Odia News Portal

ମହିଳା ପ୍ରିମିୟର୍ ଲିଗ୍: ଗୁଜରାଟକୁ ହରାଇଲା ୟୁପି

ମହିଳା ପ୍ରିମିୟର୍ ଲିଗ୍‌ (ଡବ୍ଲୁପିଏଲ୍‌)ର ରବିବାର ଦ୍ବିତୀୟ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ୬୦ ରନ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି)କୁ ହରାଇ ଅଭିଯାନ ଆରମ୍ଭ କରିଛି। ସେଫାଳି ବର୍ମା ଓ ମେଗ୍‌ ଲାନିଙ୍ଗଙ୍କ ବିସ୍ଫୋରକ ବ୍ୟାଟିଂ ପରେ ‌ତାରା ନୋରିସଙ୍କ ୫ ୱିକେଟ୍‌ ସଫଳତା ବଳରେ ଦିଲ୍ଲୀ ଏହି ବିଜୟ ପାଇଛି। ‌‌ନୋରିସ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ବ୍ରାବୋର୍ଣ୍ଣ ଷ୍ଟାଡିୟମ‌୍‌ରେ ଖେଳାଯାଇଥିବା ଅପରାହ୍ଣ ମ୍ୟାଚ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଦିଲ୍ଲୀ। ସେଫାଳି (୮୪, ୪୫ ବଲ୍‌, ୧୦ ଚୌକା, ୪ ଛକା) ଏବଂ ଲାନିଙ୍ଗ (୭୨, ୪୩ ବଲ୍‌, ୧୪ ଚୌକା)ଙ୍କ ଅର୍ଦ୍ଧଶତକ ବଳରେ ୨୨୩/୨ କରିଥିଲା। ଏହି ଦୁଇ ଓପନର୍‌ ପ୍ରଥମ ୱିକେଟ୍‌ ଭାଗୀଦାରିରେ ୧୪.୩ ଓଭରରେ ୧୬୨ ରନ୍‌ ଯୋଡ଼ି ଦୃଢ଼ ମୂଳଦୁଆ ପକାଇଥିଲେ। ଉଭୟ ଦୁଇଟି ବଲ୍‌ ବ୍ୟବଧାନରେ ଆଉଟ୍‌ ହୋଇ ପାଭିଲିୟନ ଫେରିଥିଲେ। ଏହାପରେ ମାରିଜାନ କାପ (୩୯, ୧୭ ବଲ୍‌, ୩ ଚୌକା, ୩ ଛକା) ଓ ଜେମିମା ରଡ୍ରିଗୁଏଜ (୨୨, ୧୫ ବଲ୍‌, ୩ ଚୌକା) ଅପରାଜିତ ରହିବା ସହ ବିସ୍ଫୋରକ ଖେଳି ଦଳୀୟ ସ୍କୋର୍‌ ୨୦୦ ପାର୍‌ କରିଥିଲେ। ବାଙ୍ଗାଲୋର ପକ୍ଷରୁ ହିଦର ନାଇଟ୍‌ ୨ ୱିକେଟ୍‌ ନେଇଥିଲେ। ଜବାବରେ ବାଙ୍ଗାଲୋର ୮ ୱିକେଟ୍‌ ହରାଇ ୧୬୩ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ସ୍ମୃତି ମନ୍ଧାନା ୩୫, ହିଦର ନାଇଟ୍‌ ୩୪, ଏଲିସ ପେରି ୩୧, ଓ ମେଗାନ ସ୍କୁଟ୍‌ ୩୦* ରନ୍‌ କରିଥିଲେ ମଧ୍ୟ ବଡ଼ ଭାଗୀଦାରି ଗଢ଼ି ପାରି ନଥିଲେ। ବାଙ୍ଗାଲୋରର ୫ ୱିକେଟ୍‌ ଝାଡ଼ି ନୋରିସ ଦଳର ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ। ଡବ୍ଲୁପିଏଲ୍‌ରେ ପ୍ରଥମ ୫ ୱିକେଟ୍‌ ସଫଳତା ଗୌରବ ପାଇଥିବା ଆମରିକାର ନୋରିସଙ୍କୁ ଦିଲ୍ଲୀ ୧୦ ଲକ୍ଷ ଟଙ୍କାରେ କିଣିଥିଲା।

ସଂକ୍ଷିପ୍ତ ସ୍କୋର: ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୨୨୩/୨ (ସେଫାଳି ବର୍ମା-୮୪, ମେଗ ଲାନିଙ୍ଗ-୭୨, ମାରିଜାନ କାପ-୩୯*, ଜେମିମା ରଡ୍ରିଗୁଏଜ-୨୨, ହିଦର ନାଇଟ-୨/୪୦)। ରୟାଲ ଚ୍ୟାଲେଞ୍ଜର୍ସ ‌ବାଙ୍ଗାଲୋର ୨୦ ଓଭରରେ ୧୬୩/୮ (ସ୍ମୃତି ମନ୍ଧାନା-୩୫, ହିଦର ନାଇଟ୍‌-୩୪, ଏଲିସ ପେରି ୩୧, ମେଗାନ ସ୍କୁଟ ୩୦, ତାରା ନୋରିସ-୫/୨୯, ଆଲିସ କାପସେ-୨/୧୦)।

