Odia News Portal

ବାପାଙ୍କୁ ଯକୃତର କିଛି ଅଂଶ ଦାନ କରି ଝିଅ ବନିଲେ ଦେଶର ସର୍ବକନିଷ୍ଠା ଅଙ୍ଗଦାତ୍ରୀ

ବାପାଙ୍କୁ ଯକୃତ୍‌ର (ଲିଭର୍‌) କିଛି ଅଂଶ ଦେଇ କେରଳର ଜଣେ ଦ୍ବାଦଶ ଶ୍ରେଣୀର ଛାତ୍ରୀ ଦେଶର ସର୍ବକନିଷ୍ଠା ଅଙ୍ଗଦାତ୍ରୀ ହୋଇଛନ୍ତି।

ସଂଗୃହୀତ ସୂଚନା ଅନୁସାରେ, ନାବାଳକମାନଙ୍କୁ ଅଙ୍ଗଦାନ କରିବାକୁ ଦେଶର ଆଇନ ଅନୁମତି ଦେଉ ନ ଥିବାରୁ ଦେବନନ୍ଦା ନାମ୍ନୀ ସେ ଦ୍ବାଦଶ ଶ୍ରେଣୀର ଛାତ୍ରୀ କେରଳ ହାଇକୋର୍ଟଙ୍କୁ ଅନୁମତି ପାଇଁ ପ୍ରାର୍ଥନା କରିଥିଲେ।

ଅଦାଲତଙ୍କ ସମ୍ମତି ପାଇବା ପରେ ଫେବ୍ରୁଆରି ୯ ତାରିଖ ଦିନ ଦେବାନନ୍ଦା ଅସୁସ୍ଥ ବାପା ପ୍ରତୀଶଙ୍କୁ ବଞ୍ଚାଇବା ଲାଗି ନିଜ ଯକୃତ୍‌ର କିଛି ଅଂଶ ଦାନ କରିଥିଲେ। ତ୍ରିସୁରରେ ଗୋଟାଏ ‘କାଫେ’ ଖୋଲିଥିବା ତାଙ୍କ ୪୮ ବର୍ଷିୟ ବାପା ପୁରାତନ (ଦୀର୍ଘ ଦିନ ହେବ) ଯକୃତ୍‌ ରୋଗରେ ଆକ୍ରାନ୍ତ ହୋଇଥିଲେ। ସଂଗୃହୀତ ସୂଚନା ଅନୁସାରେ, କର୍କଟରୋଗ ଭଳି ଭାତୁଡ଼ି ବାହାରିବା ସହିତ ତାଙ୍କ ଯକୃତ୍‌ ଅତି ବିପଜ୍ଜନକ ରୋଗରେ ଆକ୍ରାନ୍ତ ହୋଇଯାଇଥିଲା।

ପରିବାର ଲୋକେ ଉପଯୁକ୍ତ ଯକୃତ୍‌ଦାତା ନ ପାଇବାରୁ ନିଜ ଯକୃତ୍‌ରୁ କିଛି ଅଂଶ ଦେବା ପାଇଁ ଦେବନନ୍ଦା ଠିକ୍‌ କରିଥିଲେ। ତେଣୁ, ଦାନ ପାଇଁ ନିଜ ଯକୃତକୁ ପ୍ରକୃଷ୍ଟ ଅବସ୍ଥାକୁ ଆଣିବା ଲାଗି ଦେବନନ୍ଦା ଖାଦ୍ୟପେୟରେ ବ୍ୟାପକ ପରିବର୍ତ୍ତନ କରିବା ସହିତ ନିୟମିତ କସରତ କରିବା ଲାଗି ସ୍ଥାନୀୟ ‘ଜିମ୍‌’କୁ ଯାଉଥିଲେ।

ଯକୃତ ପ୍ରତିରୋପଣ ଲାଗି ଆଲୁବାସ୍ଥିତ ରାଜଗିରି ହସ୍ପିଟାଲ୍‌ରେ ଅସ୍ତ୍ରୋପଚାର କରାଯାଇଥିଲା। ଦେବନନ୍ଦାଙ୍କର ବୀରୋଚିତ ଉଦ୍ୟମକୁ ପ୍ରଶଂସା କରି ଡାକ୍ତରଖାନା ଅସ୍ତ୍ରୋପଚାର ବାବଦ ଖର୍ଚ୍ଚ ଛାଡ଼ କରିଦେଇଥିଲେ।

ସପ୍ତାହେ କାଳ ଡାକ୍ତରଖାନାରେ ରହି ‘ଡିସ୍‌ଚାର୍ଜ’ ହେବା ପରେ ଦେବନନ୍ଦା କହୁଛନ୍ତି, ଏବେ ଖୁସି, ସୁଖୀ ଓ ଆଶ୍ବସ୍ତ।