Odia News Portal

ମହିଳା ବିଶ୍ୱକପ ଟି-୨୦; ସେମିଫାଇନାଲରୁ ବିଦାୟ ନେଲା ଭାରତ

ଗତ ସଂସ୍କରଣ ପରି ଏଥର ମଧ୍ୟ ଭାରତର ବିଶ୍ବକପ୍‌ ଲକ୍ଷ୍ୟରେ ଅଷ୍ଟ୍ରେଲିଆ ବାଧା ଦେଇଛି। ଗୁରୁବାର ଖେଳାଯାଇଥିବା ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ସେମିଫାଇନାଲ୍‌ରେ ଅଷ୍ଟ୍ରେଲିଆ ୫ ରନ୍‌ରେ ଭାରତକୁ ହରାଇ ସପ୍ତମ ଥର ପାଇଁ ଫାଇନାଲ୍‌ରେ ପ୍ରବେଶ କରିଛି। ଅଷ୍ଟ୍ରେଲିଆ ପକ୍ଷରୁ ଧାର୍ଯ୍ୟ ୧୭୩ ରନ୍‌ର ଲକ୍ଷ୍ୟକୁ ପିଛା କରି ଶେଷ ପର୍ଯ୍ୟନ୍ତ ଲଢେଇ କରିଥିବା ହର୍ମନପ୍ରୀତ୍‌ କୌରଙ୍କ ଦଳ ୧୬୭/୮ରେ ଅଟକି ଯାଇଥିଲା। ତେବେ ଏହି ମ୍ୟାଚ୍‌ରେ ଏକାଧିକ କ୍ୟାଚ୍‌ ହାତଛଡ଼ା କରିବା ଭାରତକୁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଗତବର୍ଷ ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ସେମିଫାଇନାଲ୍‌ରୁ ଭାରତ ବିଦାୟ ନେଇଥିଲା।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ଅଷ୍ଟ୍ରେଲିଆ ଭାରତର ଦୁର୍ବଳ କ୍ଷେତ୍ରରକ୍ଷଣର ଫାଇଦା ଉଠାଇ ୪ ୱିକେଟ୍‌ ବିନିମୟରେ ୧୭୨ ରନ୍‌ କରିଥିଲା। ଆଲିସା ହିଲି (୨୫) ଓ ବେଥ୍‌ ମୁନି ଆରମ୍ଭରୁ ଦ୍ରୁତ ଖେଳିବା ସହ ଅର୍ଦ୍ଧଶତକୀୟ (୫୨) ଭାଗୀଦାରି କରି ଦୃଢ ମୂଳଦୁଆ କରିଥିଲେ। ପରେ ଅଧିନାୟିକା ମେଗ୍‌ ଲାନିଂଙ୍କ ସହ ମିଶି ମୁନି ଦଳକୁ ଶତକ ନିକଟତର କରାଇଥିଲେ। ତେବେ ଅର୍ଦ୍ଧଶତକ ଅର୍ଜନ କରିସାରିଥିବା ମୁନି ୫୪ ରନ୍‌ କରିଥିଲା ବେଳେ ନିଜ ୱିକେଟ୍‌ ହରାଇଥିଲେ। ମୁନିଙ୍କ ସ୍ଥାନରେ ଆସିଥିବା ଆସ୍‌ଲେ ଗାର୍ଡନର ତୃତୀୟ ୱିକେଟ୍‌ରେ ଲାନିଂଙ୍କ ସହ ମିଶି ଦଳୀୟ ସ୍କୋରରେ ୫୩ ରନ୍‌ ଯୋଡ଼ିଥିଲେ। ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଲାନିଂ ୪୯* ରନ୍‌ କରିଥିଲେ। ଭାରତ ପାଇଁ ସବୁ ବୋଲର ମହଙ୍ଗା ହୋଇଥିଲା ବେଳେ ପ୍ରାରମ୍ଭିକ ଦ୍ରୁତ ବୋଲର ରେଣୁକା ସିଂହ ପୂର୍ଣ୍ଣ‌ କୋଟାରୁ ବିନା କୌଣସି ୱିକେଟ୍‌ରେ ୪୧ ରନ୍‌ ବ୍ୟୟ କରିଥିଲେ। ତେବେ ଶିଖା ପାଣ୍ଡେ ୨, ଦୀପ୍ତି ଶର୍ମା ଓ ରାଧା ଯାଦବ ୧ ୱିକେଟ୍‌ ଲେଖାଏଁ ଅକ୍ତିଆର କରିଥିଲେ। ପୂଜା ବସ୍ତ୍ରକାରଙ୍କ ବଦଳରେ ବିଶ୍ବକପ୍‌ ଦଳରେ ସାମିଲ୍‌ ହୋଇଥିବା ସ୍ନେହ ରାଣା ଏକାଧିକ ସହଜ ସୁଯୋଗ ଦେଇଥିଲେ ବି କ୍ୟାଚ୍‌ ହାତଛଡ଼ା ହେବାରୁ ତାଙ୍କୁ କୌଣସି ସଫଳତା ମିଳିନଥିଲା।

