Odia News Portal

ପିଲାଙ୍କୁ ପାଠ ପଢାଇଲେ ମୁଖ୍ୟମନ୍ତ୍ରୀ

କଟକ ବୋର୍ଡ ହାଇସ୍କୁଲରେ ଗୁରୁ ଦିବସ ପାଳନ । ପିଲାଙ୍କୁ ପାଠ ପଢ଼ାଇଲେ ମୁଖ୍ୟମନ୍ତ୍ରୀ । କଟକରେ ରାଜ୍ୟସ୍ତରୀୟ ଗୁରୁ ଦିବସ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି । ଏହି ଅବସରରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ମୂଲ୍ୟବାନ ପରାମର୍ଶ ଦେଇଛନ୍ତି । ଗୁରୁ କେବଳ ଶ୍ରେଣୀ ଗୃହରେ ପାଠ ପଢାନ୍ତି ନାହିଁ, ଛାତ୍ର ଛାତ୍ରୀ ଙ୍କୁ ସ୍ୱପ୍ନ ଦେଖିବା ଏବଂ ଏହାକୁ ସାକାର କରିବାର କୌଶଳ ଶିଖାନ୍ତି । ଛାତ୍ରଛାତ୍ରୀମାନଙ୍କୁ ମୋବାଇଲ୍ ଫୋନ୍ ଏବଂ ସୋସିଆଲ ମିଡିଆର ବ୍ୟବହାର ସୀମିତ କରି ନିଜ ପାଠପଢ଼ା ଏବଂ କ୍ୟାରିୟର ଉପରେ ମନୋନିବେଶ କରିବାକୁ ଆହ୍ୱାନ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, କେଜି ରୁ ପିଜି ନିଶୁଳ୍କ ଶିକ୍ଷା ପାଇଁ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି । ପ୍ରତି ପଞ୍ଚାୟତ ସ୍ତରରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ମୋଟ ୩୨୨ ସ୍କୁଲର କାମ ଆରମ୍ଭ ହୋଇ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ନବମ ଏବଂ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀମାନଙ୍କ ମଧ୍ୟାହ୍ନ ଭୋଜନ ପାଇଁ ସରକାର ବ୍ୟବସ୍ଥା କରିଛନ୍ତି । ୨୬ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦିଆ ସରିଛି। ଆସନ୍ତା ତିନି ବର୍ଷ ଭିତରେ ଆଉ ୪୫ ହଜାର ଶିକ୍ଷକ ପଦବୀ ପୂରଣ ପାଇଁ ଉଦ୍ୟମ କରୁଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।