃ ଶିବାୟ ଲଗାଣ ବର୍ଷା ଯୋଗୁ ରାଜ୍ୟରେ ୧୦ ଓ ୧୧ ନଭେମ୍ବର ସ୍କୁଲ କଲେଜ ଛୁଟି ଘୋଷଣା କରିଛନ୍ତି। ଗତକାଲି ସକାଳୁ ରାତି ପର୍ଯ୍ୟନ୍ତ ପାଖାପାଖି ୨୦ ସେଣ୍ଟିମଟର ବର୍ଷା ଏବଂ ନାଗପଟ୍ଟିନମରେ ପାଖାପାଖି ୧୫ ସେଣ୍ଟିମିଟର ବର୍ଷା ହୋଇଛି।

ପାଣିପାଗ ବିଭାଗ ଆକଳନରେ ଏବେ ଆନ୍ଧ୍ରପ୍ରଦେଶ ଲାଗି ବର୍ଷା ସଂକଟ ଘନେଇବାରେ ଲାଗିଛି। ବିଭାଗଙ୍କ ଅନୁସାରେ ବୁଧବାର ଓ ଗୁରୁବାର ଆନ୍ଧ୍ରପ୍ରଦେଶରେ ଭୀଷଣ ବର୍ଷା ହେବ। ଏଣୁ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ସଲଗ୍ନ ସମୁଦ୍ରରେ ମାଛମାରି ନ ଯିବା ଲାଗି ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଛି। ଏହାର ପ୍ରଭାବରେ କେରଳ ଏବଂ ଆନ୍ଧ୍ର ପ୍ରଦେଶରେ ମଧ୍ୟ ମଧ୍ୟମ ଧରଣର ବର୍ଷା ହେବ ବୋଲି କୁହାଯାଇଛି।

ରାଜଧାନୀ ଚେନ୍ନାଇ ସମେତ ବିଭିନ୍ନ ଅଞ୍ଚଳରେ ଜାରି ବର୍ଷା ଯୋଗୁ ଅନୁନ୍ୟ ୬୦ଟି ଘର ପ୍ରଭାବିତ ହୋଇଥିବା କୁହାଯାଇଛି। ଭୀଷଣ ବର୍ଷା ଯୋଗୁ ବନ୍ୟା ଓ ପାଣି ଜମି ଉପୁଜିଥିବା ପରିସ୍ଥିତିରେ ଏନଡିଆରଏଫ ଟିମଙ୍କୁ ମୁତୟନ ରଖାଯାଇଛି।