Odia News Portal

ଉଦଘାଟିତ ହେଲା ମହିଳା ପ୍ରିମିୟର ଲିଗ

ପୁରୁଷ କ୍ରିକେଟରଙ୍କ ପାଇଁ ଯୁଗାନ୍ତକାରୀ ସାବ୍ୟସ୍ତ ହୋଇଥିବା ଆଇପିଏଲ୍‌ (ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍‌) ଆରମ୍ଭର ଠିକ୍ ୧୫ ବର୍ଷ ପରେ ଶନିବାରଠାରୁ ମହିଳା ପ୍ରିମିୟର୍ ଲିଗ୍ (ଡବଲ୍ୟୁପିଏଲ୍‌)ର ଶୁଭାରମ୍ଭ ହୋଇଛି। ରଙ୍ଗାରଙ୍ଗ ଉଦ୍‌ଘାଟନୀ ଉତ୍ସବ ସହିତ ଏହି ୫ ଦଳୀୟ ଫ୍ରାଞ୍ଚାଇଜ୍ ଭିତ୍ତିକ ଟ୍ବେଣ୍ଟି-୨୦ ମହିଳା କ୍ରିକେଟ୍ ପ୍ରତିଯୋଗିତା ପଦାର୍ପଣ କରିଛି। ମହିଳା କ୍ରିକେଟ୍‌କୁ ପ୍ରାରମ୍ଭରୁ ସମର୍ଥନ ଓ ସହଯୋଗ କରି ଆସିଥିବା ଅଭିନେତ୍ରୀ ଉପସ୍ଥାପିତା ମନ୍ଦିରା ବେଦୀଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ଦୁଇ ବଲିଉଡ୍ ଅଭିନେତ୍ରୀ କୀର୍ତି ସାନନ, କାଏରା ଆଡଭାନିଙ୍କ ସହିତ ଭାରତ ଓ କାନାଡ଼ାରେ ବିଶେଷ ପରିଚିତ ପଞ୍ଜାବୀ ରାପର୍‌ ଏପି ଧୀଲୋଁ ମୁଖ୍ୟ ଆକର୍ଷଣ ରହିଥିଲେ। ‘ବାଦଲ୍ ପେ ପାଓଁ ହୈ..’ ଏବଂ ‘ଚକ୍ ଦେ…’ ଟାଇଟଲ୍ ସ୍ବରରେ କୀର୍ତ୍ତି ସାନନ ଷ୍ଟାଡିୟମ୍‌କୁ ପ୍ରବେଶ କରି ଦର୍ଶକଙ୍କୁ ବିମୋହିତ କରିଥିଲେ।

ଲୋକପ୍ରିୟ ସଂଗୀତ ‘ରଙ୍ଗି ସାରି ଓ ବିଜଲୀ’ର ତାଳେ ତାଳେ କାଏର ଆଡଭାନି ଶନିବାର ସଂଧ୍ୟାର ଏହି ଉତ୍ସବକୁ ମଧ୍ୟ ରୋମାଞ୍ଚିତ କରିଥିଲେ। ଅନ୍ୟତମ ଲୋକପ୍ରିୟ ସଂଗୀତ ବ୍ରାଉନ୍ ମୁଣ୍ଡେ ସହିତ ସୁମର ହାଇ, ଇନ୍‌ସେନ୍ ଏବଂ ଦିଲ ନୁ ଆଦି ଗୀତରେ ଏପି ଧୀଲୋଁ ମଧ୍ୟ ଦର୍ଶକଙ୍କ ମନ କିଣିଥିଲେ। ନୃତ୍ୟ ଓ ସଂଗୀତ କାର୍ଯ୍ୟକ୍ରମ ପରେ ମନ୍ଦିରା ବେଦୀ ବିସିସିଆଇ ଅଧିକାରୀ ଓ ୫ ଦଳର ଅଧିନାୟିକାଙ୍କୁ ନିମନ୍ତ୍ରଣ କରିଥିଲେ। ୫ ଅଧିନାୟିକା ହର୍ମନପ୍ରୀତ୍ କୌର (ମୁମ୍ବାଇ ଇଣ୍ଡିଆନ୍ସ), ସ୍ମୃତି ମନ୍ଧାନା (ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର), ଆଲିସା ହିଲି (ୟୁପି ୱାରିୟର୍ଜ), ବେଥ୍ ମୁନି (ଗୁଜରାଟ ଜାଏଣ୍ଟସ), ମେଗ୍ ଲାନିଙ୍ଗ (ଦିଲ୍ଲୀ କ୍ୟାପିଟାଲ୍ସ)ଙ୍କ ଉପସ୍ଥିତିରେ ଡବଲ୍ୟୁପିଏଲ୍‌ ଟ୍ରଫି ଉନ୍ମୋଚିତ ‌ହୋଇଥିଲା। ଉଦ୍‌ଘା‌ଟନୀ ଉତ୍ସବରେ ବିସିସିଆଇ ସଭାପତି ରୋଜର ବିନ୍ନି, ସମ୍ପାଦକ ଜୟ ସାହା, ଉପ ସଭାପତି ରାଜୀବ ଶୁକ୍ଳା, ଅରୁଣ ଧୂମାଲ ପ୍ରମୁଖ ଉପସ୍ଥିତ ଥିଲେ। ରାତି ୭.୩୦ରେ ଟସ୍ ପଡ଼ିବା ପରେ ଗୁଜରାଟ ଜାଏଣ୍ଟସ ଓ ମୁମ୍ବାଇ ଇଣ୍ଡିଆନ୍ସ ମୁକାବିଲା ନିର୍ଧାରିତ ସମୟଠାରୁ ଅଧଘଣ୍ଟା ବିଳମ୍ବ (ରାତି ୮.୦୦)ରେ ଆରମ୍ଭ ହୋଇଥିଲା।