ପାରାଦୀପ ପୌର ପରିଷଦ ଅଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ବାସଭବନ ଉପରେ ହୋଇଥିବା ପେଟ୍ରୋଲ ବୋମାମାଡ଼ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ଜଗତସିଂହପୁର ଏସ୍ପି ଆୟୋଜିତ ପ୍ରେସମିଟ୍ରେ ଏହି ଘଟଣା ପଛରେ ରାଜନୈତିକ ବିବାଦ ଏବଂ ମୁନିସିପାଲିଟି କାମକୁ ନେଇ ମତଭେଦ ଥିବା କଥା ସୂଚନା ଦିଆଯାଇଛି।
ସୂଚନା ଅନୁଯାୟୀ, ଘଟଣାରେ ମୋଟ ୪ ଜଣଙ୍କ ସମ୍ପୃକ୍ତି ଥିବା ବେଳେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବେ ଜ୍ୟୋତିକାନ୍ତ ପରିଡା ଓରଫ ବାପୁ ପରିଡାଙ୍କ ନାମ ସାମ୍ନାକୁ ଆସିଛି। ଜ୍ୟୋତିକାନ୍ତ ପରିଡା ଜଗତସିଂହପୁର ଜିଲ୍ଲା ବିଜେଡିର ଉପସଭାପତି ଥିବା ଜଣାପଡ଼ିଛି। ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କୁ ଭୟଭୀତ କରିବା ଉଦ୍ଦେଶ୍ୟରେ ଏହି ବୋମାମାଡ଼ ଯୋଜନା କରାଯାଇଥିବା ପୋଲିସ କହିଛି।
ଉଲ୍ଲେଖଯୋଗ୍ୟ ଯେ, ଗତ ଶନିବାର ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରୁ ୭ଟା ମଧ୍ୟରେ ତିନିଜଣ ଦୁର୍ବୃତ୍ତ ଏକ ସ୍କୁଟିରେ ଆସି ପୌରାଧ୍ୟକ୍ଷଙ୍କ ବାସଭବନ ଉପରକୁ ପେଟ୍ରୋଲ ବୋମା ଫିଙ୍ଗିଥିଲେ। ତେବେ ବୋମାଟି ଘରର କାନ୍ଥରେ ବାଜି ତଳେ ପଡ଼ିଯାଇଥିଲା। ବୋତଲ ଭାଙ୍ଗି ନିଆଁ ଜଳିଥିଲେ ମଧ୍ୟ କିଛି ସମୟ ପରେ ତାହା ଲିଭିଯାଇଥିଲା। ଏହି ଘଟଣାରେ କୌଣସି ଜୀବନହାନି କିମ୍ବା ବଡ଼ ଧରଣର କ୍ଷୟକ୍ଷତି ହୋଇନଥିଲା।
ଘଟଣା ପରେ ପାରାଦୀପ ଆଦର୍ଶ ଥାନା ପୋଲିସ, ଜଗତସିଂହପୁର ଏସ୍ପି ଏବଂ ସାଇଣ୍ଟିଫିକ୍ ଟିମ୍ ତଦନ୍ତ ଆରମ୍ଭ କରିଥିଲେ। ସିସିଟିଭି ଫୁଟେଜ୍, ବୈଜ୍ଞାନିକ ପ୍ରମାଣ ଏବଂ ଅନ୍ୟାନ୍ୟ ସୂତ୍ରକୁ ଆଧାର କରି ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବାରେ ସଫଳ ହୋଇଛି।
ଏହି ଘଟଣା ପାରାଦୀପର ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ, ଆଗକୁ ତଦନ୍ତ ଆଧାରରେ ଆହୁରି ତଥ୍ୟ ସାମ୍ନାକୁ ଆସିପାରେ ବୋଲି ପୋଲିସ ସୂଚନା ଦେଇଛି।