୧୭୩ ରନ୍‌ର ବଡ଼ ଲକ୍ଷ୍ୟକୁ ପିଛା କରୁଥିବା ଭାରତୀୟ ଦଳ କିନ୍ତୁ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଶେଫାଳି ବର୍ମା (୯), ସ୍ମୃତି ମନ୍ଧାନା (୨), ୟାସ୍ତିକା ଭାଟିଆ (୪) ଚତୁର୍ଥ ଓଭର ଭିତରେ ଆଉଟ୍‌ ହୋଇଯାଇଥିଲେ। ତଥାପି ଜେମିମା ରଦ୍ରିଗୁଏଜ୍‌ ଓ ହର୍ମନପ୍ରୀତ୍‌ କୌର ପାଳିକୁ ସମ୍ଭାଳିନେବା ସହ ଦ୍ରୁତ ଭାବେ ରନ୍‌ ସଂଗ୍ରହ କରିଥିଲେ। ଓଭର ପିଛା ପାଖାପାଖି ୧୧ ରନ୍‌ ହାରରେ ରନ୍‌ ସଂଗ୍ରହ କରି ୧୦ ଓଭର ବେଳକୁ ଦଳୀୟ ସ୍କୋର ୧୦୦ ପାଖରେ ପହଞ୍ଚାଇଦେଇଥିଲେ। ତେବେ ୨୪ ବଲ୍‌ରୁ ୪୩ ରନ୍‌ କରିଥିବା ବେଳେ ଡାର୍ସି ବ୍ରାଉନ୍‌ଙ୍କ ମୁଣ୍ଡ ଉପରେ ଯାଉଥିବା ବାଉନ୍ସରକୁ ଥାର୍ଡମ୍ୟାନ୍‌ ଅଞ୍ଚଳକୁ ଅପରକଟ୍‌ ଖେଳିବାକୁ ଯାଉଥିଲା ବେଳେ ହିଲିଙ୍କ ହାତରେ ଧରାପଡ଼ିଯାଇଥିଲେ। ଜେମିମାଙ୍କ ୱିକେଟ୍‌ ଯିବା ପରେ ରନ୍‌ଗତି ସାମାନ୍ୟ ଧୀମା ପଡ଼ିଯାଇଥିଲେ ବି ୧୩ତମ ଓଭର ବେଳଠୁ ହର୍ମନପ୍ରୀତ୍‌ ଚୌକା ବର୍ଷା ଆରମ୍ଭ କରିଥିଲେ। ଯାହାଫଳରେ ୧୫ତମ ଓଭରର ଦ୍ବିତୀୟ ବଲ୍‌ରେ ଲଗାତାର ଚୌକା ମାରି ଅର୍ଦ୍ଧଶତକ ପୂରଣ କରିଥିଲେ। କିନ୍ତୁ ଦୁଇଟି ବଲ୍‌ ପରେ ହର୍ମନପ୍ରୀତ୍‌ ୨ ରନ୍‌ ନେବାକୁ ଦୌଡ଼ୁଥିଲା ବେଳେ ବ୍ୟାଟ୍‌ କ୍ରିଜ୍‌ ଛୁଇଁବା ପୂର୍ବରୁ ମାଟିରେ ଅଟକି ଯିବାରୁ ସେ ରନ୍‌ଆଉଟ୍‌ ହୋଇଯାଇଥିଲେ। ଏହାପରେ ରନ୍‌ଗତି କମ୍‌ ହୋଇଯିବାରୁ ଶେଷ ଓଭରରେ ଦଳକୁ ଜିତିବା ପାଇଁ ୧୬ ରନ୍‌ ଆବଶ୍ୟକ ହେଉଥିଲା। ହେଲେ ହାତରେ ୩ ୱିକେଟ୍‌ ବଳକା ଥିଲା। କିନ୍ତୁ ଶେଷ ଓଭରରୁ କେବଳ ୧୦ ରନ୍‌ ସଂଗ୍ରହ ହୋଇପାରିଥିଲା।