Odia News Portal

ଗିରଫ ହେଲା ମଦ ବେପାରୀ ଅଖାଡ଼ୁ

ଜଟଣୀ : ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ଅଧିନସ୍ଥ ବିଭିନ୍ନ ଗ୍ରାମାଞ୍ଚଳରେ ଲକଡାଉନର ଫାଇଦା ଉଠାଇ ଚୋରା କାରବାର ବୃଦ୍ଧି ପାଇଚି । ମଦ ଚୋରା କାରବାର ଚଳାଇ ଆସୁଥିବା ବେପାରୀକୁ ସାବାଡ କରିବା ପାଇଁ ଏୟାରଫିଲଡ ପୋଲିସ ତନାଘନା ଆରମ୍ଭ କରିଛି। ମଙ୍ଗଳବାର ଅପରାହ୍ନରେ ଜଟଣୀ ବ୍ଲକ ଏୟାରଫିଲଡ ଥାନା ଅଧୀନ ପାଞ୍ଚଗାଁର ଆରିୟାନ କଲେଜ ନିକଟରୁ ବେଆଇନ ଭାବେ ଲୁଚାଛପା ଭାବେ ମଦ ବିକ୍ରି ଅଭିଯୋଗରେ ଅତର୍କିତ ଚଢ଼ାଉ କରାଯାଇ ୭୦ବୋତଲ ଆସ୍କା-୪୦ ମଦ ଜବତ କରାଯାଇଛି । ଏହା ସହ ପାଞ୍ଚଗାଁର ଅଖାଡ଼ୁ ସାମନ୍ତରାୟ ନାମକ ଜଣେ ଯୁବକକୁ ଗିରଫ କରାଯାଇଥିବା ଜଣାପଡ଼ିଛି ।

ଖବରନୁଯାୟୀ , ବର୍ତ୍ତମାନ କରୋନା ମହାମାରୀକୁ ନେଇ ଆତଙ୍କିତ ଅବସ୍ଥାରେ ଗତି କରୁଥିବା ବେଳେ କିଛି ଅସାମାଜିକ ବର୍ଗର ଲୋକେ ପ୍ରଚୁର ଅର୍ଥ ପାଇବା ଉଦ୍ଦେଶ୍ୟରେ ବେଆଇନ ଭାବେ ମଦ ଚୋରାଚାଲାଣ କରି ଲୋକଙ୍କୁ ଶୋଷଣ କରୁଥିବା ଜଣାପଡିଛି । ଏପରିକି ଏୟାରଫିଲଡ ଅଞ୍ଚଳରେ ଏବେ ଖାଲି ମଦ ନୁହେଁ ବରଂ ଗଞ୍ଜେଇ,ବ୍ରାଉନ ସୁଗାର ବ୍ୟବସାୟ କରି ଲୋକଙ୍କ ଜୀବନ ସହ ଖେଳୁଛନ୍ତି କିଛି ଅସାଧୁ । ତେବେ ଏୟାରଫିଲଡ ଥାନାରେ ନୂଆ ଥାନା ଅଧିକାରୀ ରାଧାକାନ୍ତ ସାହୁଙ୍କ ଦାୟିତ୍ଵ ଗ୍ରହଣ ପରେ ଅଞ୍ଚଳରେ ଚୋରା ମଦ ବେପାରୀ ଏବଂ ଅସାମାଜିକ ଯୁବକ ମାନେ ପୁଣି ନିଜର କାରବାର ଆରମ୍ଭ କରିଦେଇଛନ୍ତି । ଅଭିଯୁକ୍ତ ଅଖାଡ଼ୁ ଜଣେ ପେସାଦାର ଚୋରା ମଦ ବେପାରୀ । ବାରମ୍ବାର ଗିରଫ ହୋଇ କୋର୍ଟ ଚାଲାଣ ହୁଏ ପୁଣି ବେଲରେ ଆସି ମଦ ବେପାର କରିଥାଏ । ତେଣୁ କିଛି ମାସ ତଳେ ଏୟାରଫିଲଡ ଥାନାର ପୂର୍ବ ଥାନାଧିକାରୀ ଶ୍ରୀ ଦୀପକ ମିଶ୍ର ମଦ ବେପାରୀ ଅଖାଡ଼ୁ ସାମନ୍ତରାୟକୁ ଅଞ୍ଚଳରୁ ତଡିପାର କରିଥିଲେ ।

ତେବେ ଦୀପକ ମିଶ୍ରଙ୍କ ପଦୋନ୍ନତି ପାଇ ବଦଳି ହେବା ପରେ ଅଞ୍ଚଳରେ ପୁଣି ଚୋରା ମଦ କାରବାର ଆରମ୍ଭ ହୋଇଯାଇଥିଲା । ବିଶେଷ ସୁତ୍ରରୁ ଖବରପାଇ ଏୟାରଫିଲଡ ପୋଲିସ ଦୀର୍ଘଦିନ ଧରି ତଡିପାର ହୋଇଥିବା ଅଖାଡ଼ୁକୁ ଗିରଫ କରବା ସହ ପ୍ରଚୁର ପରିମାଣର ଆସ୍କା-୪୦ ଜବତ ମଧ୍ୟ କରିଥିବା ଜଣାପଡ଼ିଛି । ଏନେଇ ପୋଲିସ ଅଭିଯୁକ୍ତ ଅଖାଡ଼ୁଙ୍କ ନାମରେ ଥାନା ମାମଲା ନଂ ୧୯୭/୨୧ ପ୍ରକାରେ ମକଦ୍ଦମା ରୁଜୁ କରି କୋର୍ଟ ଚାଲାଣ କରିଛି ।