Odia News Portal

ମଦ ବେପାରୀକୁ ବିରୋଧ କରିବାରୁ ନଳକୂଅ ପାଣିରେ ବିଷ ପକେଇ ଦେଲେ !

ମଦ ବେପାରୀକୁ ବିରୋଧ କରିବାରୁ ନଳକୂଅ ପାଣିରେ ବିଷ ପକେଇ ଦେଇଥିବା ଅଭିଯୋଗ । ଜିଲ୍ଲାପାଳ ଦେଲେ ତଦନ୍ତ ନିର୍ଦ୍ଦେଶ । ଗାଁ ରେ ମଦ ବେପାରୀଙ୍କୁ ମଦ ବିକ୍ରି ବନ୍ଦ କରିବାକୁ କହିବାରୁ ସେହି ମଦ ବେପାରୀ ସ୍ଥାନୀୟ ଅଞ୍ଚଳର ଏକ ନଳକୂପ, କୂଅ ଓ ପରିବା କିଆରୀରେ ଏସିଡ ତଥା ବିଷାକ୍ତ ଜିନିଷ ପକେଇ ଦେଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏମିତି ଘଟଣା ନଜରକୁ ଆସିଛି ସମ୍ବଲପୁର ଜିଲ୍ଲା ଶାସନ ଥାନା ଅନ୍ତର୍ଗତ ତାଲବ ଗାଁର କେନାଲପଡ଼ାରେ । ଏହା ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ରହୁଥିବା ଗରିବ ଶ୍ରେଣୀର 10 ରୁ ଉର୍ଦ୍ଧ୍ବ ଆଦିବାସୀ ଓ ହରିଜନ ପରିବାର ପିଇବା ପାଣି ପାଇଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ବର୍ତ୍ତମାନ ଖରା ଦିନେ ଗାଁ ଗୁଡିକରେ ପାନୀୟ ଜଳର ଉତ୍କଟ ସମସ୍ୟା ଲାଗି ରହିଥିବା ବେଳେ ଏହି ଘଟଣା ସ୍ଥାନୀୟ ଅଞ୍ଚଳ ଲୋକଙ୍କୁ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ କରିଛି । ଏନେଇ ଆଜି ତାଲବ ଗାଁ ର କେନାଲପଡ଼ାର କିଛି ଗରିବ ହରିଜନ ପରିବାର ସମ୍ବଲପୁର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଲିଖିତ ଭାବେ ଅଭିଯୋଗ କରିବା ସହ ନ୍ୟାୟ ମାଗିଛନ୍ତି । ଏହି ଘଟଣା ନେଇ ସ୍ଥାନୀୟ ଲୋକେ ପୂର୍ବରୁ ପ୍ରଥମେ ଶାସନ ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ସେଠାରେ ଉପସ୍ଥିତ ଥାନା କର୍ମଚାରୀ ଅଭିଯୋଗ ରଖିବା ପରିବର୍ତ୍ତେ ମହିଳା ମାନଙ୍କୁ ମଦ ପିଇ ଆସିଛ କହି ଦୁର୍ବ୍ୟବହାର କରି ଅଭିଯୋଗ ରଖା ଯାଇନଥିଲା ବୋଲି ଗାଁ ଲୋକେ ଅଭିଯୋଗ ମଧ୍ୟ କରିଛନ୍ତି ।ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିବା ତାଲବ ଗାଁର କେନାଲପଡ଼ାର ମହିଳା ସୁଜାତା ବାଗ କହିଛନ୍ତି ଯେ ‘‘ଆମେ ବହୁତ ଅସୁବିଧାରେ ଅଛୁ । ଆମେ କିଛି ନଖାଇ ନପିଇ ସିଧା ଜିଲ୍ଲାପାଳଙ୍କ ପାଖକୁ ଆସିଛୁ । ଆମ ଗାଁର ସୁଜିତ ଲୁହା ନାମକ ଜଣେ ଲୋକ ଓ ତାଙ୍କ ପରିବାର ମଦ ବିକ୍ରି କରୁଥିବା ବେଳେ ଆମେ ବିରୋଧ କରିବାରୁ ସେମାନେ ଆମ ନଳକୂଅ, କୂଅ ଓ ପରିବା କିଆରୀରେ ଏସିଡ ସହ କିଛି ବିଷାକ୍ତ ଜିନିଷ ପକେଇ ଦେଇଛନ୍ତି। ବର୍ତ୍ତମାନ ନଳକୂଅ ପାଣିରେ କିଛି ତେଲିଆ ପ୍ରକାରର ଜିନିଷ ପାଣିରେ ମିଶିକି ବାହାରୁଛି । ଆଖ ପାଖର ପରିବା କିଆରୀର ଘାସ ସବୁ ମରି ଯାଇଛି । ଆମେ ଏହି ଗୋଟିଏ ନଳକୂଅ ଉପରେ 10 ଟି ପରିବାର ନିର୍ଭର କରୁଛୁ । ଏନେଇ ଆମେ ଶାସନ ଥାନାକୁ ଅଭିଯୋଗ କରିବାକୁ ଯାଇଥିବା ସମୟ ରେ ଥାନାରେ ଉପସ୍ଥିତ କର୍ମଚାରୀ ଆମର ମହିଳା ମାନଙ୍କୁ ମଦ ପିଇକି ଆସିଛ କହି ଦୁର୍ବ୍ୟବହାର ମଧ୍ୟ କଲେ । ତେଣୁ ଆଜି ସକାଳୁ ଆମେ ଭୋକ ଶୋଷରେ ଜିଲ୍ଲାପାଳଙ୍କ ପାଖକୁ ଆସିଛୁ ’’।ତେବେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର ଘଟଣା ନେଇ ଅଭିଯୋଗ ପାଇବା କ୍ଷଣି ତତ୍ପରତା ପ୍ରକାଶ କରିଛନ୍ତି । ଏନେଇ ଜିଲ୍ଲାପାଳ RWSS ର ଅଧିକ୍ଷଣ ଯନ୍ତ୍ରୀଙ୍କୁ ଫୋନ କରି ଘଟଣା ର ତଦନ୍ତ ନିର୍ଦେଶ ଦେଇଛନ୍ତି । ଅଭିଯୋଗରେ ସତ୍ୟତା ଥିଲେ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପୋଲିସରେ ଏତଲା ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ଯଦି ପାଣି ରୁ କିଛି ବିଷାକ୍ତ ଜିନିଷ ବାହାରେ ତାହେଲେ ସେହି ଲୋକଙ୍କ ପାଇଁ କିଛି ବିକଳ୍ପ ବ୍ୟବସ୍ଥାରେ ପାଣି ଯୋଗାଇ ଦିଆଯିବ ବୋଲି ସମ୍ବଲପୁର ଜିଲ୍ଲାପାଳ ସୂଚନା ଦେଉଛନ୍ତି l