Odia News Portal

ଟ୍ରେନ ଦୁର୍ଘଟଣା ପରି ସଙ୍କଟର ମୁକାବିଲା ପାଇଁ ଜନସାଧାରଣ ଓ ରାଜ୍ୟ ପ୍ରଶାସନକୁ ନବୀନଙ୍କ ଭୂୟସୀ ପ୍ରଶଂସା

 ବାଲେଶ୍ଵର ବାହାନଗା ଟ୍ରେନ ଦୁର୍ଘଟଣା ପରେ ଉଦ୍ଧାର ଓ ଚିକିତ୍ସା ଅଭିଯାନ ପାଇଁ ରାଜ୍ୟର ଜନସାଧାରଣ ଓ ରାଜ୍ୟ ପ୍ରଶାସନର ଭୂୟସୀ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶା ଓ ଓଡ଼ିଶା ଜନସାଧାରଣଙ୍କ ପାଇଁ ସେ ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ନିଯୁକ୍ତି ପର୍ବରେ ୧୨୦୫ ମେଡିକାଲ ଅଫିସରଙ୍କୁ ନିଯୁକ୍ତି ପତ୍ର ପ୍ରଦାନ ଅବସରରେ ମୁଖ୍ୟମନ୍ତ୍ରୀ ଟ୍ରେନ ଦୁର୍ଘଟଣା ପରେ ପୀଡ଼ିତଙ୍କ ଉଦ୍ଧାର ଓ ଚିକିତ୍ସା ପାଇଁ ଜନସାଧାରଣ ଓ ପ୍ରଶାସନକୁ ପ୍ରଶଂସା କରିଥିଲେ। ଟ୍ରେନ ଦୁର୍ଘଟଣା ସାରାଦେଶକୁ ସ୍ତବ୍ଧ କରିଦେଇଥିଲା । କିନ୍ତୁ ଏଭଳି ଏକ ସଙ୍କଟର ମୁକାବିଲା ପାଇଁ ଓଡ଼ିଶାର ସାମର୍ଥ୍ୟ ପ୍ରମାଣିତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଯେତେ ଅଧିକ ଜୀବନ ବଞ୍ଚାଯାଇପାରିବ, ସେ ନେଇ ସାଧାରଣ ଜନତା, ଡାକ୍ତର, ମେଡିକାଲ ଛାତ୍ର ସମସ୍ତେ ଲାଗି ପଡ଼ିଥିଲେ । ଏଥିପାଇଁ ସେ ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଦୁର୍ଘଟଣା ପରେ ରାଜ୍ୟ ପ୍ରଶାସନ ମଧ୍ୟ ତୁରନ୍ତ ଆକ୍ସନ ମୋଡ୍ କୁ ଆସିଯାଇଥିଲା । ମନ୍ତ୍ରୀ, ଉଚ୍ଚପଦସ୍ଥ ଅଧିକାରୀ, ସପୋର୍ଟ ଷ୍ଟାଫ୍ ସମସ୍ତେ ଦୁର୍ଘଟଣା ସ୍ଥଳରେ ଉପସ୍ଥିତ ରହି ଉଦ୍ଧାର ଓ ଚିକିତ୍ସା ଅଭିଯାନର ତଦାରଖ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ନବନିଯୁକ୍ତ ଡାକ୍ତରଙ୍କୁ ଅଭିନନ୍ଦନ ଜଣାଇଥିଲେ ମୁଖ୍ୟମନ୍ତ୍ରୀ । ଚଳିତବର୍ଷ ଆଉ ୫୦୦୦ରୁ ଅଧିକ ଡାକ୍ତର ଓ ୯୦୦୦ରୁ ଊର୍ଦ୍ଧ୍ୱ ନର୍ସ ଓ ପାରାମେଡିକାଲ ଅଫିସର ନିଯୁକ୍ତି ପାଇବେ । ଯାହା ଫଳରେ ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ଆହୁରି ସୁନିଶ୍ଚିତ ହେବ ଉତ୍ତମ ସ୍ୱାସ୍ଥ୍ୟ ସେବା। ଗତ ୧୦ ବର୍ଷରେ ୮ଟି ସରକାରୀ ମେଡିକାଲ କଲେଜ ଏବଂ ୨ଟି ପିଜି ଇନଷ୍ଟିଚ୍ୟୁଟ ପ୍ରତିଷ୍ଠା ହୋଇଛି । ୨୦୦୦ ମସିହାରେ ବର୍ଷକୁ ୩୨୧ ଜଣ ଡାକ୍ତର ଓ ୨୫୪ ସ୍ପେଶାଲିଷ୍ଟ ବାହାରୁଥିବା ବେଳେ ଏବେ ୨୨ଶହ ଡାକ୍ତର ଓ ୮୨୬ ସ୍ପେଶାଲିଷ୍ଟ ବାହାରୁଛନ୍ତି। ୨୦୨୩ ଡିସେମ୍ବର ସୁଦ୍ଧା ଓଡ଼ିଶାକୁ ଡାକ୍ତର ବଳକା ରାଜ୍ୟ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।