Odia News Portal

ମହିଳା T-୨୦ ବିଶ୍ୱକପ : ଆଜି ଅଷ୍ଟ୍ରେଲିଆକୁ ଭେଟିବ ଭାରତ

ଏଠାରେ ଗୁରୁବାର ଖେଳାଯିବାକୁ ଥିବା ଚଳିତ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ପ୍ରଥମ ସେମିଫାଇନାଲ୍‌ରେ ଗ୍ରୁପ୍‌-୧ ବିଜେତା ଅଷ୍ଟ୍ରେଲିଆକୁ ଭେଟିବ ଗ୍ରୁପ୍‌-୨ ଉପବିଜେତା ଭାରତ। ଏହି ନକ୍‌ଆଉଟ୍‌ ମ୍ୟାଚ୍‌ରେ ଭାରତ କୌଣସି ଭୁଲ୍‌ ନକରି ନିଜ ପ୍ରଦର୍ଶନରେ ଉନ୍ନତି ଆଣିପାରିଲେ ଟ୍ରଫି ଦୌଡ଼ରେ ସାମିଲ ହେବ। ଗତ ୫ ବର୍ଷ ହେଲା ଭାରତ ଶୀର୍ଷ ଦଳ ମଧ୍ୟରେ ରହିଆସିଛି ହେଲେ କେବେ‌ ମେଜର ଟ୍ରଫି ଜିତିବାକୁ ସକ୍ଷମ ହୋଇନି। ‌ନକ୍‌ଆଉଟ୍‌ରେ ଇଂଲଣ୍ଡ କିମ୍ବା ଅଷ୍ଟ୍ରେଲିଆ ବିପକ୍ଷରେ ନିଜସ୍ବ ଭୁଲ୍‌ ଯୋଗୁଁ ପରାଜୟ ବରଣ କରି ଏହି ଗୌରବ ପାଇବାରୁ ବଞ୍ଚିତ ରହିଛି। ଭାରତରେ ଆୟୋଜିତ ଗତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଫାଇନାଲ୍‌ ଏବଂ ଗତ ବର୍ଷ ବର୍ମିଂହାମ ରାଜ୍ୟଗୋ‌ଷ୍ଠୀ କ୍ରୀଡ଼ା ‌ସ୍ବର୍ଣ୍ଣ ପଦକ ମୁକାବିଲାରେ ଭାରତକୁ ଅଷ୍ଟ୍ରେଲିଆ ହରାଇଥିଲା। ୨୦୧୭ ଦିନିକିଆ ବିଶ୍ବକପ୍‌ର ଫାଇନାଲ୍‌ ପହଞ୍ଚିବା ପରେ ଭାରତରେ ମହିଳା କ୍ରିକେଟ୍‌ର ଉନ୍ନତି ହୋଇଛି। ଏବେ ଦଳ ଗୁରୁବାର କର ବା ମର ମ୍ୟାଚ୍‌ରେ ଚମତ୍କାର ପ୍ରଦର୍ଶନ ସହ ଆଗକୁ ବଢ଼ି ଭାରତୀୟ ପ୍ରଶଂସକଙ୍କ ମ‌ନ ଜିତିବାକୁ ଚାହିଁବ।