ଚଳିତ ମହିଳା ପ୍ରିମିୟର୍ ଲିଗ୍ (ଡବ୍‌ଲ୍ୟୁପିଏଲ୍‌)ରେ ରବିବାର ରାତିରେ ଖେଳାଯାଇଥିବା ମ୍ୟାଚ୍‌ରେ ଗୁଜରାଟ ଜାଏଣ୍ଟସକୁ ୟୁପି ୱାରିୟର୍ସ ରୋମାଞ୍ଚକ ଭାବେ ୩ ୱିକେଟ୍‌ରେ ପରାସ୍ତ କରିଛି। ୧୭୦ ରନ୍‌କୁ ପିଛା କରି ୟୁପି ୨୦/୩ରେ ସଂଘର୍ଷ କରୁଥିବା ବେଳେ କିରଣ ନଭଗିରେ (୪୩ ବଲ୍‌ରୁ ୫୩ ରନ୍‌) ମଧ୍ୟକ୍ରମରେ ଲଢ଼ିଥିଲେ। ଆଲିସା ହିଲି (୭)ଙ୍କ ସହ ୟୁପି ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା। କିମ୍ ଗାର୍ଥ ୫ ୱିକେଟ୍ ଦଖଲ କରିବାରୁ ଗୁଜରାଟ ବିଜୟୀ ସ୍ଥିତିରେ ଥିଲା। ଦୁଇ ବିଦେଶୀ ଖେଳାଳି ଗ୍ରେସ୍ ହାରିସ (୨୬ ବଲ୍‌ରୁ ୫୯* ରନ୍) ଏବଂ ସୋଫି ଏସେଲଷ୍ଟୋନ୍ (୧୨ ବଲ୍‌ରୁ ୨୨* ରନ୍‌) ମ୍ୟାଚ୍‌ ଛଡ଼ାଇ ନେଇଥିଲେ।‌ ଶେଷ ଓଭରରୁ ୧୯ ରନ୍ ଆବଶ୍ୟକ ପଡ଼ିଥିଲେ ମଧ୍ୟ ହାରିସ-ସୋଫି ଏହାକୁ ସମ୍ଭବ କରିଥିଲେ। ଏହି ଯୋଡ଼ି ମାତ୍ର ୪.୧ ଓଭରରୁ ୭୦ ରନ୍‌ ଯୋଡ଼ି ଗୁଜରାଟ ହାତରୁ ମ୍ୟାଚ୍‌ ଛଡ଼ାଇ ନେଇଥିଲେ। ଗୁଜରାଟ ୧୯.୫ ଓଭରରେ ୭ ୱିକେଟ୍ ହରାଇ ୧୭୫ ରନ୍‌ ସଂଗ୍ରହ କରି ନେଇଥିଲା। ସଦରଲାଣ୍ଡଙ୍କୁ ଛକା ମାରି ହାରିସ୍‌ ମ୍ୟାଚ୍‌ ଶେଷ କରିଥିଲେ। ଆୟର୍ଲାଣ୍ଡ ଖେଳାଳି କିମ୍ ଗାର୍ଥ (୪-୦-୩୬-୫)ଙ୍କ ବୋଲିଂ ସଫଳତା ବେକାର ଯାଇଥିଲା। ଗୁଜରାଟ ୨ରୁ ୨ ପରାଜୟ ବରଣ କରିଥିଲା।

ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ଜାଏଣ୍ଟସ୍‌ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲେ ମଧ୍ୟ ଛୋଟ ଛୋଟ ପାଳିକୁ ନେଇ ୧୬୯ ରନ୍‌ର ଲଢ଼ୁଆ ସ୍କୋର୍‌ କରିଥିଲା। ଭାରତୀୟ ବ୍ୟାଟର୍ ହର୍ଲିନ୍ ଦେଓଲ୍ ସର୍ବାଧିକ ୪୬ ରନ୍ (୩୨ ବଲ୍‌, ୭‌ ଚୌକା) କରିଥିବା ବେଳେ ପ୍ରାରମ୍ଭିକ ବ୍ୟାଟର୍‌ ଶଭିନେନି ମେଘନା (୧୫ ବଲ୍‌ରୁ ୨୪ ରନ୍‌), ଆସଲେ ଗାର୍ଡନର୍ (୧୯ ବଲ୍‌ରୁ ୨୫ ରନ୍‌), ଦୟାଲନ୍ ହେମଲତା (୧୩ ବଲ୍‌ରୁ ୨୧* ରନ୍) ଭଲ ବ୍ୟାଟିଂ କରିଥିଲେ। ହର୍ଲିନଙ୍କ ବିଦାୟ ପରେ ଶେଷ ୧୬ ବଲ୍‌ରୁ ଦଳ ୨୭ ରନ୍‌ ଆଦାୟ କରି ଆହ୍ବାନଭରା ସ୍କୋର୍‌ ଦେଇଥିଲା। ଅଧିନାୟିକା ସ୍ନେହ ରାଣା ୭ ବଲରୁ ୯* ରନ୍‌ କରିଥିଲେ। ୟୁପି ୱାରିୟର୍ଜ ପକ୍ଷରୁ‌ ସୋଫି ଏସେଲଷ୍ଟୋନ୍ (୪-୦-୨୫-୨), ଦୀପ୍ତି ଶର୍ମା (୪-୦-୨୭-୩୨), ତାହ୍ଲିଆ ମ୍ୟାକଗ୍ରା (୨-୦-୧୮-୧), ଅଞ୍ଜଳି ସର୍ବାଣୀ (୪-୦-୪୩-୧) ୱିକେଟ୍ ଦଖଲରେ ସଫଳ ହୋଇଥିଲେ।