Odia News Portal

ଗିରଫ ହେଲା ମଦୁଆ ସ୍ୱାମୀ, ସ୍ତ୍ରୀର ଅଶ୍ଳୀଳ ଫଟୋ ଭାଇରାଲ କରିବାକୁ ଦେଉଥିଲା ଧମକ

ଯାଜପୁର: ସ୍ୱାମୀ ସ୍ତ୍ରୀର ସମ୍ପର୍କ ହେଉଛି ଏକ ପବିତ୍ର ସମ୍ପର୍କ । ଉଭୟ ଉଭୟଙ୍କ ଉପରେ ବିଶ୍ୱାସ ରହିଥାଏ । ତେବେ ନିଜ ସ୍ତ୍ରୀର ଅଶ୍ଳୀଳ ଫଟୋକୁ ଭାଇରାଲ କରାଇବାକୁ ଧମକ ଦେଉଥିଲା ସ୍ୱାମୀ । ଶେଷରେ ଏନେଇ ଅଭିଯୋଗ କରିବା ପରେ ଗିରଫ ହୋଇଛି ମଦୁଆ ସ୍ୱାମୀ । ଯାଜପୁର ଜିଲ୍ଲା କୁଆଖିଆ ଥାନା କେଉଟଲଗୁଆଁ ଗାଁରୁ ଆସିଛି ଏଭଳି ଖବର । ଗିରଫ ଅଭିଯୁକ୍ତ ହେଲେ ସୁବତ୍ର ପଣ୍ଡା । ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଅଭିଯୋଗ ହୋଇଛି ।

ଅଭିଯୋଗ ମୁତାବକ, ୨୦୧୬ ମସିହାରେ ସୁବତ୍ର ବିବାହ କରିଥିଲେ । ପ୍ରଥମେ ପ୍ରଥମେ ବେଶ ଖୁସିରେ ପରିବାର ଚାଲିଥିଲା । ମାତ୍ର କିଛି ମାସ ଯିବା ପରେ ସବୁବେଳେ ମଦ ପିଇ ଘରକୁ ଆସିବା ସହ ତାଙ୍କ ସ୍ତ୍ରୀଙ୍କୁ ମାଡ଼ ମାରୁଥିଲେ । ଏପରିକି ବାହାରକୁ ଯିବାକୁ ଦେଉନଥିଲେ । ଘରେ ସବୁବେଳେ ତାଲା ପକାଇ ରଖୁଥିଲେ । ଫୋନରେ କଥା ହେବାକୁ ମଧ୍ୟ ଦେଉନଥିଲେ । ଏପରିକି ପ୍ରତିବାଦ କଲେ ଉଲଗ୍ନ କରି ମାଡ଼ ମାରୁଥିଲେ । ଅଧିକାଂଶ ସମୟରେ ଉଲଗ୍ନ କରି ଫଟୋ ମଧ୍ୟ ଉଠାଉଥିଲେ ।

ନିକଟରେ ତାଙ୍କ ଶଳାର ବାହାଘର ଥିଲା । ବାପଘର ଲୋକେ ଡାକି ଆସିଥିଲେ । ସ୍ତ୍ରୀଙ୍କୁ ଛାଡ଼ିବାକୁ ମନା କରିଥିଲେ ସୁବ୍ରତ । ତେବେ ତାଙ୍କ ବାପା ଜୋର ଜବରଦସ୍ତ ଝିଅକୁ ନେଇଥିଲେ । ଏହାପରେ ବାହାଘରରେ ଶ୍ୱଶୁରଘରକୁ ଯାଇ ଖରାପ ଭାଷାରେ ଗାଳି ଗୁଲଜ ମଧ୍ୟ କରିଥିଲେ । ଏପରିକି ସ୍ତ୍ରୀର ଖରାପ ଭିଡିଓ ଭାଇରାଲ କରାଇଦେବାକୁ ମଧ୍ୟ ଧମକ ଦେଇଥିଲେ । ଏହାପରେ ତାଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଅଭିଯୁକ୍ତ ସୁବ୍ରତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେପଟେ ଶାଶୁ ଓ ଶ୍ୱଶୂର ସବୁ ଜାଣିଥିଲେ ସୁଦ୍ଧା ଚୁପ ରହିବାକୁ ନେଇ ଉଠିଛି ପ୍ରଶ୍ନବାଚୀ ।