ହର୍ମନପ୍ରୀତ କୌରଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ଗ୍ରୁପ୍‌ ପର୍ଯ୍ୟାୟରେ ୪ରୁ ୩ ମ୍ୟାଚ୍‌ ଜିତି ‌ସେମିଫାଇନାଲ୍‌ରେ ପହଞ୍ଚିଛି। କେବଳ ଗ୍ରୁପ୍‌ ବିଜେତା ଇଂଲଣ୍ଡଠୁ ଅଳ୍ପରେ ହାରିଯାଇଥିଲା। ଏହାକୁ ଦେଖିଲେ ଭାରତ ବଡ଼ ମ୍ୟାଚ୍‌ରେ ସବୁ ସମସ୍ୟାର ସମା‌ଧାନ କରିବାର ଆବଶ୍ୟକତା ରହିଛି। ଯେପରିକି ଓପନିଂରେ ଥିବା ତ୍ରୁଟି, ରିଚା ଘୋଷଙ୍କ ଛଡ଼ା ଅନ୍ୟ ବ୍ୟାଟର୍‌ଙ୍କ ରନ୍‌ ପାଇଁ ସଂଘର୍ଷ ଏବଂ ଏକାଧିକ ଡଟ୍‌ ବଲ୍‌ ଖେଳିବା। ଓପନର୍‌ ଶେଫାଳି ବର୍ମା ୩ ବର୍ଷ ହେଲା ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ ମଧ୍ୟ ସଂପ୍ରତି ସ୍ବଳ୍ପବୟସୀ। ସେ ଏବେ ବି ଷ୍ଟ୍ରାଇକ୍‌ ରୋଟେଟ୍‌ ଏବଂ ସଟ୍‌ ବଲ୍‌ ବିପକ୍ଷରେ ଖେଳିବା ଭୁଲ୍‌କୁ ସୁଧାରି ପାରୁନାହାନ୍ତି। ଅଧିନାୟିକା ହର୍ମନପ୍ରୀତ ଏପର୍ଯ୍ୟନ୍ତ ଭଲ କରିନଥିବାରୁ ଚାପରେ ରହୁଛନ୍ତି। ସେ ବଡ଼ ସଟ୍‌ ଖେଳିବାରେ ମାହିର ଥିଲେ ମଧ୍ୟ ବିଶ୍ବକପ୍‌ରେ ଏପର୍ଯ୍ୟନ୍ତ ତାଙ୍କ ବ୍ୟାଟ୍‌ରୁ ସେଭଳି ଦେଖିବାକୁ ମିଳିନି। ତାଙ୍କ ନେତୃତ୍ବରେ ଯଦି ଦଳ ପୁଣି ଥରେ ନକ୍‌ଆଉଟ୍‌ ମ୍ୟାଚ୍‌ ହାରେ ତେବେ ହର୍ମନପ୍ରୀତଙ୍କ ଅଧିନାୟିକା ପଦ ଯିବାର ସମ୍ଭାବନା ରହିବ। ଜେମିମା ରଡ୍ରିଗୁଏଜ ଭଲ କରିଛନ୍ତି କିନ୍ତୁ ଦଳ ପାଇଁ ତାଙ୍କୁ ଆହୁରି ଅବଦାନ ରଖିବାକୁ ପଡ଼ିବ। ତାରକା ବ୍ୟାଟର୍‌ ସ୍ମୃତି ମନ୍ଧାନାଙ୍କୁ ଅଷ୍ଟ୍ରେଲିଆ ବିପକ୍ଷରେ ଶ୍ରେଷ୍ଠ ଦେବାକୁ ପଡ଼ିବ। ବୋଲିଂରେ ଦ୍ରୁତ ବୋଲର ରେଣୁକା ଠାକୁର ସିଂହ ଇଂଲଣ୍ଡ ବିପକ୍ଷ ୫/୧୫ ସହ ମୋଟ ୭ ୱିକେଟ୍‌ ନେଇ ଆଗରେ ରହିଛନ୍ତି। ସ୍ପିନ ଅଲ୍‌ରାଉଣ୍ଡର ଦୀପ୍ତି ଶର୍ମାଙ୍କ ପ୍ରଦର୍ଶନ ସ୍ଥିର ରହିଛି। ପୂଜା ବସ୍ତ୍ରକ‌ାର, ରାଜେଶ୍ବରୀ ଗାଏକ୍ବାଡ ଓ ରାଧା ଯାଦବ ଅଷ୍ଟ୍ରେଲିଆ ବିପକ୍ଷରେ ଭଲ କରିବାର ସମ୍ଭାବନା ରହିଛି। ତେବେ ଅଷ୍ଟ୍ରେଲିଆ ନିଶ୍ଚିତ ଶକ୍ତିଶାଳୀ, ହେଲେ ସେହି ଦଳକୁ ଆମେ ହରାଇପାରିବୁ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ରିଚା ଘୋଷ।