Odia News Portal

ନାବାଳିକାଙ୍କୁ ଦୁଷ୍କର୍ମ କରି ଭିଡିଓ ରେକର୍ଡିଂ କରିବା ଅଭିଯୋଗରେ ୩ ଅଟକ

କନ୍ଧମାଳ: ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ତେବେ ଦୁଷ୍କର୍ମ କରିବା ସହ ଭିଡିଓ ଉଠାଇଲେ ନରପିଚାଶ । କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅଞ୍ଚଳରୁ ଆସିଛି ଏଭଳି ଖବର । ପିଡିତାଙ୍କ ବାପା ଥାନାରେ ଏନେଇ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ଜଡିତ ୩ଜଣଙ୍କୁ ଅଟକ ରଖି ପଚରାଉଚରାକରୁଥିବା ବେଳେ ନାବାଳିକାଙ୍କ ବୟାନ ରେକର୍ଡ କରିଛି ।

ସୂଚନା ଅନୁଯାୟୀ, ଗତମାସ ୨୮ ତାରିଖରେ ଘଟିଛି ଏହି ଘଟଣା । ନାବାଳିକାଙ୍କ ବାପା ମା ଦିନ ମଜୁରିଆ ଭାବେ କାମ କରନ୍ତି । ସେମାନେ ଦିନବେଳା କାମ କରିବା ଲାଗି ବାହାରକୁ ଯାଇଥିଲେ । ଝିଅ ଏକା ଘରେ ରହିଥିଲା । ଏହାର ଫାଇଦା ଉଠାଇଥିଲେ ଗାଁର ତିତିଜଣ ଯୁବକ । ସେମାନେ ନାବାଳିକାଙ୍କୁ ଘରୁ ଡାକିଥିଲେ । ଆଉ ପରେ ଏକ ଅର୍ଦ୍ଧନିର୍ମିତ ଘରକୁ ନେଇ ସେଠାରେ ଦୁଷ୍କର୍ମ କରିଥିଲେ । ଦୁଇଜଣ ଦୁଷ୍କର୍ମ କରୁଥିବା ବେଳେ ଜଣେ ଭିଡିଓ ରେକର୍ଡିଂ କରୁଥିଲା । ତେବେ ଏହି ଘଟଣା ସମ୍ପର୍କରେ କାହା ଆଗରେ କହିଲେ ଭିଡିଓ ଭାଇରାଲ କରାଇ ଦେବାକୁ ଧମକ ଦେଇଥିଲେ ଅଭିଯୁକ୍ତମାନେ । ତେବେ ପିଡିତାଙ୍କ ବାପା ଏସମ୍ପର୍କରେ ଖବର ପାଇବା ପରେ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଏହି ଆଧାରରେ ତିନିଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ।